ଓଡିଶା

odisha

ETV Bharat / bharat

ବାଂଲାଦେଶୀଙ୍କଠୁ ରୋହିଙ୍ଗ୍ୟା: ନଜର ପକାନ୍ତୁ ଇତିହାସରେ ଭାରତ ସାମ୍ନା କରିଥିବା ପ୍ରମୁଖ ଶରଣାର୍ଥୀ ସଙ୍କଟ ଉପରେ - REFUGEE CRISIS FACED BY INDIA

REFUGEE CRISIS FACED BY INDIA IN PAST: ଅସ୍ଥିର ବାଂଲାଦେଶ ପାଇଁ ପୂର୍ବ-ଭାରତୀୟ ସୀମାରେ ହାଇଆଲର୍ଟ । ତେବେ ଆଜି ନୁହେଁ ସ୍ବାଧୀନତା ପୂର୍ବବର୍ତ୍ତୀ ସମୟରୁ ଶରଣାର୍ଥୀ ସମସ୍ୟାରେ ପ୍ରଭାବିତ ହୋଇଆସୁଛି ଭାରତ । ବାଂଲାଦେଶୀଙ୍କ ଠାରୁ ଆରମ୍ଭ କରି ରୋହିଙ୍ଗ୍ୟାଙ୍କ ପର୍ଯ୍ୟନ୍ତ, ଭାରତ ପାଲଟିଛି ଶରଣାର୍ଥୀଙ୍କ ଆଶ୍ରୟସ୍ଥଳ । ଅନୁପ୍ରବେଶ ସାଙ୍ଗକୁ ବଢିଛି ସୁରକ୍ଷା ଚିନ୍ତା । ନଜର ପକାନ୍ତୁ ଭାରତ ଇତିହାସରେ ପ୍ରମୁଖ ଶରଣାର୍ଥୀ ସଙ୍କଟ ଉପରେ ।

ପଡୋଶୀ ଦେଶର ହିଂସାରେ ସବୁବେଳେ ପ୍ରଭାବିତ ଭାରତ, ନଜର ପକାନ୍ତୁ ଭାରତ ସମ୍ନା କରିଥିବା ପ୍ରମୁଖ ଶରଣାର୍ଥୀ ସଙ୍କଟ ଉପରେ
ପଡୋଶୀ ଦେଶର ହିଂସାରେ ସବୁବେଳେ ପ୍ରଭାବିତ ଭାରତ, ନଜର ପକାନ୍ତୁ ଭାରତ ସମ୍ନା କରିଥିବା ପ୍ରମୁଖ ଶରଣାର୍ଥୀ ସଙ୍କଟ ଉପରେ (ETV Bharat Odisha)

By ETV Bharat Odisha Team

Published : Aug 8, 2024, 8:55 PM IST

ହାଇଦ୍ରାବାଦ:ପଡୋଶୀ ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ଓ ଗୃହଯୁଦ୍ଧ ସ୍ଥିତିର ସିଧା ପ୍ରଭାବ ଭାରତରେ ସ୍ପଷ୍ଟ ଅନୁଭୂତ ହେଉଛି । ଦିଲ୍ଲୀରେ ରାଜନୈତିକ ବିଚାର ବିମର୍ଷ ଜାରି ରହିଥିବା ବେଳେ ପୂର୍ବ-ସୀମାରେ ହାଇଆଲର୍ଟ ଜାରି ହୋଇଛି । କାରଣ ବାଂଲାଦେଶ ସହ ଭାରତ ସର୍ବାଧିକ 4 ହଜାର କି.ମିରୁ ଅଧିକ ଅନ୍ତର୍ଜାତୀୟ ସୀମା ସେୟାର କରୁଛି । ବର୍ତ୍ତମାନ ସ୍ଥିତିରେ ହିଂସା ଓ ଉତ୍ପୀଡନର ଶିକାର ହୋଇ ଶରଣାର୍ଥୀ ଜଳପଥରେ ଭାରତମୁହାଁ ହେବାର ଯଥେଷ୍ଟ ଆଶଙ୍କା ରହିଛି ।

ତାମିଲନାଡୁ ଉପକୂଳରେ ଶ୍ରୀଲଙ୍କା ଶରଣାର୍ଥୀ (ETV Bharat Odisha)

