ରାଞ୍ଚି:ଝାଡଖଣ୍ଡ ବିଧାନସଭା ଫ୍ଲୋରଟେଷ୍ଟରେ ଚମ୍ପଇ ସୋରେନଙ୍କ ସରକାର ବିଜୟୀ ହୋଇଛି । ୮୧ ସଦସ୍ୟ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ବହୁମତ ୪୧ ରହିଥିବା ବେଳେ, ଚମ୍ପାଇ ସରକାରଙ୍କୁ 47 ବିଧାୟକଙ୍କ ସମର୍ଥନ ମିଳିଛି । ସରକାରଙ୍କ ବିପକ୍ଷରେ 29 ଭୋଟ୍ ପଡ଼ିଥିଲା । ସ୍ବାଧୀନ ବିଧାୟକ ସରୟୁ ରାୟ ମତଦାନରେ ଅଂଶଗ୍ରହଣ କରିନଥିଲେ । ଏହାରି ଭିତରେ ପୂର୍ବତନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି। ହେମନ୍ତ ସୋରେନଙ୍କ ରାଞ୍ଚି ବାସଭବନରେ ଏହି ସାକ୍ଷାତ ହୋଇଥିଲା ।
କଳ୍ପନା ସୋରେନଙ୍କ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସାକ୍ଷାତକାରର ଫଟୋ ଏକ୍ସରେ ସେୟାର କରିଛି କଂଗ୍ରେସ ପାର୍ଟି । ପୋଷ୍ଟରେ ଲେଖା ହୋଇଛି, "ଆଜି ଝାଡଖଣ୍ଡରେ କଳ୍ପନା ସୋରେନଙ୍କ ସହିତ ରାହୁଲ ଗାନ୍ଧିଙ୍କର ମୁଲାକାତ ହୋଇଛି । ଆମେ ସମସ୍ତେ ଏକାଠି ହୋଇ ନ୍ୟାୟର ଲଢେଇ ଜାରି ରଖିବୁ । ଏହାସହିତ ଜନସାଧାରଣଙ୍କର ସ୍ବର ଉତ୍ତୋଳନ କରିବୁ । ଘୃଣା ହାରିବ, ଇଣ୍ଡିଆ ମେଣ୍ଟ ଜିତିବ ।"
ଅନ୍ୟପଟେ ରାହୁଲ ଗାନ୍ଧୀ କହିଛନ୍ତି, "ଆମେ ଭରତ ଯୋଡ ନ୍ୟାୟ ଯାତ୍ରାରେ ନ୍ୟାୟ ଶବ୍ଦକୁ ଅନ୍ତର୍ଭୁକ୍ତ କରିଛୁ । ଦେଶରେ ଏହାର ଅର୍ଥକୁ ଭଲ ଭାବେ ବୁଝାଯାଉଛି । ଆପଣଙ୍କ ସହିତ ଅନ୍ୟାୟ କରାଯାଉଛି । ଏହାର କାରଣ ମଧ୍ୟ ଆପଣ ଭଲ ଭାବେ ବୁଝି ପାରୁଥିବେ ।" ପ୍ରକାଶଥାଉକି, ଝାଡଖଣ୍ଡର ରାମଗଡ ଜିଲ୍ଲାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ ହୋଇଛି । ରାଜ୍ୟରେ ଯାତ୍ରାର ଆଜି ଚତୁର୍ଥ ଦିନ ହୋଇଥିବା ବେଳେ, ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନଙ୍କୁ ଭେଟିଛନ୍ତି ରାହୁଲ ଗାନ୍ଧି ।