ନୂଆଦିଲ୍ଲୀ:ଏଣିକି ମାତ୍ର 30 ମିନିଟ ଭିତରେ ମିଳିବ ବିମାନ ଯାତ୍ରୀଙ୍କୁ ସେମାନଙ୍କ ସମସ୍ତ ଜିନିଷପତ୍ର । ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି (ବିସିଏଏସ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ସଞ୍ଚାଳିତ ସମସ୍ତ ଏୟାରଲାଇନ୍ସ ଗୁଡିକ ପାଇଁ ନୂଆ ନିୟମ ଜାରି କରିଛି ବିସିଏଏସ । ବିମାନରୁ ଓହ୍ଲାଇବାର ମାତ୍ର 30 ମିନିଟ ଭିତରେ ଯାତ୍ରୀମାନଙ୍କୁ ସେମାନଙ୍କ ଜିନିଷ ପତ୍ର ହସ୍ତାନ୍ତର କରିବା ପାଇଁ କୁହାଯାଇଛି ।
ଫେବ୍ରୁଆରୀ 16 ତାରିଖ ଦିନ ବିସିଏଏସ ଭାରତର ପ୍ରମୁଖ 7ଟି ଏୟାର ଲାଇନ୍ସକୁ ଚିଠି ଲେଖିଛି ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି । ଏୟାର ଇଣ୍ଡିଆ, ଇଣ୍ଡିଗୋ, ଆକାଶ, ସ୍ପାଇଟଜେଟ୍, ଭିସ୍ତାରା, ଏୟାର ଇଣ୍ଡିଆ ଏକ୍ସପ୍ରେସ କନେକ୍ଟ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ ଏନେଇ ନିର୍ଦ୍ଦେଶାନାମା ଜାରି କରାଯାଇଛି । ଯାତ୍ରୀଙ୍କ ଜିନିଷପତ୍ରଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପହଞ୍ଚାଇବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ବିମାନ ଇଞ୍ଜିନ ବନ୍ଦ ହେବାର 10ରୁ 30 ମିନିଟ ମଧ୍ୟରେ ଯାତ୍ରୀମାନଙ୍କୁ ସେମାନଙ୍କୁ ଜିନିଷ ପତ୍ର ହସ୍ତାନ୍ତର କରିବାକୁ କୁହାଯାଇଛି ।
ତେବେ ନିକଟରେ ସୋସିଆଲ ମିଡିଆରେ କିଛି ଯାତ୍ରୀ ଏୟାରଲାଇନ୍ସ ଗୁଡିକ ଜିନିଷ ପତ୍ର ହସ୍ତାନ୍ତର କରିବାରେ ବିଳମ୍ବକୁ ନେଇ ଅସନ୍ତୋଷ ଜାହିର କରିବା ସହ ଏନେଇ ଅଭିଯୋଗ କରିଥିଲେ । ବିମାନ କର୍ତ୍ତୃପକ୍ଷ ଜିନିଷ ହସ୍ତାନ୍ତର କରିବା ନେଇ ବିଳମ୍ବ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ବିସିଏଏସ ପକ୍ଷରୁ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି ।