ନୀଳାଚଳେ ଜଗନ୍ନାଥ: ରତ୍ନବେଦୀରୁ ଜନ୍ମବେଦୀକୁ ନବଦିନାତ୍ମକ ଯାତ୍ରାରେ ଶ୍ରୀଜୀଉ
🎬 Watch Now: Feature Video
ପୁରୀ: କୋରୋନା କାଳରେ ମହାପ୍ରଭୁଙ୍କ ମହାଲୀଳା । ଲୀଳାପୁରୁଷଙ୍କ ମହୋତ୍ସବ । ଆଷାଢ ଶୁକ୍ଲ ଦ୍ବିତୀୟାରେ ମହାପ୍ରଭୁଙ୍କ ଅନୁଷ୍ଠିତ ହୋଇଯାଇଛି ରଥଯାତ୍ରା । ରତ୍ନବେଦୀ ଛାଡି ରଥରେ ଚଢି ଜନ୍ମବେଦୀ ଯିବେ ତିନି ଠାକୁର । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ ଭକ୍ତ ଶୂନ୍ୟ ରହିଥିଲା ବଡଦାଣ୍ଡ । ହେଲେ ମାତ୍ର ଶ୍ୟାମଳମେଘ ପ୍ରାୟ କଳା ଶରୀରକୁ ରଥ ଉପରେ ସ୍ବଗୃହରେ ରହି ଦର୍ଶନ କରି ଧନ୍ୟ ହୋଇଛନ୍ତି ଭକ୍ତଜନ । ରଥଯାତ୍ରା ପାଇଁ ପୁଷ୍ପମଣ୍ଡିତ ହୋଇ ସୁସଜ୍ଜିତରେ ଝଲସୁଥିଲା ଶ୍ରୀମନ୍ଦିର । ବିଶ୍ବ ପ୍ରସିଦ୍ଧ, ବିଶ୍ବ ବିଦିତ ପବିତ୍ର ଘୋଷଯାତ୍ରା ପାଇଁ ବ୍ରାହ୍ମ ମୂହୁର୍ତ୍ତରୁ ମହାପ୍ରଭୁଙ୍କ ମଙ୍ଗଳ ଆଳତି ତଡ଼ପ ଲାଗି, ରୋଷହୋମ ଓ ଅବକାଶ ନୀତି ହୋଇଛି ଦ୍ବାରପାଳ ପୂଜା ପରେ ରଥ ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା । ଏହାପରେ ଆରମ୍ଭ ହୋଇଥିଲା ଦିବ୍ୟ, ଭବ୍ୟ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନ ଏବଂ ପରେ ବଡ ଭାଇ ବଳଭଦ୍ରଙ୍କ ଓ ପରେ ପରେ ସମ୍ପନ୍ନ ହୋଇଥିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି । ଶେଷରେ ମୟୂରଚୂଳିଆ, କୋଟି ଓଡିଆଙ୍କ ମଉଡମଣି, ମହାପ୍ରଭୁ ଶ୍ରୀକ୍ଷେତ୍ର ସାଆନ୍ତେ ଟାହିଆ ହଲେଇ, ଝୁଲେଇ ପହଣ୍ଡିରେ ଆସି ନନ୍ଦିଘୋଷରେ ବିରାଜି ଥିଲେ । ଭକ୍ତ ବିଭୋର ହେଉଥିଲେ ଏଯାତ୍ରା ଦେଖି ଜଗତର ନାଥଙ୍କୁ ଦର୍ଶନ କରି ।