ପୂର୍ବ ଉପକୂଳରେ ସୀମା ସୁରକ୍ଷା ବଳ, ଭାରତୀୟ ତଟରକ୍ଷୀ ବାହିନୀ ଓ ରାଜ୍ୟ ପୋଲିସର ସାମୁଦ୍ରିକ ଥାନା ପୋଲିସକୁ ଆଲର୍ଟ ମୋଡରେ ରଖାଯାଇଛି । ତେବେ 6ଟି ଦେଶ ସହ ସ୍ଥଳସୀମା ଓ ଗୋଟିଏ ଦେଶ ସହ ଜଳସୀମା ସେୟାର କରୁଥିବା ଭାରତରେ ଶରଣାର୍ଥୀ ସଙ୍କଟ ଏକ ବଡ ସମସ୍ୟା ଭାବେ ସ୍ବାଧୀନତା ପୂର୍ବରୁ ରହିଆସିଛି । ଏହି ସମସ୍ୟା ଭାରତୀୟ ବ୍ୟବସ୍ଥାରେ ମଧ୍ୟ ସମାଧାନର କାରଣ ଖୋଜିଛି । ମାନବୀୟ ଦୃଷ୍ଟିକୋଣ ବଜାୟ ସହ ଦେଶର ସୁରକ୍ଷା ଓ ନିରାପତ୍ତାକୁ ରଖି ଭାରତ ଏହାର ସମାଧାନ କରିବା ପାଇଁ ସର୍ବଦା ଚେଷ୍ଟା କରିଆସିଛି । ଏହାରି ମଧ୍ୟରେ ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ଏବେ ଏହି ସଙ୍କଟର ଇତିହାସକୁ ସ୍ମରଣ କରିବା ପାଇଁ ବାଧ୍ୟ କରିଛି । ନଜର ପକାନ୍ତ ଭାରତ ଇତିହାସରେ ପ୍ରମୁଖ ଶରଣାର୍ଥୀ ସଙ୍କଟ ଉପରେ...

  • ୟୁରୋପରୁ ଭାରତକୁ ପଳାୟନ କରିଥିଲେ ଇହୁଦୀ ଶରଣାର୍ଥୀ:-
    ଭାରତ ବିଭାଜନ ସମୟର କିଛି ହୃଦୟ ବିଦାରକ ଦୃଶ୍ୟ (ETV Bharat Odisha)

ପରାଧୀନ ଭାରତରେ 1930-40 ମସିହାରେ ଭାରତ ଶରଣାର୍ଥୀ ସମସ୍ୟାର ସମ୍ମୁଖୀନ ହୋଇଥିଲା । ୟୁରୋପରୁ ଭାରତକୁ ପଳାୟନ କରିଥିଲେ ‘ଇହୁଦୀ’ ସମ୍ପ୍ରଦାୟର ଲୋକେ । ଜର୍ମାନୀରେ ତତ୍କାଳୀନ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଦ୍ବାରା ଗଣହତ୍ୟାର ଶିକାର ହୋଇଥିବା ଏହି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକେ ଭାରତ ପଳାୟନ କରିଥିଲେ । ପରେ ଇଟାଲୀ, ଅଷ୍ଟ୍ରିଆ ଓ ଆଫଗାନିସ୍ତାନ, ଉତ୍ତର-ଆଫ୍ରିକା, ପୋଲାଣ୍ଡ ଓ ଇରାକ ପରି ଦେଶରୁ ମଧ୍ୟ ଶରଣାର୍ଥୀ ଭାରତ ଆସିଥିଲେ । ସେତେବେଳେ ଏହି ପଳାୟନର ମୁଖ୍ୟ କାରଣ ଥିଲା ଧାର୍ମିକ ଉତ୍ପୀଡନ ଓ ବିଶ୍ବଯୁଦ୍ଧର ପ୍ରଭାବ । ଏହି ଶରଣାର୍ଥୀଙ୍କର ବଂଶଜ ଏବେ ମଧ୍ୟ ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବା ନଜର ଆସନ୍ତି ।

  • ଭାରତ-ପାକିସ୍ତାନ ବିଭାଜନ:

