ଲକ୍ଷ୍ନୌ:ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା ରଖି ଅନୁପ୍ରବେଶ କରୁଥିବା ଏକାଧିକ ପାକିସ୍ତାନୀ ଆତଙ୍କୀଙ୍କୁ ଗିରଫ କଲା ଉତ୍ତର ପ୍ରଦେଶ ପୋଲିସ ସ୍ପେଶାଲ ଟାକ୍ସଫୋର୍ସ (ଏଟିଏସ) । ପାକିସ୍ତାନୀ ସମର୍ଥିତ ଦୁଇ ଆତଙ୍କବାଦୀଙ୍କ ସମେତ ମୋଟ ତିନିଜଣଙ୍କୁ ଆଜି ନେପାଳ-ଭାରତ ଅନ୍ତର୍ଜାତୀୟ ସୀମାରୁ ଗିରଫ କରାଯାଇଛି । ଏମାନେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ ଯୋଗାଯୋଗରେ ଥିଲେ । କୌଣସି ଆତଙ୍କବାଦୀ ଆକ୍ରମଣକୁ ରୂପ ଦେବା ପାଇଁ ନେପାଳରୁ ଭାରତ ସୀମାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଗୁଇନ୍ଦା ସୂତ୍ରରୁ ଖବର ପାଇ ଉତ୍ତର ପ୍ରଦେଶ ଏଟିଏସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।
କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଉତ୍ତର ପ୍ରଦେଶ ଏଟିଏସ ଆଇଜି କହିଛନ୍ତି, କିଛି ପାକିସ୍ତାନୀ ସମର୍ଥିତ ଆତଙ୍କବାଦୀ ଭାରତରେ ଆକ୍ରମଣ ଉଦ୍ଦେଶ୍ୟରେ ନେପାଳ ସୀମାରୁ ଅନୁପ୍ରବେଶ କରିବା ଯୋଜନାରେ ଥିବା ଇନପୁଟ ସୂଚନା ମିଳିଥିଲା । ଏଟିଏସର ଗୋରଫପୁର ୟୁନିଟ ପକ୍ଷରୁ ଇଣ୍ଡୋ-ନେପାଳ ସୀମାର ସମସ୍ତ ଚେକପୋଷ୍ଟରେ ସୁରକ୍ଷା ବଢାଯିବା ସହ ଚେକିଂ କରାଯାଇଥିଲା । ଏହି ଅଭିଯାନରେ ମୋଟ 3ଜଣ ଆତଙ୍କୀଙ୍କୁ ଗିରଫ କରିବାରେ ସଫଳତା ମିଳିଛି । ଏମାନଙ୍କ ମଧ୍ୟରେ ଦୁଇ ପାକିସ୍ତାନୀ ନାଗରିକ ଓ ଜଣେ କାଶ୍ମୀର ବାସିନ୍ଦାଙ୍କୁ ଗିରଫ କରାଯାଇଛି । ଏହି ଦୁଇ ପାକିସ୍ତାନୀ ନାଗରିକ ଅଲତାଫ ଭଟ୍ଟ ଓ ସଏଦ ଗଜନଫର ଭାବେ ଚିହ୍ନଟ ହୋଇଛନ୍ତି । ସେହିପରି ତୃତୀୟ ସନ୍ଦିଗ୍ଧ ଜଣେ ଭାରତୀୟ ନାଗରିକ ଓ ସେ କଶ୍ମୀର ବାସିନ୍ଦା ନାସିଲ ଅଲ୍ଲୀ ଭାବେ ଚିହ୍ନଟ ହୋଇଛି ।