ଜୟପୁର: ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଥିବା ରାଜସ୍ଥାନ ସୀମାନ୍ତ ଜିଲ୍ଲା ଜୌସେଲମେରରେ ସୀମା ସୁରକ୍ଷା ବଳ (ବିଏସଏଫ) ଏକ ସନ୍ଦିଗ୍ଧ ଚିଲକୁ ଧରିବାରେ ସଫଳ ହୋଇଛି । ଏହି ଚିଲ ଶରୀରରେ ଏକାଧିକ ଇଲୋକ୍ଟ୍ରୋନିକ୍ସ ସାମଗ୍ରୀ ଖଞ୍ଜାଯାଇଥିବା ଦେଖିବାକୁ ମିଳିଛି । ଏଗୁଡିକୁ ଉଦ୍ଧାର କରାଯାଇ ଯାଞ୍ଚ କରାଯାଇଛି । ପ୍ରାଥମିକ ଭାବେ ଏହା ପାକିସ୍ତାନୀ ସେନା ଦ୍ବାରା ପଠାଯାଇଥିବା ଏକ ପ୍ରଶିକ୍ଷିତ ଚିଲ ହୋଇଥିବା ନେଇ ସନ୍ଦେହ କରାଯାଉଛି । ଚିଲ ମାଧ୍ୟମରେ ଭାରତୀୟ ସୀମାରେ ସୁରକ୍ଷାବଳର ନିୟୋଜନ ଉପରେ ଗୁପ୍ତଚରଗିରି କରିବା ପାଇଁ ପାକିସ୍ତାନୀ ସେନା ଏପରି ପ୍ରଣାଳୀ ବ୍ୟବହାର କରିଥିବା ଜଣାପଡିଛି ।
ସୂଚନା ଅନୁସାରେ, ଏହି ଚିଲଟି ଅନ୍ତର୍ଜାତୀୟ ସୀମାରେ ଭାରତୀୟ ପୋଷ୍ଟ ନିକଟରେ ବେଶ କମ ଉଚ୍ଚତାରେ ଉଡୁଥିଲା । ବିଏସଏଫର 35-ବାଟାଲିୟନର ଯବାନମାନେ ଏହାକୁ କାବୁ କରିଥିଲେ । ପରେ ଏହାକୁ ବନ୍ୟପ୍ରାଣୀ ବଶେଷଜ୍ଞଙ୍କ ଦ୍ବାରା ଚିହ୍ନଟ କରାଯାଇଥିଲା । ଏହା ଏକ ‘ଫାଲକନ୍’ ପ୍ରଜାତିର ଇଗଲ ପକ୍ଷୀ ହୋଇଥିବା ସ୍ପଷ୍ଟ ହୋଇଛି । ଏହାର ଗୋଡରେ ଲାଗିଥିବା ଟ୍ୟାଗ ଏବଂ ଆଣ୍ଟେନାକୁ ଉଦ୍ଧାର କରାଯାଇ ଯାଞ୍ଚ କରାଯାଉଛି । ପୂର୍ବରୁ ଧରାଯାଇଥିବା ଇଗଲ ପରି, ଏହାର ଶରୀରରେ କୌଣସି ‘ଜିପିଏସ’ ସାମଗ୍ରୀ ଇନଷ୍ଟଲ୍ ହୋଇଛି କି ନାହିଁ ତାହା ମଧ୍ୟ ତଦନ୍ତ କରାଯାଉଛି । ତେବେ ପ୍ରାଥମିକ ଯାଞ୍ଚ ପରେ ଏହା ଏକ ପ୍ରଶିକ୍ଷିତ ଇଗଲ ବା ଚିଲ ବୋଲି ସ୍ପଷ୍ଟ ହୋଇଛି । ପକ୍ଷୀର ଶରୀରରୁ ଉଦ୍ଧାର କରାଯାଇଥିବା ଗେଜେଟ କେଉଁଠାରୁ ନିୟନ୍ତ୍ରିତ ହେଉଥିଲା, କିମ୍ବା କାହାକୁ ତଥ୍ୟ ପ୍ରେରଣ କରାଯାଉଥିଲା, ତାହା ଜାଣିବାକୁ ପ୍ରୟାସ କରାଯାଉଛି ।