ଥିରୁଅନନ୍ତପୁରମ: ସରକାରୀ ବ୍ୟାଙ୍କରୁ ୧୭ କୋଟି ନେଇ ବ୍ୟାଙ୍କ ମ୍ୟାନେଜର ଛୁ । କେରଳରୁ ଆସିଛି ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଏକ ବ୍ରାଞ୍ଚରେ ଜମା ଥିବା ୧୭ କୋଟି ଟଙ୍କାର ସୁନାଗହଣା ନେଇ ମ୍ୟାନେଜର ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ମ୍ୟାନେଜରଙ୍କୁ ଖୋଜିବାକୁ ତନାଘନା କରୁଛି ପୋଲିସ ।
ସୁନା ନେଇ ମ୍ୟାନେଜର ଗାଏବ:
କେରଳର ୱଡକରା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ ଏଭଳି ହାଇପ୍ରୋଫାଇଲ ଠକେଇ ଘଟଣା ସାମନାକୁ ଆସିଛି । ସେଠାରେ ଥିବା ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ କାମ କରୁଥିବା ମ୍ୟାନେଜରଙ୍କ ନାଁରେ ରହିଛି ଲୁଟ୍ ଅଭିଯୋଗ । ଯିଏକି ବ୍ୟାଙ୍କରେ ଜମାଥିବା ପାଖାପାଖି ୧୭କୋଟିରୁ ଊର୍ଦ୍ଧ୍ବ ଟଙ୍କାର ସୁନାଗହଣା ନେଇ ଫେରାର ହୋଇଯାଇଛନ୍ତି । ତେବେ ଅଭିଯୁକ୍ତ ମ୍ୟାନେଜର ତାମିଲନାଡୁ ମେଟ୍ଟୁପାଲାୟମର ହୋଇଥିବା ସୂଚନା ମିଳିଛି । ମେଟ୍ଟୁପାଲାୟମର ପାଥୀ ଷ୍ଟ୍ରିଟର ମାଧ ଜୟକୁମାରଙ୍କ ନାଁରେ ଆସିଛି ବ୍ୟାଙ୍କ ଲୁଟର ସାଙ୍ଘାତିକ ଅଭିଯୋଗ । ଜୟକୁମାରଙ୍କ ବୟସ ୩୪ ବର୍ଷ ହୋଇଥିବା ଜଣାପଡ଼ିଛି ।
୨୬ କିଲୋ ସୁନା ନେଇ ମ୍ୟାନେଜର ଫେରାର:
ଜୟକୁମାର ତାମିଲନାଡୁର ବାସିନ୍ଦା ହୋଇଥିବାବେଳେ ସେ କେରଳ ସ୍ଥିତ ୱଡକରା ସ୍ଥିତ ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଶାଖାରେ କାର୍ଯ୍ୟରତ ଥିଲେ । ହେଲେ ହଠାତ୍ ୨୬ କିଲୋଗ୍ରାମ ଓଜନର ସୁନା ନେଇ ସେ ଫେରାର ହୋଇଯାଇଥିବା ଅଭିଯୋଗ ଆସିଛି ।