ନୂଆଦିଲ୍ଲୀ:ସଂସଦ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସୁରକ୍ଷା ଉଲ୍ଲଘଂନ ମାମଲା ସାମ୍ନାକୁ ଆସିଛି । ନକଲି ଦଲିଲ ସାହାଯ୍ୟରେ ଜଣେ ଯୁବକ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିବା ପରେ ଦିଲ୍ଲୀ ପୋଲିସ ଯୁବକଙ୍କୁ ଗିରଫ କରିଛି । ଏଥିସହ ତାଙ୍କୁ ମିଳିତ ଭାବେ ପଚରାଉଚରା କରାଯାଉଛି । ସୂଚନାନୁସାରେ, ଜଣେ ଯୁବକ ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିଥିଲେ ଓ ଗୋପନୀୟ ଅଫିସକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ ।
ପୋଲିସର ସୂଚନା ମୁତାବକ ଏହି ସନ୍ଦିଗ୍ଧ ଅଭିଯୁକ୍ତଙ୍କ ନାମ ଆଦିତ୍ୟ ପ୍ରତାପ ସିଂ ବୋଲି ଜଣାପଡିଛି । ତାକୁ ଦିଲ୍ଲୀର କର୍ତ୍ତବ୍ୟପଥ ଥାନା ପୋଲିସ ନକଲି ଡକ୍ୟୁମେଣ୍ଟ ସାହାଯ୍ୟରେ ଗୃହ ମନ୍ତ୍ରଣାଳୟରେ ପ୍ରବେଶ କରିବା ଅଭିଯୋଗରେ ଗିରଫ କରିଛି । ତେବେ ଏ ଯାଏଁ ଏ ସମ୍ପର୍କରେ କୌଣସି ଆତଙ୍କବାଦୀ କନେକସନ କଥା ସାମନାକୁ ଆସି ନାହିଁ । ଅଭିଯୁକ୍ତକୁ ସ୍ପେସିଆଲ ସେଲ ଓ ଅନ୍ୟ ଯାଞ୍ଚ ଏଜେନ୍ସି ପଚରାଉଚରା ଜାରି ରଖିଛନ୍ତି ।
ଗତ ବର୍ଷ ଡିସେମ୍ବର 13 ରେ ଲୋକସଭାରେ ଦୁଇଜଣ ଯୁବକ ଦର୍ଶକ ଗ୍ୟାଲେରୀରୁ ଡେସ୍କକୁ ଡେଇଁ ରଙ୍ଗ ଧୂଆଁ ବାହାରିବା ଆରମ୍ଭ କରିଥିଲେ । ଏହି ସମୟ ମଧ୍ୟରେ ପୁରା ହଲ୍ ଧୂଆଁରେ ପରିପୂର୍ଣ୍ଣ ହୋଇଥିଲା । ସେମାନଙ୍କ ସହଯୋଗୀ ମାନେ ମଧ୍ୟ ସଂସଦ ବାହାରେ ସମାନ ପ୍ରଦର୍ଶନ ଆରମ୍ଭ କରିଥିଲେ । ଅଭିଯୁକ୍ତମାନେ ପୋଲିସକୁ କହିଥିଲେ ଯେ ମଣିପୁର ହିଂସା, ବେକାରୀ ଏବଂ ଚାଷୀଙ୍କ ସମସ୍ୟା ପ୍ରତି ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବା ସେମାନଙ୍କର ଉଦ୍ଦେଶ୍ୟ ଥିଲା । ଏହି ମାମଲାରେ ମୋଟ ଛ ଜଣଙ୍କୁ ଗିରଫ କରାଯାଇଛି ।