ନୂଆଦିଲ୍ଲୀ:ଦଳୀୟ ସାଂସଦ ସ୍ବାତୀ ମାଲିଓ୍ବାଲ ଆପ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଘନିଷ୍ଠ ସହଯୋଗୀଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ କରିବା ପରେ ଦଳରେ ଅଡୁଆ ବଢିବାରେ ଲାଗିଛି । ଅଭିଯୁକ୍ତ ବିଭବ କୁମାରଙ୍କୁ ଦିଲ୍ଲୀ ପୋଲିସ ଆଜି ହେପାଜତକୁ ନେଇଛି । ଏହାରି ମଧ୍ୟରେ ନିଜକୁ ଡିଫେଣ୍ଡ କରିବାକୁ ଯାଇ ଆମ ଆଦମୀ ପାର୍ଟି ମଧ୍ୟ ଏବେ ଏକ ଭିଡିଓ ଟ୍ବିଟ ମାଧ୍ୟମରେ ସାମ୍ନାକୁ ଆଣିଛି । ଯେଉଁଥିରେ ଘଟଣା ଦିନର ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ବାସଭବନର ସିସିଟିଭି ଫୁଟେଜ ରହିଛି । ଯେଉଁଥିରେ ସ୍ବାତୀଙ୍କୁ ସୁରକ୍ଷାକର୍ମୀମାନେ ଧରି ନେଇ ବାହାରେ ଛାଡୁଛନ୍ତି । ତାଙ୍କ ସହ କୌଣସି ପ୍ରକାର ଦୁର୍ବ୍ୟବହାର କିମ୍ବା ବଳପ୍ରୟୋଗ ପରି ଘଟଣା ହୋଇନଥିବା ଓ ସେ ମିଛ କହୁଥିବା କହିଛି ଦଳ । ଭିଡିଓ ଜାରି ପରେ ଦଳର ବରିଷ୍ଠ ନେତ୍ରୀ ତଥା କେଜ୍ରିଓ୍ବାଲଙ୍କ କ୍ୟାବିନେଟ ସହଯୋଗୀ ଆତିଶୀ କହିଛନ୍ତି, ବିଜେପି ଦଳର ମୋହରା ସାଜିଛନ୍ତି ।
ଆଜି ଦଳର ‘ଏକ୍ସ’ ହ୍ୟାଣ୍ଡେଲରେ ଏକ ଭିଡିଓ ପୋଷ୍ଟ କରାଯାଇଛି । ଏହା ସ୍ବାତୀ ମାଲିଓ୍ବାଲଙ୍କ ଅଭିଯୋଗ ସମ୍ପର୍କିତ । ଭିଡିଓରେ ଦେଖିବାକୁ ମିଳୁଛି, ସ୍ବାତୀଙ୍କୁ କିଛି ମହିଳା ସୁରକ୍ଷାକର୍ମୀ ଧରି ବାସଭବନ ବାହାରକୁ ନେଉଛନ୍ତି । ଏକାଧିକ କ୍ୟାମେରାରେ ସ୍ବାତୀଙ୍କୁ ନିଆଯାଉଥିବା ଦୃଶ୍ୟ କଏଦ ହୋଇଛି । ସୁରକ୍ଷାକର୍ମୀମାନେ ସ୍ବାତୀଙ୍କୁ ଧରି ବାସଭବନ ବାହାରେ ଛାଡୁଛନ୍ତି । ସେଠାରେ ମଧ୍ୟ ପୋଲିସ କର୍ମୀ ଉପସ୍ଥିତ ରହିଛନ୍ତି । ପରେ ସ୍ବାତୀ ଗୋଡରେ ଆଘାତ ଲାଗିଥିବା ମୁଦ୍ରାରେ ବାହାରୁଥିବା ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି । ଆମ ଆଦମୀ ପାର୍ଟି ଏହାକୁ ସ୍ବାତୀଙ୍କ ମିଛ ଅଭିଯୋଗ ବୋଲି କହିଛି । ଦିଲ୍ଲୀ ମନ୍ତ୍ରୀ ଅତିଶୀ ସିଧା ଏହି ଘଟଣା ପାଇଁ ବିଜେପିକୁ ଦାୟୀ କରିଛନ୍ତି । ସ୍ବାତୀ ବିଜେପିର ମୋହରା ସାଜି ଏପରି ଅଭିଯୋଗ ଆଣିଥିବା କହିଛନ୍ତି ଅତିଶି ।