ନୂଆଦିଲ୍ଲୀ:ଭାରତରେ ବୁଲାବୁଲି ନ କରିବାକୁ ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରୀ ଜାରି କଲା ଆମେରିକା । ମଣିପୁର ଓ ଜମ୍ମୁ-କାଶ୍ମୀର ଭଳି ଅନେକ ଅଞ୍ଚଳକୁ ଯାତ୍ରା ନ କରିବାକୁ ଆମେରିକାବାସୀଙ୍କୁ ବାରଣ କରାଯାଇଛି । କାରଣ ଏହିସବୁ ଅଞ୍ଚଳରେ ନାଗରିକଙ୍କ ଜୀବନ ପ୍ରତି ବିପଦ ରହୁଛି । ହିଂସାତ୍ମକ ଅପରାଧ ଓ ଆତଙ୍କବାଦୀ ଆକ୍ରମଣର ଭୟ ରହୁଥିବାରୁ ଟ୍ରାଭେଲ ଆଡଭାଇଜାରୀରେ ମଣିପୁର, ଜମ୍ମୁକାଶ୍ମୀର, ଭାରତ-ପାକିସ୍ତାନୀ ସୀମା ଏବଂ ମଧ୍ୟ ଓ ପୂର୍ବ ଭାରତର କିଛି ଅଞ୍ଚଳରେ ଯାତ୍ରା ନକରିବାକୁ ଆମେରିକା ଲୋକଙ୍କୁ ସତର୍କ କରାଯାଇଛି ।
କାହିଁକି ଭାରତ ବୁଲିବାକୁ ବାରଣ କଲା ଆମେରିକା ?
ଟ୍ରାଭେଲ ଆଡଭାଇଜରୀରେ କୁହାଯାଇଛି ଯେ, ଭାରତୀୟ ଅଧିକାରୀଙ୍କ ରିପୋର୍ଟ ଅନୁସାରେ ଦେଶରେ ଦୁଷ୍କର୍ମ ମାମଲା ସବୁଠୁ ଅଧିକ ବଢିଚାଲିଛି । ପର୍ଯ୍ୟଟନସ୍ଥଳୀ ଏବଂ ଅନ୍ୟାନ୍ୟ ସ୍ଥାନରେ ଯୌନ ନିର୍ଯାତନା, ହିଂସା, ଆକ୍ରମଣ ଘଟୁଛି । ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ବୃଦ୍ଧି ପାଉଛି । ଆତଙ୍କବାଦୀମାନେ ପର୍ଯ୍ୟଟନୀସ୍ଥଳୀ, ପରିବହନ ହବ୍, ମାର୍କେଟ ଓ ସପିଂ ମଲ୍ଗୁଡିକୁ ଟାର୍ଗେଟ କରୁଛନ୍ତି । ଏହି କାରଣରୁ ମୁଖ୍ୟତଃ ଭାରତର ଉତ୍ତରପୂର୍ବ ରାଜ୍ୟ ମଣିପୁର ଓ ଜମ୍ମୁ-କାଶ୍ମୀର ବୁଲିବାକୁ ନଯିବାକୁ ନାଗରିକମାନଙ୍କୁ ସତର୍କ କରାଯାଉଛି ।
ଏହିସବୁ ସ୍ଥାନରେ ବୁଲିବା ମନା:
- ଆତଙ୍କବାଦୀ ଭୟ ଥିବାରୁ ଜମ୍ମୁ-କାଶ୍ମୀର ଯାତ୍ରା ନକରିବାକୁ ବାରଣ
- ସାମରିକ ଉତ୍ତେଜନା ପାଇଁ ଭାରତ-ପାକିସ୍ତାନର ସୀମାର ୧୦ କିମି ମଧ୍ୟରେ ବୁଲିବା ମନା
- ଆତଙ୍କୀ ଗତିବିଧି ପାଇଁ ମଧ୍ୟ ଓ ପୂର୍ବ ଭାରତର କିଛି ସ୍ଥାନକୁ ବାରଣ
- ହିଂସା ଓ ଅପରାଧ ଲାଗି ମଣିପୁର ବାରଣ