ହାଇଦ୍ରାବାଦ:ଆସନ୍ତାକାଲି ଦୁଇ ରାଜ୍ୟ ଆନ୍ଧ୍ର ଓ ଓଡିଶାରେ ନୂଆ ସରକାର ଗଠନ ହେବାକୁ ଯାଉଛି । ଉଭୟ ରାଜ୍ୟରେ ଏଥର କ୍ଷମତା ପରିବର୍ତ୍ତନ ମଧ୍ୟ ହୋଇଛି । ଓଡିଶାରେ ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପଦ ନେଇ ନିଷ୍ପତ୍ତି ହେବା ବାକି ଥିବା ବେଳେ ଆନ୍ଧ୍ରରେ ଚିତ୍ର ସ୍ପଷ୍ଟ ହୋଇଛି । ତେଲଗୁ ଦେଶମ ପାର୍ଟି ‘ଟିଡିପି’ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ‘ଏନଡିଏ’ ନବନିର୍ବାଚିତ ବିଧାୟକ ଦଳ ନେତା ନିର୍ବାଚିତ କରିଛନ୍ତି । ଆସନ୍ତାକାଲି ନାଇଡୁ ମୁଖ୍ୟମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେବେ ।
ଆଜି ବିଜୟଓ୍ବାଡାରେ ‘ଏନଡିଏ’ ବିଧାୟକ ଦଳ ବୈଠକ ବସିଥିଲା । ଏଥିରେ ନେତା ଭାବେ ଚନ୍ଦ୍ରବାବୁଙ୍କ ନାମ ପ୍ରସ୍ତାବ ରଖାଯାଇଥିଲା ଓ ଏହାକୁ ମେଣ୍ଟର ସମସ୍ତ ଦଳ ଓ ନିର୍ବାଚିତ ବିଧାୟକମାନେ ସମର୍ଥନ କରିଥିଲେ । ପୂର୍ବରୁ ମଧ୍ୟ ଆନ୍ଧ୍ରରେ ମୁଖ୍ୟମନ୍ତ୍ରୀ ନେଇ ମଧ୍ୟ ଚିତ୍ର ସ୍ପଷ୍ଟ ଥିଲା । ନାଇଡୁ ମୁଖ୍ୟମନ୍ତ୍ରୀ ଥିବା ଏକ ପ୍ରକାର ନିଶ୍ଚିତ ଥିବା ବେଳେେ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁସାରେ, ଶପଥ ଗ୍ରହଣର ପୂର୍ବରୁ ତାଙ୍କୁ ବିଧାୟକ ଦଳର ନେତା ଭାବେ ନିର୍ବାଚିତ କରାଯାଇଛି । ଚଳିତଥର ଦୀର୍ଘ ବ୍ୟବଧାନ ପରେ ଚନ୍ଦ୍ରବାବୁଙ୍କ ପାର୍ଟି ବିଜେପି ନେତୃତ୍ବାଧୀନ ‘ଏନଡିଏ’ ମେଣ୍ଟକୁ ଫେରିଥିଲେ । ଅଭିନେତା ପବନ କଲ୍ୟାଣଙ୍କ ଜନସେନା ପାର୍ଟି, ବିଜେପି ଓ ଟିଡିପି ଏକତ୍ର ନିର୍ବାଚନ ଲଢିଥିଲେ । ପ୍ରତିପକ୍ଷରେ ମୁଖ୍ୟମନ୍ତ୍ରୀ ଜଗନଙ୍କ ଓ୍ବାଇଏସଆର କଂଗ୍ରେସ ଏକାକୀ ନିର୍ବାଚନ ଲଢିଥିଲା । ନିର୍ବାଚନରେ ଏନଡିଏ ମେଣ୍ଟ ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ଟିଡିପି ଏକାକୀ ମଧ୍ୟ ସଂଖ୍ୟା ବହୁମତ ଅତିକ୍ରମ କରିଥିଲା ।