ବେଙ୍ଗାଲୁରୁ:କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ହେବ ମାମଲା ।ମହୀଶୂର ନଗର ଉନ୍ନୟନ ପ୍ରାଧିକରଣ (MUDA) ଘୋଟାଲା ମାମଲାରେ ମୁଖ୍ଯମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ରାଜ୍ୟପାଳ ଥାବର ଚନ୍ଦ୍ର ଗେହେଲଟ୍ ଅନୁମୋଦନ ଦେଇଛନ୍ତି । ପ୍ରଦୀପ କୁମାର, ଟି.ଜେ ଆବ୍ରହାମ ଏବଂ ସ୍ନେହମୟୀ କ୍ରିଷ୍ଣା ନାମକ ତିନିଜଣ କାର୍ଯ୍ୟକର୍ତ୍ତା, ମୁଖ୍ୟମନ୍ତ୍ରୀ ଏହି ଘୋଟାଲାରେ ସମ୍ପୃକ୍ତ ଓ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦେବା ପାଇଁ ରାଜଭବନର ଦ୍ବାରସ୍ଥ ହୋଇଥିଲେ । ମାମଲାରେ ଏହି ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା, ତାଙ୍କ ପତ୍ନୀ ଓ ପୁଅ ଜତୀନ୍ଦ୍ରଙ୍କୁ ପକ୍ଷଭୁକ୍ତ କରାଯାଇଛି ।
- ମାମଲା ରୁଜୁ ପାଇଁ ରାଜ୍ୟପାଳଙ୍କ ନିର୍ଦ୍ଦେଶ:-
ରାଜଭବନ ସଚିବାଳୟରୁ ମିଳିଥିବା ସୂଚନା ଅନୁସାରେ,‘1988-ଦୁର୍ନୀତି ନିବାରଣ ଅଧିନିୟମ’ ଓ ଭାରତୀୟ ନ୍ୟାୟ ସଂହିତାର ଧାରା ‘ବିଏନଏସ-218’ ଅନୁସାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ମାମଲା କରିବାକୁ ରାଜ୍ୟପାଳ ଅନୁମୋଦନ ଦେଇଛନ୍ତି । 2023 ମସିହାରେ ଏହି ଘୋଟାଲା ହୋଇଥିବା ଆବେଦନରେ ଦର୍ଶାଯାଇଥିଲା । ତେବେ ରାଜ୍ୟପାଳଙ୍କ ନିର୍ଦ୍ଦେଶ ସମ୍ପର୍କରେ ସୂଚନା ମିଳିଥିବା ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ମଧ୍ୟ ସ୍ବୀକାର କରିଛି । ରାଜ୍ୟରେ ବିରୋଧୀ ଆସନରେ ଥିବା ଭାରତୀୟ ଜନତା ପାର୍ଟି ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିଛି । ପାର୍ଟିର ପ୍ରଦେଶ ମୁଖ୍ୟ ବିଜୟେନ୍ଦ୍ର ଏହାକୁ ସ୍ବାଗତ କରି ଟ୍ବିଟ୍ ମଧ୍ୟ କରିଛନ୍ତି ।
- ରାଜ୍ୟପାଳଙ୍କ ଉପରେ ବର୍ଷିଲା କଂଗ୍ରେସ:-
ସେହିପରି କଂଗ୍ରେସ ଏହାକୁ ବିରୋଧ କରିବା ସହ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ଡିଫେଣ୍ଡ କରିଛି । ରାଜ୍ୟପାଳ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି କୁମାରାସ୍ବାମୀ ଓ ପୂର୍ବତନ ମନ୍ତ୍ରୀ ଶଶିକଳା ଜୋଲେ ଓ ମୁର୍ଗେଶ ନିରାନୀଙ୍କ ବିରୋଧରେ ଥିବା ମାମଲାର ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି । କେବଳ କିଛି ବ୍ୟକ୍ତିଗତ ଅଭିଯୋଗରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଏହି ତଦନ୍ତ ନିର୍ଦ୍ଦେଶ ଦେବା ରାଜନୈତିକ ଉଦ୍ଦେଶ୍ୟମୂଳକ ବୋଲି ସ୍ପଷ୍ଟ ଜଣାପଡୁଛି ବୋଲି ଶାସକ ଦଳ କହିଛି ।