ହାଇଦ୍ରାବାଦ: 2ଦିନିଆ ଫ୍ରାନ୍ସ ଗସ୍ତରେ ପ୍ୟାରିସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ AI ଆକ୍ସନ ସମ୍ମିଳନୀରେ ଯୋଗଦେଇ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ AI ଆକ୍ସନ ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ । ଗତକାଲି (ସୋମବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ପହଞ୍ଚିବା ପରେ ପ୍ରତିପକ୍ଷ ମାକ୍ରୋନ ତାଙ୍କୁ ବିମାନ ବନ୍ଦରରେ ଭବ୍ୟ ସ୍ବାଗତ କରିଥିଲେ ।
କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ନିୟମ ତିଆରି କ୍ଷେତ୍ରରେ ଆଲୋଚନା କରିବା ଏହି ବୈଠକର ମୁଖ୍ଯ ରଣନୀତି ରହିଛି । AI ସମ୍ମିଳନୀର ସହ-ଅଧ୍ୟକ୍ଷ ହେବା ପାଇଁ ଭାରତକୁ ଫ୍ରାନ୍ସର ନିମନ୍ତ୍ରଣ ନୂଆଦିଲ୍ଲୀର AI ପ୍ରତି ଆଭିମୁଖ୍ୟ ଏବଂ ନୂତନ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଅଗ୍ରଗତିକୁ ଦର୍ଶାଉଛି । ଚୀନ ପ୍ରଯୁକ୍ତିବିଦ୍ୟାରେ ବିଶ୍ବର ଅଗ୍ରଣୀ ଦେଶ ତାଲିକାରେ ଥିବା ବେଳେ ଭାରତର ଏହି ଆଭିମୁଖ୍ୟ ବେଶ ଗୁରୁତ୍ବ ରଖୁଛି । ଏପରି ସମୟରେ ଫ୍ରାନ୍ସର ଏହି ନିମନ୍ତ୍ରଣରେ ଭାରତର ଭାଗିଦାରୀ ଏବଂ ମୂଲ୍ୟବୋଧ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।
- AI ଆକ୍ସନ ସମ୍ମିଳନୀ:
AI ଆକ୍ସନ ସମ୍ମିଳନୀ ବିଶ୍ବ ପାଇଁ ବେଶ ଗୁରୁତ୍ବ ବହନ କରିବ । ଏହି ସମ୍ମିଳନୀରେ ବିଶ୍ବସ୍ତରୀୟ ନେତା ଏବଂ ବଡ଼ ବଡ଼ AI କମ୍ପାନୀଗୁଡିକର ଅଧ୍ୟକ୍ଷ ଅଂଶ ଗ୍ରହଣ କରିବେ । ଯାହା କୃତ୍ରିମ ବୁଦ୍ଧିମତ୍ତା (AI)ର ଭବିଷ୍ୟତ ବିଷୟରେ ଆଲୋଚନା ହେବ । ଏଥିରେ ନବସୃଜନ ଏବଂ ନୈତିକ ବିକାଶକୁ ଅଧିକ ଧ୍ୟାନ ଦିଆଯିବ । ତେବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଗୁରୁତ୍ବପୂର୍ଣ୍ଣ ଦ୍ବିପାକ୍ଷିକ ଆଲୋଚନା ହେବା କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ମୋଦି ରାଷ୍ଟ୍ରପତି ମାକ୍ରୋନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଏହି ଆଲୋଚନାରେ ଭାରତ-ଫ୍ରାନ୍ସର ରଣନୈତିକ ସମ୍ପର୍କକୁ ଆହୁରି ସଦୃଢ କରିବା ଉଦ୍ଦେଶ୍ୟରେ ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ବୈଦେଶିକ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।
- ପ୍ୟାରିସରେ ପ୍ରଧାନମନ୍ତ୍ରୀ ମୋଦି :
ଏନେଇ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ,"ରାଷ୍ଟ୍ରପତି ମାକ୍ରୋନଙ୍କ ନିମନ୍ତ୍ରଣ କ୍ରମେ ମୁଁ 10ରୁ 12 ଫେବୃଆରୀ ଯାଏଁ ଫ୍ରାନ୍ସ ଗସ୍ତ କରିବି । ପ୍ୟାରିସରେ ମୁଁ AI ଆକ୍ସନ ସମ୍ମିଳନୀର ସହ-ଅଧ୍ୟକ୍ଷ ହେବାକୁ ଅପେକ୍ଷା କରିଛି । ବିଶ୍ବନେତା ଏବଂ ବଡ଼ ବଡ଼ ବୈଶୟିକ କମ୍ପାନୀଗୁଡ଼ିକର ଅଧ୍ୟକ୍ଷଙ୍କ ସମାବେଶ ହେବ । ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ତଥା କୃତିମ ବୁଦ୍ଧିମତ୍ତା ସମ୍ପର୍କରେ ଆଲୋଚନ ହେବ । ଏହି ଶକ୍ତିଶାଳୀ ପ୍ରଯୁକ୍ତିବିଦ୍ୟା ଜନସାଧାରଣଙ୍କୁ ଉତ୍ତମ ସେବା ପ୍ରଦାନ କରିବ ।"
- 'ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟି ମୁଁ ଆନନ୍ଦିତ':
ପ୍ୟାରିସରେ AI ସମ୍ମିଳନୀର ସହ-ଅଧ୍ୟକ୍ଷ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ଭବ୍ୟ ସ୍ବାଗତ କରିଥିଲେ । ସେପଟେ ମୋଦି ଗତକାଲି ନିଜ ‘X’ରେ ପୋଷ୍ଟ କରି କହିଛନ୍ତି,"ପ୍ୟାରିସରେ ମୋର ବନ୍ଧୁ ରାଷ୍ଟ୍ରପତି ମାକ୍ରୋନଙ୍କୁ ଭେଟି ଆନନ୍ଦିତ ।" ସେହିପରି ରାତ୍ରିଭୋଜନରେ ପ୍ରଧାନମନ୍ତ୍ରୀ ଆମେରିକାର ଉପ-ରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ମଧ୍ୟ ଭେଟିଥିବା ସୂଚନା ମିଳିଛି । ଏହି ଗସ୍ତରେ ଦୁଇ ଦେଶର ଦ୍ୱିପାକ୍ଷିକ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଅଧିକ ଗୁରୁତ୍ବ ଦେଇଛନ୍ତି । ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଆଲୋଚନା 2047 ରୋଡମ୍ୟାପ୍ ଅଗ୍ରଗତିରେ ସହାୟକ ହେବ । ଭାରତ-ଫ୍ରାନ୍ସ ରଣନୈତିକ ଭାଗିଦାରୀକୁ ସୁଦୃଢ କରିବା ପାଇଁ ଏହା ଏକ ବ୍ୟାପକ ଯୋଜନା ହେବ ।’’