ଓଡିଶା

odisha

ETV Bharat / bharat

ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ସମୀକ୍ଷା କଲେ ଡିଜିପି ଖୁରାନିଆ, ଦିଲ୍ଲୀ ଯିବ ଓଡ଼ିଶା ପୋଲିସ ଟିମ୍

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ଅପଡେଟ । ଦିଲ୍ଲୀ ପୋଲିସ କମଶନରଙ୍କ ସହ କଥା ହେବା ସହ ଘଟଣାର ଅଗ୍ରଗତି ବୁଝିଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ।

By ETV Bharat Odisha Team

Published : Oct 15, 2024, 10:18 AM IST

Updated : Oct 15, 2024, 2:32 PM IST

ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଲେ ଡିଜିପି ଖୁରାନିଆ
ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲା; ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହେଲେ ଡିଜିପି ଖୁରାନିଆ (ETV Bharat Odisha)

ଭୁବନେଶ୍ବର:ଦିଲ୍ଲୀରେ ଓଡିଆ ଯୁବତୀଙ୍କୁ ଦୁଷ୍କର୍ମ ମାମଲାରେ ଦିଲ୍ଲୀ ପୋଲିସ କମିଶନରଙ୍କ ସହ କଥା ହୋଇଛନ୍ତି ପୋଲିସ ଡିଜି ଓ୍ବାଇ.ବି ଖୁରାନିଆ । ମାମଲାର ତଦନ୍ତ ସମ୍ପର୍କରେ ଡିଜିପି ଖୁରାନିଆ ଦିଲ୍ଲୀ କମିଶନରଙ୍କଠାରୁ ଅବଗତ ହୋଇଛନ୍ତି । ଗତକାଲି ଉଭୟ ଅଧିକାରୀଙ୍କ ମଧ୍ୟରେ ଏହି ଟେଲିଫୋନିକ ବାର୍ତ୍ତାଳାପ ହୋଇଛି । ଏହାରି ମଧ୍ୟରେ ଅନ୍ୟ ଏକ ବଡ ଅପଡେଟ ମଧ୍ୟ ସାମ୍ନାକୁ ଆସିଛି । ଓଡିଶା ପୋଲିସର ଏକ ଟିମ୍‌ ଦିଲ୍ଲୀ ଗସ୍ତ କରି ଏମ୍ସରେ ଚିକିତ୍ସାଧୀନ ଥିବା ପୀଡିତାଙ୍କୁ ଭେଟିବ ।

ରାଜ୍ୟ ମହିଳା ଓ ଶିଶୁ ଅପରାଧ ଶାଖା ଆଇଜି ଏସ. ସାଇନିଙ୍କ ନେତୃତ୍ବରେ ପୋଲିସ ଅଧିକାରୀଙ୍କ ଏକ ଟିମ୍‌ ଦିଲ୍ଲୀ ଗସ୍ତ କରିବ । ଏହି ଟିମ୍ ହସ୍ପିଟାଲରେ ପୀଡିତାଙ୍କୁ ସାକ୍ଷାତ କରି ତାଙ୍କ ସହ ଆଲୋଚନା କରିବା ସହ ଦିଲ୍ଲୀ ପୋଲିସ ସହ ସମନ୍ବୟ ରଖିବ । ମାମଲାର ତଦନ୍ତକୁ କ୍ରିୟାଶୀଳ କରିବା ପାଇଁ ଓଡିଶା ପୋଲିସ ଏହି ଟିମ୍‌ ପଠାଇବାକୁ ନିଷ୍ପତ୍ତି ନେଇଛି । ଅନ୍ୟପଟେ ଓଡିଶା ପୋଲିସ ପୀଡିତାଙ୍କ ପରିବାର ସଦସ୍ୟଙ୍କ ସହ ମଧ୍ୟ ଯୋଗାଯୋଗ କରିଛି । ପୋଲିସ ଟିମ୍‌ ସହ ପୀଡିତାଙ୍କ ପରିବାର ସଦସ୍ୟ ମଧ୍ୟ ଦିଲ୍ଲୀ ଯିବା ନେଇ ସୂଚନା ମିଳିଛି ।