1947ରେ ସ୍ବାଧୀନ ଭାବେ ବିଶ୍ବ ରାଜନୈତିକ ମାନଚିତ୍ରରେ ଆତ୍ମପ୍ରକାଶ କରିଥିବା ଭାରତ ଦେଖିଥିଲା ଶରଣାର୍ଥୀ ସଙ୍କଟର ଚରମ ଦୁର୍ଦ୍ଦଶା । ବ୍ରିଟିଶ ଶାସନରୁ ମୁକ୍ତ ହେବା ପରେ ବିଶାଳ ଭାରତ ଧର୍ମ ଆଧାରେ ବିଭାଜିତ ହୋଇଥିଲା । ପାକିସ୍ତାନ ନୂଆ ଦେଶ ଭାବେ ଆତ୍ମପ୍ରକାଶ କଲା । ସେତେବେଳେ ଉଭୟ ପାର୍ଶ୍ବରୁ ପ୍ରାୟ 12ରୁ 15 ମିଲିୟନ ଶରଣାର୍ଥୀ ସେମାନଙ୍କ ପୈତୃକ ଭିଟ୍ଟାମାଟି ଛାଡିବାକୁ ବାଧ୍ୟ ହୋଇଥିଲେ । ଐତିହାସିକଙ୍କ ତଥ୍ୟ ଅନୁସାରେ, ପ୍ରାୟ 7.5 ମିଲିୟନ ହିନ୍ଦୁ ଓ ଶିଖ୍‌ ପାକିସ୍ତାନରୁ ଭାରତ ଆସିଥିଲେ । ସେତେବେଳେ ଏହି ବିଭାଜନ ପ୍ରକ୍ରିୟା ଉତ୍କଟ ମାନବୀୟ ସଙ୍କଟ ସୃଷ୍ଟି କରିଥିଲା । ଭୋକ, ବ୍ୟାଧି କାରଣରୁ ଲକ୍ଷାଧିକ ଶରଣାର୍ଥୀଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା । 1947 ରେ ସେମାନଙ୍କ ପାଇଁ ରିଲିଫ ଓ ପୁନଃଥଇଥାନ ନାମରେ ଏକ ସ୍ବତନ୍ତ୍ର ମନ୍ତ୍ରଣାଳୟ ମଧ୍ୟ ଖୋଲିବାକୁ ପଡିଥିଲା । ଧର୍ମ ନାମରେ ବିଶାଳ ଦେଶ ବିଭାଜିତ କରିବା ନିଷ୍ପତ୍ତି କେତେ ଯେ ଦୁର୍ଦ୍ଦଶାପୂର୍ଣ୍ଣ ହୋଇପାରେ ତାହା ସମଗ୍ର ବିଶ୍ବକୁ ସେତେବେଳେ ଏହି ଘଟଣା ଅନୁଭବ କରିବାକୁ ବାଧ୍ୟ କରିଥିଲା ।

ଭାରତରେ ଶରଣ ନେଇଥିଲେ ବୌଦ୍ଧ ଧର୍ମାବଲମ୍ବୀଙ୍କ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା (ETV Bharat Odisha)
  • 1959 ତିବ୍ଦତୀୟ ଶରଣାର୍ଥୀ ସଙ୍କଟ:-

ସ୍ବାଧୀନତା ପରବର୍ତ୍ତୀ ସ୍ଥିତିରେ ସବୁଠାରୁ ବଡ ଶରଣାର୍ଥୀ ସଙ୍କଟ ଥିଲା 1959 ମସିହାର ଚୀନ ଅଧିକୃତ ତିବ୍ବତୀୟଙ୍କ ଭାରତରେ ଅନୁପ୍ରବେଶ । ଚୀନ ସେନାର ଉତ୍ପୀଡନରେ ତିବ୍ବତର ବୌଦ୍ଧ ଧର୍ମାବଲମ୍ବୀଙ୍କ ସର୍ବୋଚ୍ଚ ଧର୍ମଗୁରୁ ଦଲାଇଲାମା ପ୍ରାୟ ଏକ ଲକ୍ଷ (100,000) ରୁ ଅଧିକ ଅନୁଗାମୀଙ୍କ ସହ ରାଜନୈତିକ ଆଶ୍ରୟ ନେବାକୁ ତିବ୍ଦତ ଛାଡି ଭାରତରେ ପ୍ରବେଶ କରିଥିଲେ । ଭାରତ ସରକାର ଏହାକୁ ଗମ୍ଭୀରତାର ସହ ନେଇଥିଲା । ତିବ୍ଦତୀୟ ଶରଣାର୍ଥୀମାନେ ଉତ୍ତର ଏବଂ ଉତ୍ତର-ପୂର୍ବ ଭାରତୀୟ ରାଜ୍ୟ ଗୁଡିକରେ ବସବାସ କରିଥିଲେ । ତିବ୍ଦତୀୟ ସମ୍ପ୍ରଦାୟର ଆଧ୍ୟାତ୍ମିକ ମୁଖ୍ୟ ଦଲାଇଲାମାଙ୍କ ହିମାଚଳ ପ୍ରଦେଶର ଧର୍ମଶାଳାରେ ଥଇଥାନ କରିବାର ବ୍ୟବସ୍ଥା କରିଥିଲେ ତତ୍କାଳୀନ ସରକାର । ଗୃହ ମନ୍ତ୍ରଣାଳୟର 2022-23 ବାର୍ଷିକ ରିପୋର୍ଟ ଅନୁଯାୟୀ, କେନ୍ଦ୍ରୀୟ ତିବ୍ଦତୀୟ ରିଲିଫ କମିଟି (CTRC) ଦ୍ୱାରା ହୋଇଥିବା ଶେଷ ଜନଗଣନା ଅନୁଯାୟୀ, ଭାରତରେ ତିବ୍ଦତୀୟ ଶରଣାର୍ଥୀଙ୍କ ସଂଖ୍ୟା ଏବେ 73,404 ରହିଛି । ଏବେ ମଧ୍ୟ ଦଲାଇଲାମା ଭାରତରେ ରହିଛନ୍ତି ।

