ଚଣ୍ଡିଗଡ଼: ଆଜି ବସିବ କୃଷକ ସଂଗଠନ ସହ ସରକାରଙ୍କ ଚତୁର୍ଥ ପର୍ଯ୍ୟାୟ ବୈଠକ । ତୃତୀୟ ବୈଠକରେ ଯଦିଓ ସକରାତ୍ମକ ଆଲୋଚନା ହୋଇଥିଲା, କିନ୍ତୁ କୌଣସି ନିଷ୍କର୍ସ ବାହାରି ନଥିଲା । ଏମଏସପି ସମେତ ବିଭିନ୍ନ ଦାବି ନେଇ ଜାରି ରହିଛି ଚାଷୀ ଆନ୍ଦୋଳନ । ଶମ୍ଭୁ ବର୍ଡରରେ ବିଭିନ୍ନ ଦାବିରେ ଅଡ଼ି ବସିଛନ୍ତି କୃଷକ ସଂଗଠନ । ଭାରତ ବନ୍ଦରୁ ଆରମ୍ଭ କରି ବିଭିନ୍ନ ଢଙ୍ଗରେ ସେମାନେ ପ୍ରତିବାଦ କରିଛନ୍ତି । ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଥିବାରୁ ପୋଲିସକୁ ଲୁହବୁହା ଗ୍ୟାସ ମଧ୍ୟ ପ୍ରଯୋଗ କରିବାକୁ ପଡ଼ିଛି ।
ସ୍ଥିତିକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରାଯାଇଛି । ହରିୟାଣାରେ ଇଣ୍ଟରନେଟା ସେବାରେ ଲାଗିଥିବା କଟକଣାକୁ ଆହୁରି 2 ଦିନ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଆସନ୍ତା 19 ତାରିଖ ରାତି 12ଟା ପର୍ଯ୍ୟନ୍ତ କେତେକ ଜିଲ୍ଲାରେ ଇଣ୍ଟରନେଟ୍ ବ୍ୟବହାର କରିହେବ ନାହିଁ । ଏହି ଜିଲ୍ଲାଗୁଡ଼ିକ ହେଲା ଅମ୍ବାଲା, କରୁକ୍ଷେତ୍ର, କୈଥଲ, ଜିନ୍ଦ, ହିସାର, ଫତେହାବାଦ ଏବଂ ସିରସା ।
ପ୍ରଥମ ଥର ଫେବୃଆରୀ 8 ତାରିଖରେ ସରକାର ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ । ଏହାପରେ 12 ତାରିଖରେ ଦ୍ବିତୀୟ ଥର କରାଯାଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଗତ 13 ତାରିଖରେ ତୃତୀୟ ପର୍ଯ୍ୟାୟ ଆଲୋଚନାରେ ବି କୌଣସି ନିଷ୍କର୍ସ ବାହାରି ପାରିନଥିଲା । ଏହି ବୈଠକରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବତ ମାନ ମଧ୍ୟ ଉପସ୍ଥିତ ଥିଲେ । ହେଲେ ସରକାର ଆଲୋଚନା ପାଇଁ କିଛି ସମୟ ମାଗିଥିଲେ । ଆଜି ପୁଣିଥରେ କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ବୈଠକ ହେବା ନେଇ ଧାର୍ଯ୍ୟ କରାଯାଇଛି । ଚଣ୍ଡିଗଡ଼ରେ ଆଜି ଚତୁର୍ଥ ପର୍ଯ୍ୟାୟ ଆଲୋଚନା କରାଯିବ । ଏମସପି ପ୍ରସଙ୍ଗରେ କମିଟି ଗଢିବାକୁ ସରକାର ପ୍ରସ୍ତାବ ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । ତେବେ ଆଜିର ବୈଠକ ଉପରେ ସମସ୍ତଙ୍କ ନଜର ରହିଛି ।