ହାଇଦ୍ରାବାଦ:ରୋଷେଇଠୁ ରାଷ୍ଟ୍ର ନିର୍ମାଣ ସବୁଠି ନାରୀର ଭୂମିକା ଅତୁଳନୀୟ । ନିଜର ପରାକାଷ୍ଠା ପାଇଁ ବିଶ୍ବ ଦରବାରରେ ଦେଶକୁ ଗୌରବାନ୍ବିତ କରିଛନ୍ତି ନାରୀ । ୨୦୨୪ର ଚର୍ଚ୍ଚିତ ନାରୀଙ୍କ ଓ ସେମାନେ ହାସଲ କରିଥିବା ସଫଳତା ବିଷୟରେ ଆସନ୍ତୁ ଜାଣିବା ।
ଭାରତୀୟ ଆର୍ମିର ପ୍ରଥମ ମହିଳା ଚିକିତ୍ସା ସେବା ମହାନିର୍ଦ୍ଦେଶକ:
ଲେଫନାଣ୍ଟ ଜେନେରାଲ ସାଧନା ସକ୍ସେନା ନାୟର ଚଳିତ ବର୍ଷ ଚିକିତ୍ସା ସେବାରେ ନିୟୋଜିତ ହୋଇଥିଲେ । ଆର୍ମି ଚିକିତ୍ସା ସେବାରେ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ପ୍ରଥମ ମହିଳା ହେଉଛନ୍ତି ସାଧନା ।
ସୁନୀତା ୱିଲିୟମ୍ସ:
ମହାକାଶଚାରୀ ସୁନୀତା ୱିଲିୟମ୍ସ ଚଳିତ ବର୍ଷ ଜୁନ ୫ ତାରିଖରେ ମହାକାଶ ଯାତ୍ରା କରିଥିବାବେଳେ ଯାନ୍ତ୍ରିକ ତ୍ରୁଟି କାରଣରୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ସେ ଫସି ରହିଛନ୍ତି । ୨୦୨୫ ଫେବୃଆରୀ ପୂର୍ବରୁ ସୁନୀତାଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ ସମ୍ଭବ ନୁହେଁ ବୋଲି ନାସା(NASA) ପକ୍ଷରୁ କୁହାଯାଇଛି । ଚଳିତବର୍ଷ ମହାକାଶରୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ ମହାକାଶଚାରୀ ସୁନୀତା ଓ ତାଙ୍କ ସାଥୀ ବଚ୍ ୱିଲମୋର । ଆମେରିକା ମହାକାଶ ଗବେଷଣା ଗବେଷଣା ସଂସ୍ଥା ‘ନାସା’ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏକ ସପ୍ତାହ ପାଇଁ ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନକୁ ଯାଇଥିବା ସୁନୀତା ସେଠାରେ 8 ମାସ ପର୍ଯ୍ୟନ୍ତ ରହିବେ । ‘ଷ୍ଟାରଲାଇନର’ରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସୁନୀତା ଓ ବଚ୍ ୱିଲମୋର ମହାକାଶରେ ଫସି ରହିଛନ୍ତି ।
ପ୍ରିୟଙ୍କା ଗାନ୍ଧୀ:
ଚଳିତ ବର୍ଷ AICC ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସଂସଦରେ ପ୍ରବେଶ କରିଥିଲେ । ଉପନିର୍ବାଚନରେ କେରଳ ୱାୟନାଡ ଆସନରୁ ସେ ୪ ଲକ୍ଷ ୧୦ ହଜାର ୯୩୧ ଖଣ୍ଡ ଭୋଟରେ ବାଜିମାତ କରିଥିଲେ । ଦେଖିବାକୁ ଗଲେ ସେ ତାଙ୍କ ଭାଇ ରାହୁଲଙ୍କୁ ମଧ୍ୟ ପଛରେ ପକାଇ ଦେଇଥିଲେ । କାରଣ ଲୋକସଭା ନିର୍ବାଚନରେ ୱାୟନାଡ ଆସନରୁ ପ୍ରାର୍ଥୀ ହୋଇଥିଲେ । ରାହୁଲଙ୍କୁ ୩.୬ ଲକ୍ଷ ଭୋଟ ମିଳିଥିବାବେଳେ ପ୍ରିୟଙ୍କା କିନ୍ତୁ ଉପନିର୍ବାଚନରେ ଭାଇଙ୍କୁ ମାତ୍ ଦେଇଛନ୍ତି ।
କହିରଖୁଛୁ, ଉଭୟ ରାଏବରେଲୀ ଓ ୱାୟନାଡ ଆସନରୁ ଜିତିଥିବା ରାହୁଲ ରାଏବରେଲୀରୁ ସାଂସଦ ହେବା ପରେ ୱାୟନାଡ ଖାଲିପଡିଥିଲା । ପରବର୍ତ୍ତୀ ସମୟରେ ଉପନିର୍ବାଚନ ହୋଇଥିଲା। ଯେଉଁଥିରେ ପ୍ରିୟଙ୍କା ବିପୁଳ ଭୋଟ୍ ମାର୍ଜିନରେ ବାଜିମାତ କରିଥିଲେ ।
ଆତିଶୀ ମାର୍ଲେନା:
