ନୂଆଦିଲ୍ଲୀ:କୁହାଯାଏ ଧରାପୃଷ୍ଠରେ ଭଗବାନ ହେଉଛନ୍ତି ଡାକ୍ତର । ଏମାନେ କେବଳ ଜୀବନ ବଞ୍ଚାନ୍ତି ତାହା ନୁହେଁ ବରଂ ବେଳେବେଳେ ଏଭଳି ଚମତ୍କାର କରନ୍ତି ତାହା ବିଶ୍ବାସ କରିବା ମଧ୍ୟ କଷ୍ଟକର ହୋଇଯାଏ । ହାର୍ଟ, କିଡନୀ, ଯକୃତ ଭଳି ଅଙ୍ଗର ପ୍ରତିରୋପଣ ବିଷୟରେ ଆପଣ ଶୁଣିଥିବେ, ହେଲେ ହାତ ପ୍ରତିରୋପଣ ବିଷୟରେ ଆପଣ କେବେ ଶୁଣିଛନ୍ତି କି? ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଚମତ୍କାର କରିଛନ୍ତି । ନୂଆ ହାତ ଲଗାଇ ନୂଆ ଜୀବନ ଦେଇଛନ୍ତି ।
କଣ ପୂରା ଘଟଣା:2020 ମସିହା ଟ୍ରେନ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ହାତ କଟି ଯାଇଥିଲା । ଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲରେ 45 ବର୍ଷୀୟ ବ୍ୟକ୍ତିଙ୍କର ହାତ ପ୍ରତିରୋପଣ କରାଯାଇଛି । ଡାକ୍ତର ନିଖିଲ ଝିନଝୁନଓ୍ବାଲାଙ୍କ ନେତୃତ୍ବରେ ଡାକ୍ତରୀ ଟିମ୍ ଏହା କରି ଦେଖାଇବାରେ ସଫଳ ହୋଇଛନ୍ତି । ବ୍ରେନ ହାମରେଜରେ ପୀଡିତ 61 ବର୍ଷୀୟ ମହିଳାଙ୍କ ଅଙ୍ଗ ଦାନ ହେତୁ ମୋଟ 3 ଜଣଙ୍କୁ ନୂଆ ଜୀବନ ମିଳିଥିବା କହିଛନ୍ତି ଡାକ୍ତର ।
ଦିଲ୍ଲୀରେ ପ୍ରଥମ ହାତ ପ୍ରତିରୋପଣ ଘଟଣା:ଦିଲ୍ଲୀରେ ଏହା ପ୍ରଥମ ଘଟଣା ବୋଲି ଡାକ୍ତରମାନେ ଦାବି କରିଛନ୍ତି । ଗଙ୍ଗାରାମ ହସ୍ପିଟାଲର ପ୍ଲାଷ୍ଟିକ ସର୍ଜରୀ ବିଭାଗ ଚେୟାରମ୍ୟାନ ଡାକ୍ତର ମହେଶ ମଙ୍ଗଳ ଏବଂ ଡାକ୍ତର ନିଖିଲ ଝିନଝୁନଓ୍ବାଲାଙ୍କ ସମେତ ଅନେକ ଡାକ୍ତର 12 ଘଣ୍ଟା ଧରି ଅସ୍ତ୍ରପୋଚାର କରିଥିଲେ । ତେବେ ଏହା ସଫଳ ହେବା ପରେ ରୋଗୀ ମଧ୍ୟ ଚଳପ୍ରଚଳ କରିବାରେ ସକ୍ଷମ ହୋଇପାରିଛି । ହାତରେ ରକ୍ତ ସଞ୍ଚାଳନ ମଧ୍ୟ ସଠିକ ଭାବେ ହେଉଥିବା ଡାକ୍ତରମାନେ କହିଛନ୍ତି ।