ଅହମ୍ମଦାବାଦ: 'ବାସୁକୀ' ସାପର ଜୀବାଶ୍ମ ଠାବ ! କୋଟି କୋଟି ବର୍ଷ ପୂର୍ବେ ପୃଥିବୀରେ ବିଶାଳକାୟ ସାପ ଅର୍ଥାତ ପାଖାପାଖି 50 ଫୁଟ ଲମ୍ବର ସାପ ବିଚରଣ କରୁଥିବା ଜଣାପଡିଛି ।ଗୁଜରାଟର କଚ୍ଛରୁ ଏହି ବିରାଟକାୟ ସାପର ଅବେଶେଷ ଉଦ୍ଧାର ହୋଇଛି । ବୈଜ୍ଞାନିକମାନେ ଏହାର ନାମ 'ବାସୁକୀ ଇଣ୍ଡିକସ୍' ବୋଲି ନାମକରଣ କରିଛନ୍ତି । ତେବେ ହିନ୍ଦୁ ପୁରାଣରେ ଏଭଳି ବିଶାଳକାୟ ସାପ ରହିଥିବା ନେଇ ବର୍ଣ୍ଣିତ ରହିଛି । ନାଗମାନଙ୍କ ରାଜା 'ବାସୁକୀ ନାଗ' ବିରାଟକାୟ ହୋଇଥିବା ନେଇ ହିନ୍ଦୁ ପୁରାଣରେ ଉଲ୍ଲେଖ ରହିଛି ।
ଗୁଜରାଟର କଚ୍ଛ ଜିଲ୍ଲାର ପାନ୍ଧ୍ରୋରେ ଲିଗନାଇଟ୍ ଖଣିରେ ଏହି ପୃଥିବୀର ସର୍ବବୃହତ ସାପର ଜୀବାଶ୍ମ ଉଦ୍ଧାର ହୋଇଛି । ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି, ରୁରକି (IITR) ର ଏକ ସାଇଣ୍ଟିଫିକ ରିପୋର୍ଟ ଜର୍ଣ୍ଣାଲରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି । ଏହି ଅଧ୍ୟୟନର ମୁଖ୍ୟ ଲେଖକ ଦେବଜିତ ଦତ୍ତ ଏହି ସମ୍ବନ୍ଧରେ ନିଜର ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟରେ ପୃଥିବୀର ସବୁଠୁ ବଡ ସାପର ଅବଶେଷ ଠାବ ହୋଇଥିବା ନେଇ ଦାବି କରାଯାଇଛି ।
କଚ୍ଛରୁ ଉଦ୍ଧାର ସାପର ଜୀବାଶ୍ମର ଅଧ୍ୟୟନରୁ ଜଣାପଡିଛି ଯେ, ଏହି ସାପର ଲମ୍ବ ପାଖାପାଖି 49 ଫୁଟ ଅର୍ଥାତ 15ମିଟର ହୋଇଥିବ । ଆଉମଧ୍ୟ ଏହା 47 ମିଲିୟନ ବର୍ଷ ତଳର ହୋଇଥିବା ନେଇ ଦାବି କରାଯାଉଛି । ସାପର ମେରୁଦଣ୍ଡର ମାତ୍ର 27 ପ୍ରତିଶତ ଏବେସୁଦ୍ଧା ମାଟି ତଳୁ ଉଦ୍ଧାର କରାଯାଇଥିବା ରିପୋର୍ଟରେ କୁହାଯାଇଛି । ଏହାର ନାମକରଣ 'ବାସୁକୀ ଇଣ୍ଡିକସ୍' ରଖାଯାଇଛି । ରୁରକୀ ଆଇଆଇଟିର 2ଜଣ ବିଶେଷଜ୍ଞ ଦେବଜିତ ଦତ୍ତ ଓ ସୁନିଲ ବାଜପେୟୀଙ୍କ ଦ୍ୱାରା ପ୍ରକାଶିତ ବିଜ୍ଞାନ ପତ୍ରିକା 'ସାଇଟିଫିକ ରିପୋର୍ଟ୍ସ' ରେ ଏନେଇ ତଥ୍ୟ ଜାରି କରାଯାଇଛି ।
27ଟି ମେରୁଦଣ୍ଡ ଜୀବାଶ୍ମ ଉଦ୍ଧାର: ବୈଜ୍ଞାନିକମାନଙ୍କ କହିବାନୁଯାୟୀ, 2005ରେ ସେହି ଖଣିରୁ 27ଟି ମେରୁଦଣ୍ଡ ଜୀବାଶ୍ମ ଉଦ୍ଧାର ହୋଇଥିଲା । ଏହି ମେରୁଦଣ୍ଡଗୁଡିକର ପରୀକ୍ଷା ପରେ ଜଣାପଡିଛି ଯେ, ଏହି ଜୀବାଶ୍ମ ପୁରାଣରେ ବର୍ଣ୍ଣିତ ବାସୁକୀ ନାଗ ଭଳି ଅଟେ । ଯାହା ପାଖାପାଖି 47 ମିଲିୟନ ବର୍ଷ ପୂର୍ବରୁ ପୃଥିବୀରେ ବିଚରଣ କରୁଥିଲା ।