ଦେଶର ସର୍ବକନିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ଚଳିତ ବର୍ଷ ଶପଥ ନେଇଛନ୍ତି ଆତିଶୀ ମର୍ଲେନା । ମନ୍ତ୍ରୀ ହେବାର ମାତ୍ର ଦେଢ ବର୍ଷ ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି ଆତିଶୀ । ଅରବିନ୍ଦ କେଜ୍ରିୱାଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ମୁଖ୍ୟମନ୍ତ୍ରୀ ଆସନ । ତେବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ଅରବିନ୍ଦ କେଜ୍ରିୱାଲଙ୍କ ସରକାରରେ ସବୁଠୁ ଅଧିକ ବିଭାଗ ଆତିଶୀଙ୍କ ହାତରେ ଥିଲା । ଅର୍ଥ, ରାଜସ୍ବ, ଯୋଜନା, ମହିଳା ବିକାଶ, ଶିକ୍ଷା, ଉଚ୍ଚ ଶିକ୍ଷା, ପର୍ଯ୍ୟଟନ, କଳା ଓ ସଂସ୍କୃତି ଓ ଭାଷା, ଲୋକ ନିର୍ମାଣ ବିଭାଗ, ବିଦ୍ୟୁତ, ସୂଚନା ଓ ଜନସମ୍ପର୍କ ଓ ସେବା ସତର୍କତା ଭଳି ବିଭାଗର ମନ୍ତ୍ରୀ ଥିଲେ ଆତିଶୀ ।
କଳ୍ପନା ସୋରେନ:
ଝାଡଖଣ୍ଡ ନିର୍ବାଚନ ପୂର୍ବରୁ ବହୁ ଗୁରୁ ଦାୟିତ୍ବ ବହନ କରିଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ । ହେମନ୍ତ ଜେଲରେ ଥିବା ବେଳେ ପତ୍ନୀ କଳ୍ପନା ସୋରେନ ଗ୍ରାଉଣ୍ଡ ସମ୍ଭାଳୁଥିଲେ । ହେମନ୍ତ ଏବଂ ପତ୍ନୀ କଳ୍ପନା ଦୁହେଁ ୨୦୦ରୁ ଅଧିକ ନିର୍ବାଚନୀ ରାଲି ଏବଂ ଜନସଭା କରିଥିଲେ । ସେ ନିଜ ଦଳ ଜେଏମଏମ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ INDIA ମେଣ୍ଟ କଂଗ୍ରେସ ଏବଂ ଆରଜେଡି ପ୍ରାର୍ଥୀଙ୍କ ପାଇଁ ମଧ୍ୟ ପ୍ରଚାର କରିଥିଲେ । ସବୁଠୁ ବଡ଼ କଥା ହେଉଛି, ହେମନ୍ତଙ୍କ ସହ କଳ୍ପନା ରାଜ୍ୟର ସମସ୍ତ ୮୧ ବିଧାନସଭା କ୍ଷେତ୍ର ବୁଲି ପ୍ରଚାର କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ସୁଦୃଢ଼ କରିଥିଲେ ।
ମନୁ ଭାକର:
ହରିୟାଣା ଝିଅ ମନୁ ଭାକର ଶୁଟିଂରେ ଅଲିମ୍ପିକ ପଦକ ହାସଲ କରି ଦେଶ ପାଇଁ ଗର୍ବ ଆଣିଛନ୍ତି । ୧୦ ମିଟର ପିସ୍ତଲ ପ୍ରତିଯୋଗିତାରେ ମନୁ କାଂସ୍ୟ ପଦକ ଜିତିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସ 2024ରେ ଚମତ୍କାର ପ୍ରଦର୍ଶନ କରି ଷ୍ଟାର ଶୁଟର ମନୁ ଭାକର ସମଗ୍ର ଦେଶକୁ ଗର୍ବିତ କରିଛନ୍ତି । ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିବାର ଗୌରବ ଅର୍ଜନ କରିଥିଲେ ମନୁ ଭାକର । 10 ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଏକକ ଏବଂ ମିଶ୍ରିତ ବର୍ଗରେ ବ୍ରୋଞ୍ଜ ପଦକ ଜିତିଥିଲେ ମନୁ ।
ଭିନେଶ ଫୋଗଟ:
ଜଣେ ଲୋକପ୍ରିୟ କୁସ୍ତି ଯୋଦ୍ଧା ଭାବେ ବେଶ ଜଣାଶୁଣା ଭିନେଶ ଫୋଗଟ । ହେଲେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ମାତ୍ର ୧୦୦ ଗ୍ରାମ ଓଜନ ବଢିବା କାରଣରୁ ତାଙ୍କୁ ଖେଳିବାକୁ ଅନୁମତି ମିଳିନଥିଲା । ପରବର୍ତ୍ତୀ ସମୟରେ ଭିନେଶ କୁସ୍ତିରୁ ଅବସର ଘୋଷଣା କରି ରାଜନୀତିରେ କ୍ୟାରିୟର ଆରମ୍ଭ କରିଛନ୍ତି । କଂଗ୍ରେସର ପ୍ରାର୍ଥୀ ଭାବେ ହରିୟାଣାର ଜୁଲାନା ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି ।