ନୂଆଦିଲ୍ଲୀ: ଦେଶର ସାହିତ୍ୟ, ସଂସ୍କୃତି, ପ୍ରଥା ପରମ୍ପରା, ପ୍ରତିରକ୍ଷା, ବିଭିନ୍ନତାରେ ଏକତାକୁ ସାରା ବିଶ୍ୱବାସୀଙ୍କୁ ଦେଖାଇଛି କର୍ତ୍ତବ୍ୟ ପଥ । ଜାତୀୟ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ପାଳନ ହୋଇଛି ୭୬ ତମ ସାଧାରଣତନ୍ତ୍ର ଦିବସ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଶର ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ସାମିଲ ହୋଇଛନ୍ତି ।
କର୍ତ୍ତବ୍ୟ ପଥରେ ଉଡିଲା ତ୍ରିରଙ୍ଗା:
ଆଜି ଦେଶ ପାଳୁଛି 76ତମ ସାଧାରଣତନ୍ତ୍ର ଦିବସ । ନୂଆଦିଲ୍ଲୀ ସ୍ଥିତ କର୍ତ୍ତବ୍ୟ ପଥରେ ଜାତୀୟ ସ୍ତରୀୟ ଗଣତନ୍ତ୍ର ଦିବସ ପାଳନ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ତ୍ରିରଙ୍ଗା ଉତ୍ତୋଳନ କରିଥିଲେ ରାଷ୍ଟ୍ରପତି । ୨୧ ତୋପର ସଲାମୀ ସହ ଆରମ୍ଭ ହୋଇଥିଲା ଗଣତନ୍ତ୍ର ଦିବସର ପାଳନ । ଏହି ଅବସରରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରାବୋଓ୍ବୋ ସୁବିଆଣ୍ଟୋ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ପ୍ରମୁଖ ସାମିଲ ହୋଇଛନ୍ତି । ହଜାର ହଜାର ଜନତା କର୍ତ୍ତବ୍ୟ ପଥରେ ଭାରତର ସଂସ୍କୃତି, ପରାକ୍ରମ, ବୀରତ୍ୱର ସାକ୍ଷୀ ବନିଛନ୍ତି ।
କର୍ତ୍ତବ୍ୟ ପଥରୁ ବିଶ୍ୱ ଦେଖିଲା ଭାରତର ସୈନ୍ୟ ଶକ୍ତି ଓ ପରାକ୍ରମର ଝଲକ:
ଆଜି ସକାଳ ୧୦.୩୦ରେ କର୍ତ୍ତବ୍ୟ ପଥରୁ ଲାଲକିଲ୍ଲା ପର୍ଯ୍ୟନ୍ତ ପରେଡ ପ୍ରଦର୍ଶନ ହୋଇଥିଲା ।ଏଥିରେ ଦେଶର ଉଭୟ ସାଂସ୍କୃତିକ ସମୃଦ୍ଧି ଓ ପ୍ରତିରକ୍ଷା ଶକ୍ତି ପ୍ରଦର୍ଶିତ ହୋଇଥିଲା । ପାଖାପାଖି ୧୦ ହଜାର ନିମନ୍ତ୍ରିତ ଅତିଥି କର୍ତ୍ତବ୍ୟ ପଥରେ ପରେଡ ଦେଖିଥିଲେ । ଏଥିରେ ସଶସ୍ତ୍ର ବଳ, ପାରା-ମିଲିଟାରୀ ଫୋର୍ସ, ସିଭିଲ ଫୋର୍ସ, ଏନସିସି,ଏଏସଏସ ସଦସ୍ୟ ସାମିଲ ହୋଇଥିଲେ । ଇଣ୍ଡୋନେସିଆ ମିଲିଟାରୀ ଏକାଡେମୀର ମିଲିଟାରୀ ବ୍ୟାଣ୍ଡ୍, ୩୦୦- ଜଣିଆ କଳାକାର, ଗହଓ୍ବାଲ ରାଇଫଲ ରେଜିମେଣ୍ଟ, ଭାରତୀୟ ବାୟୁସେନା ବ୍ୟାଣ୍ଡ୍, ୧୪୮- ମହିଳା ସିଆରପିଏଫ ଟିମ୍, ଇଣ୍ଡୋନେସିଆ ଜାତୀୟ ସଶସ୍ତ୍ର ବଳ (TNI), ଭାରତୀୟ ନୌସେନା ପ୍ରମୁଖ ପରେଡ ପ୍ରଦର୍ଶନ କରିଥିଲେ । ଚଳିତ ବର୍ଷର ପରେଡର ଥିମ ରହିଛି, "ସ୍ୱର୍ଣ୍ଣିମ ଭାରତ: ବିରାସତ(ଐତିହ) ଓ ବିକାଶ ।"
ଆକାଶରୁ ପୁଷ୍ପବର୍ଷା:
୧୨୯ ହେଲିକପ୍ଟର ୟୁନିଟର Mi-17 IV ହେଲିକପ୍ଟର ଆକାଶ ମାର୍ଗରେ ଜାତୀୟ ପତାକା ଓ ନୌସେନା, ବାୟୁସେନା ଓ ସ୍ଥଳସେନାର ପତାକା ଉଡାଇ କର୍ତ୍ତବ୍ୟ ପଥରେ ପୁଷ୍ପ ବର୍ଷା କରିଥିଲା । ଏଥିସହ ୩୦୦ କଳାକାରଙ୍କ ସହ ଆରମ୍ଭ ହୋଇଥିଲା ଗଣତନ୍ତ୍ର ଦିବସର ପରେଡ ପ୍ରଦର୍ଶନ । ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ୩୦୦ କଳାକାରଙ୍କ ଦ୍ୱାରା ସ୍ୱଦେଶୀ ବାଦ୍ୟଯନ୍ତ୍ର ବଜାଯାଇଥିଲା । ପରେଡରେ ଇଣ୍ଡୋନେସିଆ ସୈନ୍ୟବଳ ମଧ୍ୟ ସାମିଲ ହୋଇଥିଲେ ।
ଅନ୍ୟପଟେ ଭାରତୀୟ ସେନା କର୍ତ୍ତବ୍ୟ ପଥରେ ନିଜ ପ୍ରତିରକ୍ଷା ଶକ୍ତି ପ୍ରଦର୍ଶନ କରିଥିଲେ । ସ୍ୱଦେଶୀ ଜ୍ଞାନକୌଶଳ ଓ ଆଡଭାନ୍ସ ଟେକ୍ନୋଲୋଜିରେ ନିର୍ମିତ ସୁପର ସୋନିକ ମିସାଇଲ 'ବ୍ରହ୍ମୋସ', ପିନାକ ରକେଟ ସିଷ୍ଟମ, ଆକାଶ ବାୟୁ ପ୍ରତିରକ୍ଷା ସିଷ୍ଟମ ପ୍ରଦର୍ଶିତ ହୋଇଥିଲା । ସେନାର ଯୁଦ୍ଧ ନିରୀକ୍ଷଣ ସିଷ୍ଟମ ସଞ୍ଜୟ ଓ ଡିଆରଡିଓର ପ୍ରଳୟ ମିସାଇଲ ମଧ୍ୟ ପରେଡରେ ପ୍ରଦର୍ଶନ ହୋଇଥିଲା । T-90 ଭୀଷ୍ମ ଟ୍ୟାଙ୍କ୍, ପରିବହନ ଗାଡି ସାରଥ, ନାଗ ମିସାଇଲ ସିଷ୍ଟମ ପ୍ରମୁଖ କର୍ତ୍ତବ୍ୟ ପଥରୁ ଦେଶର ସାମରିକ ଶକ୍ତିକୁ ପ୍ରଦର୍ଶନ କରିଥିଲେ ।