ନୂଆଦିଲ୍ଲୀ/ପାଟନା:ଆଜି ବିହାର ରାଜଧାନୀ ପାଟନାରେ ଆୟୋଜିତ ‘ଇଣ୍ଡିଆ’ ମେଣ୍ଟର ପ୍ରଥମ ନିର୍ବାଚନୀ କାର୍ଯ୍ୟକ୍ରମ ‘ଜନବିଶ୍ବାସ ରାଲି’ରେ ମୋଦି ସରକାର ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଦେଶରେ ଏବେ ଯେଉଁ ବେରୋଜଗାରୀ ହାର ଦେଖାଯାଇଛି, ତାହା ଗତ 40 ବର୍ଷରେ ସର୍ବାଧିକ । ଦେଶର ମୋଟ ଜନସଂଖ୍ୟାର ପ୍ରାୟ 73 ପ୍ରତିଶତ ଉପେକ୍ଷାର ଶିକାର ହୋଇଛନ୍ତି । ଉପେକ୍ଷିତ ବର୍ଗ ମଧ୍ୟରେ ଅଧିକାଂଶ ବଞ୍ଚିତ ଓ ଦଳିତ ଶ୍ରେଣୀର ଲୋକେ ରହିଛନ୍ତି ବୋଲି କହିଛନ୍ତି ରାହୁଲ ଗାନ୍ଧୀ ।
ରାହୁଲ ଅଭିଯୋଗ କରିଛନ୍ତି ଯେ ଦେଶର କୃଷକ, ଯୁବବର୍ଗର ଲୋକଙ୍କ ପ୍ରତି ଅନ୍ୟାୟ କରାଯାଉଛି । କେନ୍ଦ୍ର ସରକାର 'ଅଗ୍ନିବୀର’ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହା ଅଧୀନରେ ସେନାରେ ଭର୍ତ୍ତି ହେଉଥିବା ବ୍ୟକ୍ତିଙ୍କୁ ଶହୀଦ ହେବାପରେ ସେମାନଙ୍କୁ ଅନ୍ୟ ଶହୀଦଙ୍କ ପରି ସମ୍ମାନ ମିଳିବ ନାହିଁ । ଦେଶର ଯୁବପିଢିଙ୍କ ସହ ସରକାର ଖେଳୁଛନ୍ତି । ମୁଦ୍ରାସ୍ଫୀତି ଏବେ ବଢିଛି । ଦେଶର କୃଷକ ରାଜରାସ୍ତାରେ ବସିଛନ୍ତି । ଦଳିତ ଶୋଷିତ, ବଞ୍ଚିତ ଏବେ ନ୍ୟାୟ ଅପେକ୍ଷାରେ ଅଛନ୍ତି । କଂଗ୍ରେସ ଜାରି ରଖିଥିବା ନ୍ୟାୟ ଯାତ୍ରା ସମାଜକୁ ନ୍ୟାୟ ଦେବା ପାଇଁ ବୋଲି ରାହୁଲ ନିଜ ସମ୍ବୋଧନରେ କହିଛନ୍ତି । ଆହୁରି ମଧ୍ୟ ରାହୁଲ କହିଛନ୍ତି, ଦେଶରେ ଯେବେ କୌଣସି ବିଶାଳ ପରିବର୍ତ୍ତନ ଆସିଛି, ଏହା ବିହାରରୁ ଆରମ୍ଭ ହୁଏ । ବିହାର ହେଉଛି ଦେଶର ରାଜନୈତିକ କେନ୍ଦ୍ର । ଏବେ ଦେଶରେ ଗୋଟିଏ ଦଳ ଘୃଣା ସୃଷ୍ଟି କରିବାକୁ ଚେଷ୍ଟା କରୁଛି । କିନ୍ତୁ ଆମେ ଘୃଣାର ବଜାରରେ ପ୍ରେମ ଦୋକାନ ଖୋଲିବାକୁ ସଂକଳ୍ପ କରିଛୁ ।