ଉଜ୍ଜୈନ: ହୋଲି ଭଳି ପବିତ୍ର ଉତ୍ସବ ସମୟରେ ମଧ୍ୟପ୍ରଦେଶ ଉଜ୍ଜୈନର ବିଶ୍ୱପ୍ରସିଦ୍ଧ ମହାକାଳ ମନ୍ଦିରରେ ବଡ ଧରଣର ଅଘଟଣ ଘଟିଯାଇଛି । ଆଜି (ସୋମବାର) ସକାଳ ସମୟରେ ମନ୍ଦିରର ଗର୍ଭଗୃହରେ ଭସ୍ମ ଆଳତୀ ଚାଲିଥିବା ବେଳେ ହଠାତ ଗର୍ଭଗୃହରେ ନିଆଁ ଲାଗି ଯାଇଥିଲା । ଏହି ଅଗ୍ନିକାଣ୍ଡରେ ପାଖାପାଖି 13 ଜଣ ଆହତ ହୋଇଛନ୍ତି । ସମସ୍ତ ଆହତ ମନ୍ଦିରର ପୂଜାରୀ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ବେଳେ ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି । ଉଜ୍ଜୈନ ଜିଲ୍ଲାପାଳ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ଅଗ୍ନିକାଣ୍ଡ ଘଟଣାର ଲାଇଭ ଭିଡିଓ ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ଆଜି (ସୋମବାର) ସକାଳ ସମୟରେ ମଧ୍ୟପ୍ରଦେଶ ଉଜ୍ଜୈନର ବିଶ୍ୱ ପ୍ରସିଦ୍ଧ ମହାକାଳ ମନ୍ଦିରରେ ହୋଲି ଉତ୍ସବ ପାଳନ କରାଯାଉଥିଲା । ମନ୍ଦିରରେ ଶତାଧିକ ଶ୍ରଦ୍ଧାଳୁ ଉପସ୍ଥିତ ରହି ପରସ୍ପରକୁ ରଙ୍ଗ ଲଗାଇ ରଙ୍ଗର ପର୍ବ ପାଳନ କରୁଥିଲେ । ଏହି ସମୟରେ ମନ୍ଦିରର ଗର୍ଭଗୃହରେ ବାବା ମହାକାଳଙ୍କ ଭସ୍ମ ଆଳତୀ ଚାଲିଥିଲା । ହଠାତ ଭସ୍ମ ଆଳତୀ ଥାଳିରେ ରଙ୍ଗ ପଡିଯାଇଥିଲା ଓ ନିଆଁ ଲାଗିଯାଇଥିଲା । ସାଙ୍ଗେ ସାଙ୍ଗେ ପୂରା ଗର୍ଭଗୃହରେ ନିଆଁ ଲାଗିଯାଇଥିଲା । ଗର୍ଭଗୃହରେ ଉପସ୍ଥିତ ଥିବା ପୂଜାରୀମାନେ ନିଆଁର ଧାସରେ ପୋଡ଼ି ଯାଇଥିଲେ । ଏହା ଦେଖି ଶ୍ରଦ୍ଧାଳୁଙ୍କ ମଧ୍ୟରେ ଧାଁ ଦୌଡ଼ ଦେଖିବାକୁ ମିଳିଥିଲା । ତେବେ ତୁରନ୍ତ ପୂଜାରୀମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଚିକିତ୍ସା ଜାରି ରହିଛି ।