ଥିରୁଅନନ୍ତପୁରମ: କେରଳରବହୁଚର୍ଚ୍ଚିତ ଶରୁଣ ରାଜ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ 24 ବର୍ଷୀୟା ଯୁବତୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ସ୍ଥାନୀୟ କୋର୍ଟ । ଦୋଷୀ ଯୁବତୀ ହେଉଛନ୍ତି, ହତ୍ୟାର ଶିକାର ହୋଇଥିବା ଶରୁଣଙ୍କ ବାନ୍ଧବୀ ଗ୍ରୀଷ୍ମା । ଗତ ସପ୍ତାହରେ ମୁଖ୍ୟ ଅଭିଯୁକ୍ତ ଗ୍ରୀଷ୍ମା ଓ ତାଙ୍କର ଜଣେ ସମ୍ପର୍କୀୟଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ । ଆଜି ନେୟାତିନକାରା ସତ୍ର ନ୍ୟାୟାଳୟ ମାମଲାର ଦଣ୍ଡ ବିଧାନ କରିଛନ୍ତି । ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡ ସହ ଅପହରଣ ଓ ପ୍ରମାଣ ନଷ୍ଟ କରିବା ଉଦ୍ଦେଶ୍ୟରେ ତାଙ୍କୁ ଓ ତାଙ୍କର ସମ୍ପର୍କୀୟଙ୍କୁ ପୃଥକ 10 ବର୍ଷ ଓ 5 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।
- 2ବର୍ଷରେ ରାୟ
ହତ୍ୟାକାଣ୍ଡ ଭିଆଇଥିବା ବେଳେ ଦୋଷୀ ଗ୍ରୀଷ୍ମାଙ୍କ ବୟସ 22 ବର୍ଷ ଥିଲା । ଆଜି ଶୁଣାଣି ସମୟରେ ତାଙ୍କ ଓକିଲ କୋର୍ଟଙ୍କ ସମ୍ମୁଖରେ ଏହି ଯୁକ୍ତି ରଖିଥିଲେ । ଗ୍ରୀଷ୍ମାଙ୍କର ତରୁଣ ବୟସ ଓ ପୂର୍ବ ଅପରାଧିକ ରେକର୍ଡ ନଥିବା କାରଣରୁ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାନଯାଉ ବୋଲି ଦାବି କରିଥିଲେ ତାଙ୍କ ଓକିଲ । ମାତ୍ର କୋର୍ଟ ଏହି ତର୍କକୁ ଅଗ୍ରାହ୍ୟ କରିଦେଇଥିଲେ । ମାମଲାକୁ ଅତିଜଘନ୍ୟ ବା ବିରଳରୁ ବିରଳତମ ବୋଲି ବର୍ଣ୍ଣନା କରିବା ସହ କୋର୍ଟ ଦୋଷୀର ବୟସ ବିଚାରଯୋଗ୍ୟ ନୁହେଁ ବୋଲି କହିଥିଲେ । ମୁଖ୍ୟ ଅଭିଯୁକ୍ତ ଗ୍ରୀଷ୍ମାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଛି । ସେହିପରି ସେ ଓ ତାଙ୍କର ଜଣେ ସମ୍ପର୍କୀୟ ନିର୍ମଳ କୁମାରନ ନାଏରଙ୍କୁ ଅପହରଣ ପାଇଁ 10 ବର୍ଷ ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ 5 ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ ଓ ଦୁଇ ଲକ୍ଷ ଜୋରିମାନାରେ ମଧ୍ୟ ଦଣ୍ଡିତ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ:- କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ଦୋଷୀ ସଞ୍ଜୟ ରାୟକୁ ଆଜୀବନ ଜେଲ୍ |