ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି (ଶନିବାର) ସଂସଦରେ କେନ୍ଦ୍ରୀୟ ବଜେଟ ୨୦୨୫-୨୬ ଉପସ୍ଥାପନ କରିଛନ୍ତି । ବଜେଟକୁ ପ୍ରଂଶସା କରିବା ସହ ଅଭିଭାଷଣ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାକୁ ୧୪୦କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନର ବଜେଟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
୧୪୦କୋଟି ଭାରତୀୟଙ୍କ ଆକାଂକ୍ଷା ଓ ସ୍ୱପ୍ନ ପୂରଣ ବଜେଟ:
ପ୍ରଧାନମନ୍ତ୍ରୀ କହିଛନ୍ତି, "ଆଜି ଭାରତର ବିକାଶଯାତ୍ରାର ଏକ ମହତ୍ୱପୂର୍ଣ୍ଣ ପର୍ଯ୍ୟାୟ । ୧୪୦ କୋଟି ଭାରତୀୟଙ୍କ ଆକାଂକ୍ଷାର ବଜେଟ, ଏହା ସମସ୍ତ ଭାରତୀୟଙ୍କ ସ୍ୱପ୍ନକୁ ପୂରଣ କରିବା ବଜେଟ । ଅନେକ କ୍ଷେତ୍ର ଯୁବକମାନଙ୍କ ପାଇଁ ଖୋଲାଯାଇଛି । ସାଧାରଣ ନାଗରିକ ବିକଶିତ ଭାରତର ମିଶନକୁ ଉତ୍ସ ଯୋଗାଇବ । ଏହି ବଜେଟ ସାଧାରଣ ନାଗରିକଙ୍କ ସଞ୍ଚୟ ବଢାଇବ, ନିବେଶ ବଢାଇବ ଓ ଅଭିବୃଦ୍ଧି ବଢାଇବ । ଅର୍ଥମନ୍ତ୍ରୀ ଓ ତାଙ୍କ ଟିମକୁ ଏହି ଜନତା ଜନାର୍ଦ୍ଦନଙ୍କ ବଜେଟ ପାଇଁ ଧନ୍ୟବାଦ ଜଣାଉଛି ।"
'ସରକାରଙ୍କ ରାଜସ୍ୱ ନୁହେଁ ବରଂ ନାଗରିକଙ୍କ ସଞ୍ଚୟକୁ ଫୋକସ୍'
ସେ ଆଉ ମଧ୍ୟ କହିଛନ୍ତି, "ସାଧାରଣତଃ ବଜେଟର ଫୋକସ, ସରକାରଙ୍କ ରାଜସ୍ୱ କିପରି ଭରିବ ତାହା ଉପରେ ରହିଥାଏ । କିନ୍ତୁ ଏହି ବଜେଟ ଏହାର ସମ୍ପୂର୍ଣ୍ଣ ବିପରୀତ । ଏହି ବଜେଟ ଦେଶର ନାଗରିକଙ୍କ ଆୟ କିଭଳି ବଢିବ, ସଞ୍ଚୟ କିଭଳି ବଢିବ, ଦେଶର ନାଗରିକ ବିକାଶର ଭାଗୀଦାର କିଭଳି ବନିବେ ତାକୁ ଗୁରୁତ୍ୱ ଦେଉଛି । ଏହି ବଜେଟରେ ସଂସ୍କାର ଦିଗରେ ମହତ୍ତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି ।"
ରୋଜଗାରକୁ ପ୍ରାଥମିକତା:
ନ୍ୟୁକ୍ଲିୟର ଏନର୍ଜିରେ ଘରୋଇ ସେକ୍ଟରକୁ ଉତ୍ସାହିତ କରିବା ନିଷ୍ପତ୍ତି ଐତିହାସିକ ନିଷ୍ପତ୍ତି । ବଜେଟରେ ରୋଜଗାରର ସମସ୍ତ କ୍ଷେତ୍ରକୁ ପ୍ରାଥମିକତା ଦିଆଯାଇଛି । ଇନଫ୍ରାଷ୍ଟ୍ରକ୍ଚରକୁ ଗୁରୁତ୍ୱ ଦିଆଯିବା କାରଣରୁ ଭାରତରେ ବୃହତ ଜାହାଜ ନିର୍ମାଣକୁ ପ୍ରାଥମିକତା ମିଳିବ । ଆତ୍ମନିର୍ଭର ଭାରତକୁ ଦିଗ ମିଳିବ । ଜାହାଜ ନିର୍ମାଣ ସର୍ବାଧିକ ରୋଜଗାର ଦେଉଥିବା କ୍ଷେତ୍ର । ସେହିଭଳି ପର୍ଯ୍ୟଟନ ପାଇଁ ବହୁତ ସମ୍ଭାବନା ରହିଛି । ୫୦ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଗୁଡିକରେ ଯେଉଁ ହୋଟେଲ ନିର୍ମାଣ ହେବ । ଏହା ସେବା କ୍ଷେତ୍ରରେ ରୋଜଗାର ଯୋଗାଇବ ।
କୃଷକ ଓ ଗ୍ରାମୀଣ ଅର୍ଥନୀତି ବ୍ୟବସ୍ଥାକୁ ଗୁରୁତ୍ୱ:
ବଜେଟରେ ୧ କୋଟି ପାଣ୍ଡୁ ଲିପି ସଂରକ୍ଷଣ ପାଇଁ ମିଶନ ଲଞ୍ଚ କରାଯାଇଛି । ବଜେଟରେ କୃଷକମାନଙ୍କ ପାଇଁ ଯେଉଁ ଘୋଷଣା କରାଯାଇଛି ତାହା କୃଷି କ୍ଷେତ୍ର ଓ ଗ୍ରାମୀଣ ଅର୍ଥନୀତି ବ୍ୟବସ୍ଥା ପାଇଁ ନୂଆ କ୍ରାନ୍ତିର ଆଧାର ହେବ । ପିଏମ ଧନଧାନ୍ୟ କୃଷି ଯୋଜନା ଆଧାରରେ ୧୦୦ ଜିଲ୍ଲାରେ ସିଞ୍ଚନ ଓ ଇନଫ୍ରାଷ୍ଟକରର ବିକାଶ ହେବ । କିଷାନ କ୍ରେଡିଟ କାର୍ଡ ଲିମିଟ୍ ୫ ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବାରୁ ଚାଷୀଙ୍କୁ ସାହାଯ୍ୟ ମିଳିବ ।