ନୂଆଦିଲ୍ଲୀ: ଭାରତରେ ଅଟୋମୋବାଇଲର ଖୁଚୁରା ବିକ୍ରିରେ 13% ବୃଦ୍ଧି ପାଇଛି । ଯାହାର ସୂଚନା ଫେଡେରେସନ ଅଫ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ ଦେଇଛନ୍ତି । ଯାତ୍ରୀବାହୀ ଯାନ ଏବଂ ଦୁଇ ଚକିଆ ଯାନ ସମେତ ସମସ୍ତ ବିଭାଗରେ ଭଲ ବିକ୍ରି ହୋଇଥିବା ଦେଖିବାକୁ ମିଳିଛି । ଗତ ମାସରେ ମୋଟ ଖୁଚୁରା ବିକ୍ରି 20,29,541 ୟୁନିଟ ହୋଇଥିଲା, ଯାହା ପୂର୍ବ ବର୍ଷ 17,94,866 ୟୁନିଟ ଥିଲା । ଫେବୃଆରୀ 2023ରେ 2,93,803 ୟୁନିଟ ବିକ୍ରି ହୋଇଥିଲା । ଯାହା ତୁଳନାରେ ଏ ବର୍ଷ 12 ପ୍ରତିଶତ ବୃଦ୍ଧି ପାଇ 3,30,107 ୟୁନିଟ ବିକ୍ରି ହୋଇଛି । ଅନ୍ୟପଟରେ ଯାତ୍ରୀବାହୀ ଯାନଗୁଡିକ ଫେବୃଆରୀ ମାସରେ ସର୍ବାଧିକ ବିକ୍ରିର ରେକର୍ଡ କରିଛି ।
FADAର ସଭାପତି ମନୀଷ ରାଜ ସିଙ୍ଗାନିଆ ଏକ ବିବୃତ୍ତିରେ କହିଛନ୍ତି ଯେ ‘‘ନୂତନ ଉତ୍ପାଦ ଏବଂ ଯାନ ଉପଲବ୍ଧତା କାରଣରୁ ଦୁଇ ଚକିଆ ବିକ୍ରି 13% ବୃଦ୍ଧି ହୋଇ 14,39,523 ୟୁନିଟରେ ପହଞ୍ଚିଛି । ଯାହା ଗତବର୍ଷ ସମାନ ଅବଧିରେ 12,71,073 ୟୁନିଟ ଥିଲା। ବିବାହ ସିଜିନ ଏବଂ ଆର୍ଥିକ ସ୍ଥିତି ସୃଦୃଢ଼ ଥିବା କାରଣରୁ ଏହି ସକରାତ୍ମକ ଅଭିବୃଦ୍ଧିରେ ସହାୟକ ହୋଇଛି।’’ ଚଳିତ ବର୍ଷ ଫେବୃଆରୀରେ କମରସିଆଲ ଭେଇକିଲ ବିକ୍ରି 88,367 ୟୁନିଟକୁ ବୃଦ୍ଧି ପାଇଛି । ଯାହା ଗତବର୍ଷ ତୁଳନାରେ 5 ପ୍ରତିଶତ ଅଭିବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି ।