ନୂଆଦିଲ୍ଲୀ/ଚଣ୍ଡିଗଡ:ସୀମାପାର ନିଶା କାରବାରର ମାଧ୍ୟମ ପାଲଟିଛି ଡ୍ରୋନ । ଆଜି ସୀମାନ୍ତ ରାଜ୍ୟ ପଞ୍ଜାବର ଅମୃତସରରେ ଏକ ପାକିସ୍ତାନୀ ଡ୍ରୋନ ଓ ଏହା ମାଧ୍ୟମରେ ପଠାଯାଉଥିବା ଏକ ହେରୋଇନ ପ୍ୟାକେଟ ମଧ୍ୟ ଜବତ କରାଯାଇଛି । ଜବତ ସାମଗ୍ରୀର ପରିମାଣ ପ୍ରାୟ ଅଧା କେଜି ହେବ । ସୀମା ସୁରକ୍ଷା ବଳ (ବିଏସଏଫ) ଓ ପଞ୍ଜାବ ପୋଲିସ ମିଳିତ ଭାବେ ଏହି ଡ୍ରୋନକୁ ଜବତ କରିଛି । ଏହା ପାକିସ୍ତାନ ପଟୁ ଆସିଥିବା ସ୍ପଷ୍ଟ ହୋଇଛି । ଗ୍ରାମବାସୀଙ୍କୁ ଏ ସମ୍ପର୍କରେ ସତର୍କ କରାଯାଇଛି । କୌଣସି ସନ୍ଦେହଜନକ ବସ୍ତୁ ବା ଗତିବିଧି ଦେଖିଲେ ତୁରନ୍ତ ପୋଲିସ କିମ୍ବା ସୁରକ୍ଷା ବଳକୁ ସୂଚନା ଦେବାକୁ ସୁରକ୍ଷାବଳ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ବିଏସଏଫ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଜବତ ଡ୍ରୋନଟି ଏକ ଚୀନ ନିର୍ମିତ । ଏହାକୁ ଗତକାଲି ଅମୃତସରର ଏକ ସୀମାନ୍ତ ଗ୍ରାମ ନିକଟରେ ଠାବ କରାଯାଇଥିଲା । ଗ୍ରାମବାସୀମାନେ ପୋଲିସକୁ ସୂଚନା ଦେଇଥିଲେ । ଏଥିରୁ ଜବତ ହୋଇଥିବା ମାଦକଦ୍ରବ୍ୟ ହେରୋଇନ ବୋଲି ଜଣାପଡିଛି । ଏହାର ପରିମାଣ 519 ଗ୍ରାମ । ଏହାକୁ ଏକ ପ୍ୟାକେଟରେ ରଖାଯାଇଥିଲା । ଏହା ପାକିସ୍ତାନ ପଟୁ ଆସିଥିବା ବେଳେ ଏହାକୁ ପଞ୍ଜାବରେ କେହି ନିଶା ମାଫିଆ ନିକଟକୁ ପଠାଯାଇଥିଲା । ତେବେ ପଞ୍ଜାବର ସୀମାରେ ନିଶା କାରବାର ପୋଲିସର ଚିନ୍ତା ବଢାଇଛି । ଏହି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଛି ।