ଓଡିଶା

odisha

By ETV Bharat Odisha Team

Published : May 10, 2024, 5:11 PM IST

ETV Bharat / bharat

ଓଡ଼ିଶାର ସତ୍ୟନାରାୟଣ ଗଙ୍ଗାରାମରୁ କେମିତି ପାଲଟିଲେ ସାମ ପିଟ୍ରୋଡା ? ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟ କହି ଏବେ ବିବାଦରେ - Who is Sam Pitroda

All you need to know about Sam Pitroda: ଓଡ଼ିଶାରେ ଜନ୍ମ ନେଇଥିବା ସତ୍ୟନାରାୟଣ ଗଙ୍ଗାରାମ ପିଟ୍ରୋଡା କିପରି ହେଲେ ସାମ ପିଟ୍ରୋଡା ? ନିକଟରେ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟ ଓ ପୂର୍ବୋତ୍ତର ରାଜ୍ୟବାସୀଙ୍କୁ ଚାଇନିଜ କହି ହୋଇଛନ୍ତି ସମାଲୋଚିତ । ଜାଣନ୍ତୁ ସାମ ପିଟ୍ରୋଡାଙ୍କ ବିଷୟରେ ଅଧିକ କିଛି ।

Sam Pitroda
Sam Pitroda (Photo-ETV BHARAT ODISHA)

ହାଇଦ୍ରାବାଦ:ନିକଟ ଅତୀତରେ ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଆସିଛନ୍ତି ପୂର୍ବତନ କଂଗ୍ରେସ ନେତା ସାମ ପିଟ୍ରୋଡା । କେତେବେଳେ ଭାରତୀୟଙ୍କୁ 'ମାଙ୍କଡ଼' କହିଛନ୍ତି ତ ଆଉ କେତେବେଳେ ଭାରତୀୟଙ୍କ ବିଭେଦତାକୁ ନେଇ ସମାଲୋଚନା କରିଛନ୍ତି । ଗତ କିଛି ଦିନ ତଳେ ଏକ ସାକ୍ଷାତକାରରେ ଭାରତୀୟଙ୍କୁ ନେଇ ଦେଇଥିବା ଏକ ବିବାଦୀୟ ବୟାନ ନେଇ ତାଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଛି । ସେ ଦେଶର ପୂର୍ବୋତ୍ତର ରାଜ୍ୟବାସୀଙ୍କୁ ଚାଇନିଜ ଓ ଦକ୍ଷିଣ ଭାରତୀୟଙ୍କୁ ଆଫ୍ରିକୀୟ ବୋଲି କହିଛନ୍ତି । ତେବେ ଓଡ଼ିଶାରେ ଜନ୍ମ ନେଇଥିବା ଏହି ବ୍ୟକ୍ତି ଜଣକ କିପରି ପରବର୍ତ୍ତୀ ସମୟରେ ସତ୍ୟନାରାୟଣରୁ ସାମ ପିଟ୍ରୋଡା ପାଲଟିଲେ ଆସନ୍ତୁ ଜାଣିବା ।

ଏହି ବିବାଦୀୟ ବୟାନ ଦେବା ପରେ ସାମ ପିଟ୍ରୋଡାଙ୍କୁ ବିରୋଧୀ ଓ ଦେଶବାସୀଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଛି । ଏହାପରେ ସେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବୁଧବାର ଏକ ଜାତୀୟ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ପିଟ୍ରୋଡା କହିଥିଲେ, "ଭାରତ ଭଳି ବିବିଧତାପୂର୍ଣ୍ଣ ଦେଶକୁ ଆମେ ଯୋଡି ରଖିପାରିବା । ଭାରତର ପୂର୍ବୋତ୍ତର ଲୋକେ ଚାଇନିଜ ଭଳି ଦେଖାଯାନ୍ତି, ପଶ୍ଟିମ ଭାରତ ଲୋକେ ଆରବ ଭଳି ଦେଖାଯାନ୍ତି, ଉତ୍ତରରେ ଲୋକେ ଶ୍ବେତବର୍ଣ୍ଣର ହୋଇଥିବା ବେଳେ ଦକ୍ଷିଣ ଭାରତ ଲୋକେ ଆଫ୍ରିକୀୟ ଭଳି ଦେଖାଯାଆନ୍ତି । ଏଥିରେ କିଛି ଫରକ ପଡେନି । ଆମେ ସମସ୍ତେ ଭାଇ ଭଉଣୀ ।"