  • ଦିଲ୍ଲୀ ପୋଲିସ ଦେଲା ସୂଚନା:-

ଦିଲ୍ଲୀ ପୋଲିସ କହିଛି, ଏକାଧିକ ଟିମ୍‌ ଗଠନ କରାଯାଇ ତଦନ୍ତ ଜାରି ରଖାଯାଇଛି । ପୀଡିତାଙ୍କ ବୟାନ ରେକର୍ଡ କରାଯିବାକୁ ପ୍ରୟାସ କରାଯାଉଛି । ସେ ଏବେ ବୟାନ ଦେବା ସ୍ଥିତିରେ ନାହାନ୍ତି । ତାଙ୍କ ବୟାନ ରେକର୍ଡ କରାଯିବା ପରେ, ସେହି ଆଧାରରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଦକ୍ଷିଣ-ପୂର୍ବ ଡିସିପି ରବି କୁମାର ସିଂ ଏହି ମାମଲା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,‘‘ ଅକ୍ଟୋବର 11 ତାରିଖ ପ୍ରାୟ 3.15 ସମୟରେ PCR କୁ କଲ ଆସିଥିଲା । ସରାଇ କାଲେ ଖାନ ଫ୍ଲାଇଓଭର ନିକଟରେ ଜଣେ ମହିଳା ଆହତ ହୋଇ ପଡ଼ିଛନ୍ତି । ସୂଚନା ପାଇବା ପରେ ପୋଲିସ ଟିମ୍ ତୁରନ୍ତ ଆଉଟ ରିଙ୍ଗ ରୋଡରେ ଘଟଣାସ୍ଥଳରେ ପହଞ୍ଚିଥିଲା । ସେଠାରେ 30ରୁ 35 ବର୍ଷ ବୟସ୍କା ମହିଳାଙ୍କୁ ଉଦ୍ଧାର କରାଯାଇଥିଲା । ପରେ ତାଙ୍କୁ ତୁରନ୍ତ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ଦିଲ୍ଲୀ ପୋଲିସ ଏହି ଘଟଣାକୁ ଅତି ଗମ୍ଭୀରତାର ସହ ନେଇଛି । ଏହି ମାମଲାରେ ସମସ୍ତ ଦିଗରୁ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ-ଯୁବତୀଙ୍କୁ ମାସ ମାସ ଧରି ଗଣଦୁଷ୍କର୍ମ କରୁଥିଲେ ୭ ଜଣ ଯୁବକ, ପୀଡିତା ୭ ମାସର ଗର୍ଭବତୀ - Woman Gang Raped

ଏହା ମଧ୍ୟ ପଢନ୍ତୁ-ରକ୍ଷକ ସାଜିଥିଲା ଭକ୍ଷକ, ନାବାଳିକା ଦୁଷ୍କର୍ମକାରୀ କନେଷ୍ଟବଳକୁ ଏଭଳି ସଜ୍ଜା ଶୁଣାଇଲେ କୋର୍ଟ - Minor Girl Rape Case

ରାସ୍ତାରୁ ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ହୋଇଥିଲେ ଯୁବତୀ:-

ଗତ ଶୁକ୍ରବାର ଭୋର ଦିଲ୍ଲୀର ସରାଇ କାଲେ ଖାନ ଅଞ୍ଚଳରେ ମହିଳାଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପୋଲିସ ପହଞ୍ଚି ମହିଳାଙ୍କୁ ଏମ୍ସରେ ଭର୍ତ୍ତି କରିଥିଲା । ପରେ ସେ ଦୁଷ୍କର୍ମର ଶିକାର ହୋଇଥିବା ଜଣାପଡିଥିଲା । ସେ ଏବେ ସେଠାରେ ଚିକିତ୍ସାଧୀନ ଅଛନ୍ତି । ଦିଲ୍ଲୀର ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଅନୁସାରେ, ୩୪ ବର୍ଷୀୟା ଯୁବତୀ ଜଣଙ୍କ ଓଡିଶାର ବାସିନ୍ଦା ହୋଇଥିବା ବେଳେ ଏକ ବର୍ଷ ହେବ ଦିଲ୍ଲୀରେ ରହୁଥିଲେ । ଦିଲ୍ଲୀର କାଟୱରିଆସାରରେ ଅନ୍ୟ ଜଣେ ଯୁବତୀଙ୍କ ସହ ଘର ଭଡା ନେଇ ରହୁଥିଲେ । ଉଭୟଙ୍କ ମଧ୍ୟରେ ବିବାଦ ହେବାରୁ ଅଗଷ୍ଟରେ ସେ ଘର ଛାଡି ଦେଇଥିଲେ । ସେ ଜଣେ ଗ୍ରାଜୁଏଟ ମଧ୍ୟ । ସେ ଅନେକ ଦିନ ରାସ୍ତାରେ ବୁଲୁଥିଲେ । ଏହାର ସୁଯୋଗ ନେଇ ତାଙ୍କୁ ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :- ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଦୁଷ୍କର୍ମ ! ଅଚେତ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର

ଏହା ମଧ୍ୟ ପଢନ୍ତୁ-ବଦଲାପୁରରେ ଏନକାଉଣ୍ଟର, ପୋଲିସ ଗୁଳିରେ ଦୁଷ୍କର୍ମକାରୀ ସଫା - Badlapur Encounter

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 15, 2024, 2:32 PM IST

ABOUT THE AUTHOR

...view details