ନୂଆଦିଲ୍ଲୀ:ଗୋଟିଏ ପଟେ ସର୍ବୋଚ୍ଚ କୋର୍ଟରେ ନିଟ୍ ପେପର ଲିକ୍ ମାମଲାର ଶୁଣାଣି ଜାରି ରହିଥିବା ସଂସଦରେ ଏହି ପ୍ରସଙ୍ଗ ଆଜି ଝଡ ସୃଷ୍ଟି କରିଛି । ବିରୋଧୀ ସିଧା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଘେରିବା ସହ ଇସ୍ତଫା ଦାବି କରିଛନ୍ତି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏହି ପ୍ରସଙ୍ଗରେ ବିବୃତ୍ତି ରଖି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁରା ସରକାର ଉପରେ ବର୍ଷିଛନ୍ତି । ଏହା କେବଳ ନିଟ୍ ପେପର ଲିକ୍ ଘଟଣା ନୁହେଁ, ବରଂ ପୁରା ଦେଶରେ ଶିକ୍ଷା ବ୍ୟବସ୍ଥା ବିକ୍ରି ହୋଇସାରିଛି ବୋଲି ରାହୁଲ କହିଛନ୍ତି । ଯଦି ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ ଦେଶରେ ଶିକ୍ଷା କିଣିପାରିବେ ବୋଲି ରାହୁଲ କହିଥିଲେ । ଧର୍ମେନ୍ଦ୍ର ଉତ୍ତର ରଖି ଅଭିଯୋଗକୁ ଖଣ୍ଡନ କରିଥିଲେ । ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ଚାଲିଛି । ଗତ 7ବର୍ଷ ମଧ୍ୟରେ ‘ଏନଟିଏ’ ଶତାଧିକ ପରୀକ୍ଷା ପରିଚାଳନା କରିଛି । କୌଣସି ଗୋଟିଏ ଅଭିଯୋଗ ସେପରି ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।
ବିବୃତ୍ତି ରଖିବା ବେଳେ ରାହୁଲ କହିଥିଲେ,‘‘ସମଗ୍ର ଦେଶ ପାଇଁ ଏହା ଏକ ଉଦବେଗର ବିଷୟ । ଏହା କେବଳ NEETର କଥା ନୁହେଁ ବରଂ ଦେଶର ସମସ୍ତ ପ୍ରମୁଖ ପରୀକ୍ଷା ପରିଚାଳନାରେ ସଙ୍ଗୀନ ସମସ୍ୟା ରହିଛି । ମନ୍ତ୍ରୀ (ଧର୍ମେନ୍ଦ୍ର ପ୍ରଧାନ) ନିଜ ବ୍ୟତୀତ ଅନ୍ୟ ସମସ୍ତଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି । ମୁଁ ଭାବୁନାହିଁ ଯେ ଏହି ପ୍ରସଙ୍ଗର ପ୍ରାସଙ୍ଗିକତାକୁ ସେ ବୁଝିଛନ୍ତି । ବ୍ୟବସ୍ଥାଗତ ଭାବେ ସେ ଏହି ସମସ୍ୟାର ସମାଧାନ କରିବା ପାଇଁ କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଏପରି ସ୍ଥିତିରେ ଦେଶର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ଫ୍ରଡ ବୋଲି ଭାବିଲେଣି । ଲୋକେ ଏହା ମଧ୍ୟ ବିଶ୍ୱାସ କରିବାକୁ ଲାଗିଲେଣି ଯେ, ଯଦି ଆପଣ ଧନୀ, ଆପଣଙ୍କ ପାଖରେ ଟଙ୍କା ଅଛି, ତେବେ ଆପଣ ମଧ୍ୟ ଭାରତୀୟ ପରୀକ୍ଷା ସିଷ୍ଟମକୁ ମଧ୍ୟ କିଣି ଦେଇପାରିବେ ।’’
ରାହୁଲଙ୍କ ପ୍ରଶ୍ନର ଉତ୍ତର ରଖିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବେଶ ଉତ୍ତେଜିତ ନଜର ଆସିଥିଲେ । କହିଥିଲେ,‘‘ଗତ 7 ବର୍ଷ ମଧ୍ୟରେ ଜାତୀୟ ପରୀକ୍ଷା ସଂସ୍ଥା ଶତାଧିକ ପରୀକ୍ଷା ପରିଚାଳନା କରିଛି । କୌଣସି ଗୋଟିଏ ଥର ମଧ୍ୟ ପେପର ଲିକ୍ ହେବାର କୌଣସି ପ୍ରମାଣ ମିଳିନାହିଁ । ଏହି (NEET) ମାମଲା ଏବେ ସୁପ୍ରିମକୋର୍ଟରେ ଚାଲିଛି । ମୁଁ ସମ୍ପୂର୍ଣ୍ଣ ଦାୟିତ୍ବବୋଧତାର ସହ ଏହା କହିପାରିବି ଯେ, NTA ଗତ 7ବର୍ଷ ମଧ୍ୟରେ ପରେ 240ରୁ ଅଧିକ ପରୀକ୍ଷା ସଫଳତାର ସହ ପରିଚାଳନା କରିସାରିଛି । ଏବେ ଏହି ମାମଲାରେ କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ ହେଉଛି । ମାମଲା ଏବେ ବିଚାରାଧୀନ ରହିଛି । ସେ ସମ୍ପର୍କରେ ମୁଁ କୌଣସି ରାଜନୀତି କରିବାକୁ ଚାହେଁନାହିଁ ।’’