ପିଟ୍ରୋଡାଙ୍କ ବାଲ୍ୟ କାଳ:- ଗୁଜୁରାଟୀ ପରିବାରରୁ ଆସୁଥିବା ସାମ ପିଟ୍ରୋଡା 1942 ମସିହାରେ ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର 7 ଭାଇ ଭଉଣୀ ଥିବା ବେଳେ ସେ ତୃତୀୟ ସନ୍ତାନ ଥିଲେ । ତାଙ୍କ ପରିବାର ଗାନ୍ଧୀବାଦୀ ଥିଲେ । ମହାତ୍ମା ଗାନ୍ଧୀଙ୍କ ବିଚାରଧାରାରେ ସେ ବେଶ ପ୍ରଭାବିତ ଥିଲେ । ଏହାପରେ ସେ ନିଜ ଭାଇଙ୍କ ସହ ଗୁଜୁରାଟ ଆସିଥିବା ବେଳେ ଏଠାରେ ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । ଭୌତିକ ବିଜ୍ଞାନରେ ଭଦୋଦରା ସ୍ଥିତ ମହାରାଜା ସୟାଜିରାଓ ବିଶ୍ବବିଦ୍ୟାଳୟ ସେ ସ୍ନାତକୋତ୍ତର ହାସଲ କରିଛନ୍ତି । ଏହାପରେ 1964ରେ ଆମେରିକା ଗସ୍ତ କରି ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସ୍ନାତକୋତ୍ତର ହାସଲ କରିଥିଲେ ।

'ଜଣେ ପ୍ରତିଷ୍ଠିତ ବ୍ୟବସାୟୀ':- ସାମ ପିଟ୍ରୋଡା ଅନ୍ତର୍ଜାତୀୟ ସ୍ତରରେ ଜଣେ ପ୍ରତିଷ୍ଠିତ ବ୍ୟବସାୟୀ ଭାବେ ବେଶ ଜଣାଶୁଣା । ସେ ଏକାଧାରାରେ ଜଣେ ଉଦ୍ୟୋଗୀ, ନୀତି ନିର୍ମାତା, ଟେଲିକମ ଇନଭେଣ୍ଟର । ପିଟ୍ରୋଡାଙ୍କ ଟେଲି ଯୋଗାଯୋଗ ଶିଳ୍ପରେ ଅବଦାନ ରହିଥିବା ବେଳେ ସୂଚନା ଏବଂ ଯୋଗାଯୋଗ ପ୍ରଯୁକ୍ତିବିଦ୍ୟା (ଆଇସିଟି) କ୍ଷେତ୍ରରେ ତାଙ୍କର ପାରଦର୍ଶିତା ରହିଛି । ଏହି କ୍ଷେତ୍ରରେ ନିଜର ସାମର୍ଥ୍ୟ ପାଇଁ ସେ ଅନ୍ତର୍ଜାତୀୟ ସ୍ତରରେ ସ୍ବୀକୃତିପ୍ରାପ୍ତ ।

ବିବାଦ ଘେରରେ ପିଟ୍ରୋଡା:- ପୂର୍ବରୁ ଅନେକ ଥର ଆପତ୍ତିଜନକ ବୟାନ ଦେଇ ବିବାଦରେ ରହିଆସିଛନ୍ତି ସାମ ପିଟ୍ରୋଡା । ଭାରତୀୟଙ୍କୁ ସେ ମାଙ୍କଡ ବୋଲି କହିଥିଲେ । ମୋବାଇଲ ବ୍ୟବହାରକୁ ନେଇ ଟିପ୍ପଣୀ ଦେବା ଅବସରରେ ମାଙ୍କଡ ହାତରେ ନୂଆ ଖେଳନା ବୋଲି କହିଥିଲେ । ଏହାପରେ ତାଙ୍କୁ ସୋସିଆଲ ମିଡିଆରେ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା ।

ଏହା ବି ପଢନ୍ତୁ- ପୁଣି ପିଟ୍ରୋଡାଙ୍କ ବିବାଦୀୟ ବୟାନ; ପୂର୍ବ ଭାରତୀୟ ଲୋକ ଚାଇନିଜ୍ ଭଳି ଦେଖିବାକୁ...କଂଗ୍ରେସ କହିଲା ଦୁର୍ଭାଗ୍ୟଜନକ

ଏହା ବି ପଢନ୍ତୁ- ଭାରତୀୟଙ୍କୁ ‘ମାଙ୍କଡ’ କହି ବିବାଦରେ ପିଟ୍ରୋଡା

ABOUT THE AUTHOR

...view details