ହାଇଦ୍ରାବାଦ: କୁହାଯାଏ ବିଶ୍ବର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଅନ୍ୟତମ JEE ଆଡଭାନ୍ସ । ତେବେ ଚଳିତ ବର୍ଷ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି ଆଇଆଇଟି(IIT) ମାଡ୍ରାସ ଜେଇଇ ଆଡଭାନ୍ସ ପରୀକ୍ଷାର ଆୟୋଜନ କରୁଛି । ଏହି ପରୀକ୍ଷାକୁ ନେଇ ଆଇଆଇଟି ମାଡ୍ରାସ ଆଡମିଟ୍ କାର୍ଡ ଜାରି କରିଛି । ଶିକ୍ଷା ବିଶେଷଜ୍ଞ ଦେବ ଶର୍ମାଙ୍କ ଅନୁଯାୟୀ ଶୁକ୍ରବାର ସକାଳ 10ଟା ସମୟରେ ଆଡମିଟ କାର୍ଡ ଜାରି ହେବା ନେଇ ସ୍ଥିର ହୋଇଥିଲା କିନ୍ତୁ ସକାଳ 10ଟା 30 ମିନିଟରେ ଏହାକୁ ରିଲିଜ କରାଯାଇଛି । ପ୍ରାର୍ଥୀମାନେ ପଞ୍ଜିକୃତ କରିଥିବା ଇମେଲ ଆଇଡିରେ ଆଡମିଟ୍ କାର୍ଡ ଡାଉନଲୋଡ କରିବାର ଲିଙ୍କ ପଠାଯାଇଛି । ଏହି ପରୀକ୍ଷା ମେ 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଆଜି ଆଡମିଟ୍ କାର୍ଡ ପ୍ରକାଶିତ ହୋଇଛି । ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀ jeeadv.ac.in ସରକାରୀ ଓ୍ବେବସାଇଟକୁ ଯାଇ ଆଡମିଟ୍ କାର୍ଡ ଡାଉନଲୋଡ କରିପାରିବେ ।
କେଉଁ ସମୟରେ ରହିଛି ପରୀକ୍ଷା: ଶିକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଚଳିତ ଥର ସିଧାସଳଖ ଅଫିସିଆଲ ଓ୍ବେବସାଇଟରେ ଆଡମିଟ୍ କାର୍ଡ ଡାଉନଲୋଡ କରିବା ପାଇଁ ଲିଙ୍କ୍ ଦିଆଯାଇ ନାହିଁ । କାରଣ ସମସ୍ତ ପରୀକ୍ଷାର୍ଥୀ ଏହାକୁ ଏକ ସମୟରେ ଖୋଲିବା ଦ୍ବାରା ଓ୍ବେବସାଇଟ କ୍ରାସ ହେବାର ସୂଚନା ରହିଛି । ତେଣୁ ପରୀକ୍ଷାର୍ଥୀମାନଙ୍କୁ ଲିଙ୍କ ପଠାଯାଇଛି । ପରୀକ୍ଷାର୍ଥୀମାନେ ରେଜିଷ୍ଟ୍ରେସନ ନମ୍ବର ଏବଂ ପାସଓ୍ବାର୍ଡ ଦେଇ ଡାଉନଲୋଡ କରିପାରିବେ । ଜେଇଇ ଆଡଭାନ୍ସ ପରୀକ୍ଷା ମେ 26 ତାରିଖରେ ଦେଶର 222 କେନ୍ଦ୍ରରେ ହେବ । ଭୁବନେଶ୍ବରରେ 26ଟି ପରୀକ୍ଷା କେନ୍ଦ୍ର କରାଯାଇଛି । ସକାଳ 9 ଟାରୁ 12 ଟା ଏବଂ ଅପରାହ୍ନ 2.30 ରୁ 5.30 ଯାଏଁ ପରୀକ୍ଷା ହେବ । ପରୀକ୍ଷା ଦେବା ପାଇଁ 1.91 ଲକ୍ଷ ପରୀକ୍ଷାର୍ଥୀ ପଞ୍ଜିକୃତ କରିଛନ୍ତି ।