ନୂଆଦିଲ୍ଲୀ: ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ‘ଇଶା ଫାଉଣ୍ଡେସନ’ର ପ୍ରତିଷ୍ଠାତା ସଦଗୁରୁ ଜାଗି ବାସୁଦେବଙ୍କର ବ୍ରେନ ସର୍ଜରୀ କରାଯାଇଛି । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଏହି ଏମରେଜେନ୍ସି ଅପରେସନ ଶେଷ ହୋଇଥିବା ଜଣାପଡିଛି । ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି । ମୁଣ୍ଡରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହେବା କାରଣରୁ ସେ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କ ସର୍ଜରୀ ଶେଷ ହୋଇଛି । ସେ ଏବେ କିଛି ଦିନ ଡାକ୍ତରୀ ନିରୀକ୍ଷଣରେ ରହିବେ । ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଫୋନ ଯୋଗେ ସଦଗୁରୁଙ୍କ ସହ କଥା ହୋଇ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।
ଇଶା ଫଉାଣ୍ଡେସନ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଦିଲ୍ଲୀର ଆପୋଲ ହସ୍ପିଟାଲର ବିଶିଷ୍ଟ ନ୍ୟୁରୋଲୋଜିଷ୍ଟ ଡାକ୍ତର ବିନିତ ସୁରୀ ସଦଗୁରୁଙ୍କୁ ଗତ କିଛି ଦିନ ହେବ ଚିକିତ୍ସା କରୁଥିଲେ । ଗତ କିଛି ସପ୍ତାହ ଧରି ତାଙ୍କ ମୁଣ୍ଡରେ ନିୟମିତ ଯନ୍ତ୍ରଣା ହେଉଥିଲା । ଏମଆରଆଇ ଟେଷ୍ଟରେ ତାଙ୍କ ମସ୍ତିସ୍କରେ ରକ୍ତସ୍ରାବ ହୋଇଥିବା ଓ ସର୍ଜରୀର ଆବଶ୍ୟକତା ଥିବା ଡାକ୍ତରୀ ଟିମ ଅବଗତ କରିଥିଲେ । ଡାକ୍ତରଙ୍କ ପରାମର୍ଶକ୍ରମେ ଆଜି ଅପରାହ୍ନରେ ଏହି ଅପରେସନ ଶେଷ ହୋଇଛି ।