ପଡୋଶୀ ଦେଶର ହିଂସାରେ ସବୁବେଳେ ପ୍ରଭାବିତ ଭାରତ (ETV Bharat Odisha)
  • 1960 ବାଂଲାଦେଶର ଚିତାଗଙ୍ଗ ଶରଣାର୍ଥୀ ସଙ୍କଟ:-

ବର୍ତ୍ତମାନ ବାଂଲାଦେଶ ସେତେବେଳେ ପୂର୍ବ-ପାକିସ୍ତାନ ଥିଲା । ଧାର୍ମିକ ଉତ୍ପୀଡନ, ହିଂସା ପ୍ରଭାବରେ ଚିତାଗଙ୍ଗ ଏରିଆରୁ ‘ଚକମା’ ଏବଂ ‘ହାଜୋଙ୍ଗ’ ସମ୍ପ୍ରଦାୟର ଶରଣାର୍ଥୀ ହଜାର ହଜାର ସଂଖ୍ୟାରେ ଭାରତୀୟ ସୀମାରେ ଅନୁପ୍ରବେଶ କଲେ । ସେମାନେ ଆଜି ମଧ୍ୟ 6 ଦଶନ୍ଧିରୁ ଅଧିକ ହେଲା ଭାରତରେ ବସବାସ କରୁଛନ୍ତି । ଅଧିକାଂଶ ଉତ୍ତର-ପୂର୍ବ ଏବଂ ପଶ୍ଚିମବଙ୍ଗରେ ଦେଖାଯାଉଥିବା ଏହି ସମ୍ପ୍ରଦାୟର ଲୋକେ ବାଂଲାଦେଶ ତିତାଗଙ୍ଗର ମୂଳ ବାସିନ୍ଦା । 2011 ଜନଗଣନା ଅନୁଯାୟୀ, କେବଳ ଅରୁଣାଚଳ ପ୍ରଦେଶରେ 47,471 ଚକମା ସମ୍ପ୍ରଦାୟର ଲୋକେ ବାସ କରନ୍ତି । 2015 ସର୍ବୋଚ୍ଚ କୋର୍ଟଙ୍କ ନିର୍ଦ୍ଦେଶ ପରେ 2016ରେ ଏମାନଙ୍କୁ ଭାରତୀୟ ନାଗରକିତା ମଧ୍ୟ ପ୍ରଦାନ କରାଯାଇସାରିଛି ।

  • 1971 ବାଂଲାଦେଶ ମୁକ୍ତି ସଂଗ୍ରାମ ଓ ଉତ୍କଟ ଶରଣାର୍ଥୀ ସମସ୍ୟା :-
    ବାଂଲାଦେଶ ମୁକ୍ତି ସଂଗ୍ରାମ (ETV Bharat Odisha)

