ନୂଆଦିଲ୍ଲୀ:ଚଣ୍ଡିଗଡ ମେୟର ନିର୍ବାଚନରେ ଟ୍ୟାମ୍ପରିଂ ମାମଲାରେ ଆଜି ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପୂର୍ବ ନିର୍ବାଚନୀ ଫଳାଫଳକୁ ଅସିଦ୍ଧ ଘୋଷଣା କରିବା ସହ କୋର୍ଟ ଆଜି ‘ଆମ ଆଦମୀ ପାର୍ଟି’ର ପ୍ରାର୍ଥୀଙ୍କୁ ବିଜେତା ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି କାଉନସିଲର କୁଲଦୀପ କୁମାର ଚଣ୍ଡିଗଡର ନୂଆ ମେୟର ହୋଇଛନ୍ତି । ଏହି ରାୟ ପାଇଁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ‘ଆମ ଆଦମୀ ପାର୍ଟି’ ପ୍ରତିଷ୍ଠାତା ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲ । ଏପରି କଠିନ ସମୟରେ ସର୍ବୋଚ୍ଚକୋର୍ଟଙ୍କ ରାୟ ଆସିଛି । ଏହା ଗଣତନ୍ତ୍ରକୁ ବଞ୍ଚାଇବା ପରି ରାୟ ବୋଲି କେଜ୍ରିଓ୍ବାଲ କହିଛନ୍ତି ।
ରାୟ ପ୍ରକାଶ ପାଇବା ପରେ ଆମ ଆଦମୀ ପାର୍ଟି କାର୍ଯ୍ୟକର୍ତ୍ତା ଦିଲ୍ଲୀ ଓ ପଞ୍ଜାବ ସମେତ ବିଭିନ୍ନ ସ୍ଥାନରେ ଉତ୍ସବ ପାଳନ କରିଛନ୍ତି । ଟ୍ବିଟ୍ କରି କେଜ୍ରିଓ୍ବାଲ ଲେଖିଛନ୍ତି, ‘‘ଏପରି କଠିନ ସମୟରେ ଗଣତନ୍ତ୍ରକୁ ବଞ୍ଚାଇଥିବାରୁ ସୁପ୍ରିମକୋର୍ଟଙ୍କୁ ଧନ୍ୟବାଦ’’ । ତେବେ ଏହି ମାମଲାରେ ନିର୍ବାଚନ ଅଧିକାରୀ ଥିବା ଅନିଲ ମିଶିଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 8 ବାଲାଟ ପେପର ନଷ୍ଟ କରି ଭୋଟିଂକୁ ଟ୍ୟାମ୍ପରିଂ କରିବା ଓ କୋର୍ଟଙ୍କ ସମ୍ମୁଖରେ ମିଛ ବୟାନ ଦେବା ମାମଲାରେ ସିଆରପିସି ଧାରା-340 ଅନୁସାରେ ଅନିଲଙ୍କ ବିରୋଧରେ ନୋଟିସ ଜାରି କରାଯାଇଛି । ଅପରାହ୍ନରେ କୋର୍ଟଙ୍କ ରାୟ ଆସିବା ପରେ ସଂଧ୍ୟାରେ ଆମ ଆଦମୀ ପାର୍ଟି କାଉନସିଲର କୁଳଦୀପ କୁମାର ଚଣ୍ଡିଗଡ ସହରର ନୂଆ ମେୟର ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ :- ଶିଖ୍ ପୋଲିସ ଅଧିକାରୀଙ୍କୁ ଖଲିସ୍ତାନୀ ଆକ୍ଷେପ ! ବିଜେପି ଉପରେ ବର୍ଷିଲେ ମମତା