ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରତିରକ୍ଷା ପ୍ରମୁଖ-ସିଡିଏସ(CDS) ଜେନେରାଲ ବିପିନ ରାୱତଙ୍କ ମୃତ୍ୟୁକୁ 3 ବର୍ଷ ପୂରିଛି । 2021 ମସିହା ଡିସେମ୍ବର 8 ତାରିଖରେ ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଏମଆଇ 17 ଭି5 କ୍ରାସ ହେବାରୁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାର ପ୍ରକୃତ କାରଣ ଏବେ ସାମ୍ନାକୁ ଆସୁଛି । ପୂର୍ବରୁ ପାଗ ଖରାପ ଏହାର କାରଣ ବୋଲି କୁହାଯାଉଥିବା ବେଳେ ପ୍ରକୃତ କାରଣ ମନୁଷ୍ୟକୃତ ତ୍ରୁଟି ବୋଲି ପାର୍ଲାମେଣ୍ଟାରୀ ପ୍ୟାନେଲ ରିପୋର୍ଟରେ କୁହାଯାଇଛି ।
ପାର୍ଲାମେଣ୍ଟାରୀ ପ୍ୟାନେଲ ରିପୋର୍ଟରେ କଣ ଉଲ୍ଲେଖ ରହିଛି ?
ମଙ୍ଗଳବାର ସଂସଦରେ ଦାଖଲ ହୋଇଥିବା ରିପୋର୍ଟରେ ପ୍ରତିରକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି 13 ତମ ପ୍ରତିରକ୍ଷା ଯୋଜନା ଅବଧିରେ ଘଟିଥିବା ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣାର ସଂଖ୍ୟା ସମ୍ପର୍କରେ ତଥ୍ୟ ରଖିଥିଲେ । ମୋଟ ଦୁର୍ଘଟଣା ସଂଖ୍ୟା 34 ରହିଛି, ଯେଉଁଥିରେ 2021-22 ରେ ଘଟିଥିବା 9 ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା ଏବଂ 2018-19 ରେ 11 ଟି ଦୁର୍ଘଟଣା ସାମିଲ ରହିଛି ।
ଏହା ବି ପଢନ୍ତୁ....CDS Chopper Crash: ଅଘଟଣକୁ ବର୍ଷେ, ପ୍ରଥମ ସିଡିଏସଙ୍କୁ ହରାଇଥିଲା ଦେଶ
5 ବର୍ଷ ମଧ୍ୟରେ ହୋଇଥିବା ଭାରତୀୟ ବାୟୁସେନା ବିମାନ ଦୁର୍ଘଟଣା କାରଣ ନେଇ ରିପୋର୍ଟ ପ୍ରଦାନ କରିଛି ପାର୍ଲାମେଣ୍ଟାରୀ ପ୍ୟାନେଲ । 34 ଟି ବିମାନ ଦୁର୍ଘଟଣାର କାରଣ ଅନୁସନ୍ଧାନ କରାଯାଇଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କମିଟିକୁ ସୂଚନା ଦେଇଛି କମିଟି । ଯେଉଁଥିରେ ବିପିନ ରାଓ୍ବତଙ୍କ ବିମାନ ଦୁର୍ଘଟଣାକୁ ମାନବୀୟ ତ୍ରୁଟି ବୋଲି ଦର୍ଶାଯାଇଛି । ଏହା ହେଉଛି 33 ତମ ବିମାନ ଦୁର୍ଘଟଣା । ରିପୋର୍ଟରେ କୁହାଯାଇଛି ଯେ, ମନ୍ତ୍ରଣାଳୟ ଏହା ମଧ୍ୟ କହିଛି, ଏହି ଅନୁସନ୍ଧାନ କମିଟିର ସୁପାରିଶ ପ୍ରକ୍ରିୟା, କାର୍ଯ୍ୟପ୍ରଣାଳି, ତାଲିମ, ଯନ୍ତ୍ରପାତି, ସଂସ୍କୃତି, ଅପରେସନ, ରକ୍ଷଣାବେକ୍ଷଣ ଏବଂ ପ୍ରଶାସନ ସାମଗ୍ରିକ ଭାବରେ ଏକ ଦୁର୍ଘଟଣାର କିପରି ପୁନରାବୃତ୍ତି ନହେବ ସେ ଉଦ୍ଦେଶ୍ୟରେ ସମୀକ୍ଷା କରିଥାଏ।
ଏମଆଇ17 ଭି5 କ୍ରାସ:
2021 ମସିହା ଡିସେମ୍ବର 8 ତାରିଖ ସମୟ ପାଖାପାଖି ଅପରାହ୍ନ 1ଟା । ଦେଶକୁ ଆସିଥିଲା ଦୋହଲାଇ ଦେବା ଭଳି ଖବର । ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଏମଆଇ17 ଭି5 କ୍ରାସ ହୋଇଥିଲା । ଏଥିରେ ଭାରତର ପ୍ରଥମ ଚିଫ୍ ଅଫ୍ ଜେନେରାଲ ବିପିନ ରାୱତଙ୍କ ସମେତ 14 ଜଣଙ୍କ ଦେହାନ୍ତ ହୋଇଥିଲା । ସିଡିଏସଙ୍କ ପତ୍ନୀ ମଧୁଲିକା ରାୱତଙ୍କର ମଧ୍ୟ ଦେହାନ୍ତ ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସମସ୍ତଙ୍କ ଶରୀର ପ୍ରାୟ 85ରୁ 90 ଭାଗ ଜଳି ଯାଇଥିଲା ।