1971ରେ ତତ୍କାଳୀନ ପୂର୍ବ-ପାକିସ୍ତାନରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହେଲା । ଏହାକୁ ଦମନ କରିବାକୁ ପାକିସ୍ତାନ ସେନା ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ କଲା । ବାଂଲାଦେଶର ଗରିଲା ସେନା ‘ମୁକ୍ତି ବାହିନୀ’ ଓ ପାକିସ୍ତାନ ଆର୍ମି ମଧ୍ୟରେ ଗରିଲା ଯୁଦ୍ଧ ଆରମ୍ଭ ହେଲା । ପାକିସ୍ତାନ ସେନା ସେଠାରେ ନରସଂହାର ଓ ଅମାନବୀୟ ଦମନଲୀଳା ଚଳାଇଲା । ଫଳରେ ଲକ୍ଷାଧିକ ସଂଖ୍ୟାରେ ବାଂଲା ଭାଷାଭାଷୀ ବଙ୍ଗୀୟ ମୁସଲିମ ପ୍ରାଣ ଭୟରେ ଦେଶ ଛାଡି ଭାରତୀୟ ସୀମାରେ ଅନୁପ୍ରବେଶ କଲେ । ପରେ ଉତ୍କଟ ସରଣାର୍ଥୀ ସଙ୍କଟ ପାଇଁ ଭାରତୀୟ ସେନା ଏହି ମାମଲାରେ ହସ୍ତକ୍ଷେପ କରିବାକୁ ବାଧ୍ୟ ହେଲା । 1971ରେ ପାକିସ୍ତାନ ସେନା ଭାରତ ନିକଟରେ ଆତ୍ମସମର୍ପଣ କରିବା ସହ ପୂର୍ବ-ପାକିସ୍ତାନ ସ୍ବାଧୀନ ବାଂଲାଦେଶ ଭାବେ ଆତ୍ମପ୍ରକାଶ କଲା । ସେତେବେଳେ ପ୍ରାୟ 10 ମିଲିୟନ ବଙ୍ଗୀୟ ଶରଣାର୍ଥୀ ବିଭିନ୍ନ ଉତ୍ତର ଭାରତୀୟ ରାଜ୍ୟରେ ଅନୁପ୍ରବେଶ କରିଥିଲେ । ଲକ୍ଷାଧିକ ଶରଣାର୍ଥୀଙ୍କର ମୃତ୍ୟୁ ହୋଇଥିଲା ।

  • ଶ୍ରୀଲଙ୍କା:-
    ଶରଣାର୍ଥୀ ଶିବିରରେ ବିତୁଛି ଜୀବନ (ETV Bharat Odisha)

ସେହିପରି ଦକ୍ଷିଣରେ ଜଳସୀମା ସଲଗ୍ନ ପଡୋଶୀ ଦ୍ବୀପରାଷ୍ଟ୍ର ଶ୍ରୀଲଙ୍କା ଦ୍ବାରା ମଧ୍ୟ ଭାରତ ଶରଣାର୍ଥୀ ସଙ୍କଟର ସମ୍ମୁଖୀନ ହୋଇଛି । 80 ଦଶକରେ ସ୍ବତନ୍ତ୍ର ‘ଇଲମ ଦେଶ’ ଦାବି କରୁଥିବା ବିଛିନ୍ନତାବାଦୀ ସଂଗଠନ ‘ଏଲଟିଟିଆଇ’ ଓ ଶ୍ରୀଲଙ୍କା ସେନା ମଧ୍ୟରେ ଲଢେଇରେ ସୃଷ୍ଟି ହୋଇଥିବା ମାନବୀୟ ସଙ୍କଟରେ ଏକାଧିକ ଥର ସିଂହଳୀ ଶରଣାର୍ଥୀମାନେ ଜଳସୀମା ଅତିକ୍ରମ କରି ତାମିଲନାଡୁରେ ପ୍ରବେଶ କରିବାକୁ ବାଧ୍ୟ ହୋଇଛନ୍ତି । ବର୍ଷ 1964, 1983 ଓ 2009 ଏମାନେ ବହୁସଂଖ୍ୟାରେ ଭାରତ ପଳାୟନ କରିଥିଲେ । ଗୃହ ମନ୍ତ୍ରଣାଳୟର 2021-2022 ତଥ୍ୟ ଅନୁସାରେ, ଭାରତରେ ସିଂହଳୀ ଶରଣାର୍ଥୀଙ୍କ ସଂଖ୍ୟା ପ୍ରାୟ 3,04,269 ରହିଛି । ଗତବର୍ଷ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତାରେ ମଧ୍ୟ ଭାରତରେ ହାଇଆଲର୍ଟ ଜାରି ହୋଇଥିଲା ।

  • ରୋହିଙ୍ଗ୍ୟା:-
    ବାଂଲାଦେଶୀଙ୍କ ଠାରୁ ରୋହିଙ୍ଗ୍ୟା (ETV Bharat Odisha)

