Raja Celebration: ଭଳିକି ଭଳି ପିଠାପଣାରେ ମହକୁଛି ପୁରପଲ୍ଲୀ
🎬 Watch Now: Feature Video
ଜଗତସିଂହପୁର: ଓଡିଶାର ଗଣପର୍ବ ରଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ରଜ ଦୋଳି ସହିତ ରଜ ପାନ, ପୋଡ଼ପିଠାରେ ପୁରପଲ୍ଲୀ ମହକି ଉଠିଛି । ରଜକୁ ନେଇ ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି । ଆଜି ପ୍ରଥମ ରଜରେ କୁମାରୀମାନେ ନୂତନ ବସ୍ତ୍ର ପରିଧାନ ସହିତ ରଜଦୋଳି ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଚଳିତ ବର୍ଷ ପ୍ରବଳ ରୌଦ୍ରତାପ, ରଜ ମଉଜକୁ ସାମାନ୍ୟ ପ୍ରଭାବିତ କରିଛି । ପ୍ରବଳ ଖରା ଯୋଗୁଁ ଦିନ 9ଟା ପରେ ଘରୁ ବାହାରିବା ସମ୍ଭବ ହେଉ ନାହିଁ । ଗତ 3 ବର୍ଷ ଧରି କୋଭିଡ କଟକଣା ଯୋଗୁଁ ପାଳନ କରାଯାଇନଥିବାବେଳେ ଚଳିତ ବର୍ଷ ରଜ ପାଳନକୁ ନେଇ ଲୋକଙ୍କ ମନରେ ଉତ୍ସାହ ଭରି ରହିଥିଲା । କିନ୍ତୁ ଏଥିରେ ବାଧକ ସାଜିଛି ରୌଦ୍ରତାପ । କେତେକ ଅନୁଷ୍ଠାନ ପକ୍ଷରୁ ରଜ ମହୋତ୍ସବ ପାଳନ କରୁଥିଲେ ମଧ୍ୟ ସାଧାରଣ ଲୋକଙ୍କ ସମାଗମ କମ ରହିଛି । ତେବେ ଘରେ ଘରେ ଆଜି ପୋଡ଼ ପିଠା ସାଙ୍ଗକୁ ରଜ ପାନର ମଜା ଉଠାଉଛନ୍ତି ଲୋକେ ।
ଇଟିଭି ଭାରତ, ଜଗତସିଂହପୁର