ପାକିସ୍ତାନ ଓ ବାଂଲାଦେଶକୁ ବାଦ ଦେଲେ ଭାରତ ପ୍ରତି ସର୍ବାଧିକ ନିରାପତ୍ତା ଆହ୍ବାନ ସୃଷ୍ଟି କରିଛନ୍ତି ମିଆଁମାରର ରୋହିଙ୍ଗ୍ୟା ଶରଣାର୍ଥୀ । 1970 1990, 2012 ଓ 2016-17ରେ ଏମାନେ ହଜାର ହଜାର ସଂଖ୍ୟାରେ ଭାରତରେ ଅନୁପ୍ରବେଶ କରିଥିଲେ । ତେବେ ଏହି ସମ୍ପ୍ରଦାୟ ମିଆଁମାରରେ ଆର୍ଥିକ ସଙ୍କଟ ମଧ୍ୟରେ ସୀମାବର୍ତ୍ତୀ ଭାରତ ଓ ବାଂଲାଦେଶରେ ଅନୁପ୍ରବେଶ କରୁଛନ୍ତି । ଜାତିସଂଘ ଶରଣାର୍ଥୀ ଆୟୋଗ (UNHCR)ର ତଥ୍ୟ ଅନୁସାରେ, ଏବେ ଭାରତରେ ପ୍ରାୟ 22,000 ରୋହିଙ୍ଗ୍ୟା ଶରଣାର୍ଥୀ ରହିଛନ୍ତି ।

  • ନେପାଳ ଭୂକମ୍ପ ପରେ ଶରଣାର୍ଥୀ ସମସ୍ୟା :-

2015 ରେ ନେପାଳରେ ହୋଇଥିବା ସର୍ବଗ୍ରାସୀ ଭୂକମ୍ପ ପରେ ଶରଣାର୍ଥୀ ସମସ୍ୟା ବଢିଥିଲା । ବିହାର ଓ ଉତ୍ତର ପ୍ରଦେଶ ପରି ଉତ୍ତର ଭାରତୀୟ ସୀମାନ୍ତ ରାଜ୍ୟରେ ଏମାନେ ଅନୁପ୍ରବେଶ କରିଥିଲେ । ଭାରତୀୟ ସୀମା ବଳ ସେତେବେଳେ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା । ଭାରତ ପକ୍ଷରୁ ଏପରି କଠିନ ସମୟରେ ନେପାଳକୁ ସହୟତା ସାମଗ୍ରୀ ମଧ୍ୟ ପ୍ରେରଣ କରାଯାଇଥିଲା ।

ସୀମାରେ ପାଟ୍ରୋଲିଂ କରୁଛି ବିଏସଏଫ (ETV Bharat Odisha)

ତେବେ ମାନବାଧିକାର ଓ ମାନବୀୟ ବିକାଶ କୈନ୍ଦ୍ରିକ ଏକବିଂଶ ଶତାବ୍ଦୀର ଦ୍ବିତୀୟାର୍ଦ୍ଧରେ ଶରଣାର୍ଥୀ ସଙ୍କଟ ବିଶ୍ବ ସମୂଦାୟକୁ ଆଉ ଥରେ ଚିନ୍ତା କରିବାକୁ ବାଧ୍ୟ କରିଛି । ସେ ୟୁରୋପ ହେଉକି, ମଧ୍ୟପ୍ରାଚ୍ୟ କିମ୍ବା ପୂର୍ବ ଏସିସା । ଜାତି, ଧର୍ମ, ରଙ୍ଗ, ଆର୍ଥିକ ଓ ରାଜନୈତିକ କ୍ଷମତା ଯୁଦ୍ଧ ମଧ୍ୟରେ ସଙ୍କଟ ମଧ୍ୟକୁ ଠେଲି ହୋଇଯାଉଛି ଲକ୍ଷ ଲକ୍ଷ ଶରଣାର୍ଥୀଙ୍କ ଜୀବନ । ନିଜ ଦେଶ, ଭିଟ୍ଟାମାଟି, ପରିଚୟ, ପରିବାର ସବୁ ଛାଡି ଏମାନେ ବଞ୍ଚିବାକୁ ସଂଘର୍ଷ କରିବାକୁ ବାଧ୍ୟ ହୋଇଛନ୍ତି । ଏପରି ସ୍ଥିତିରେ ବିକାଶିତ ଦେଶମାନେ ଏହାକୁ ନେଇ ପୁଣି ଥରେ ଚିନ୍ତା କରିବାର ସମୟ ଆସିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details