ବାଚସ୍ପତିଙ୍କ ପୋଡିୟମକୁ ଡାଲି ଫିଙ୍ଗିବା ଘଟଣା, ଏମିତି କହିଲେ ରାଜନୀତି ସମୀକ୍ଷକ

By ETV Bharat Odisha Team

Published : Sep 30, 2023, 10:00 AM IST

thumbnail

କଟକ: ବିଧାନସଭା ଅଧିବେଶନରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ପୋଡିୟମ ଉପରକୁ ବିରୋଧୀଙ୍କ ଡାଲି ଫିଙ୍ଗିବା ଘଟଣାକୁ ନେଇ ଚର୍ଚ୍ଚା ଜୋରରେ ଧରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାଜନୀତି ସମୀକ୍ଷକ ଡ଼ଃ ଓମକାର ରାଉତ । ତାଙ୍କ କହିବା ଅନୁଯାୟୀ ବାଚସ୍ପତି ହେଉଛନ୍ତି ଗୃହର ମୁଖ୍ୟ । ତାଙ୍କୁ ସମସ୍ତେ ସମ୍ମାନ ଦେବା ଉଚିତ । ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ ଗୃହର ଗାରିମା ରଖିବା ସମସ୍ତ ସଦସ୍ୟଙ୍କ କର୍ତ୍ତବ୍ୟ । ଏଭଳି ସ୍ଥିତିରେ ଗୃହ ଭିତରେ ଗୁରୁବାର ଯେଉଁ ଅଘଟଣ ଘଟିଲା ତାହା ନିନ୍ଦନୀୟ । ବିରୋଧୀ ଯେଉଁ ଢଙ୍ଗରେ ଡାଲି ପିଙ୍ଗିଲେ ଏବଂ ଏହାକୁ ନେଇ ଯେଉଁ ଉପହାର ଦେବା କଥା କହୁଛନ୍ତି ତାହା ଠିକ ନୁହେଁ । ଡାଲି କାହିଁକି ପିଙ୍ଗିଲେ ତାହାର ବି କାରଣ ରହିଛି । 

୨୦୧୫ ମସିହାରେ ପ୍ରମିଳା ମଲ୍ଲିକଙ୍କ ବିରୋଧରେ ଡାଲି ଦୁର୍ନୀତି ଅଭିଯୋଗ ହୋଇଥିଲା । ଏହି କାରଣରୁ ସେ ଇସ୍ତଫା ବି ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ଭିଜିଲାନ୍ସ ଅଦାଲତ ତାଙ୍କୁ କ୍ଲିନଚିଟ ଦେଇଥିଲେ । ଏହି ଘଟଣାକୁ କେନ୍ଦ୍ରକରି ବିରୋଧୀମାନେ ବିଧାନସଭା ଗୃହ ଭିତରେ ଜଣେ ବାଚସ୍ପତିଙ୍କୁ ଏପରି ବ୍ୟବହାର କରିବା ଅସାମ୍ବିଧାନିକ ବୋଲି ଓମକାର ରାଉତ କହିଛନ୍ତି ।

ଏହାମଧ୍ୟ ପଢନ୍ତୁ: Assembly Session: ବାଚସ୍ପତିଙ୍କୁ ଡାଲି ଫିଙ୍ଗିଲେ ବିଜେପି ବିଧାୟକ, ମୋହନ-ମୁକେଶ ନିଲମ୍ବିତ

କ'ଣ ଘଟିଥିଲା ଗୃହରେ...

ଗତ ଗୁରୁବାର ବିଜେପିର ଦୁଇ ବିଧାୟକ ପଲିଥିନରେ ଡାଲି ନେଇ ଗୃହକୁ ଆସିଥିଲେ । ଗୃହର ମଧ୍ୟଭାଗକୁ ଆସି ହୋହଲ୍ଲା କରିଥିଲେ । ପରେ ବାଚସ୍ପତିଙ୍କ ପୋଡିୟମକୁ ଉଭୟ ଡାଲି ଫିଙ୍ଗିଥିବାର ଅଭିଯୋଗ ହୋଇଥିଲା । ଏହାପରେ ଉଭୟଙ୍କୁ ନିଲମ୍ବିତ କରିବା ପାଇଁ ଶାସକ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ପ୍ରସ୍ତାବ ଆଣିଥିଲେ । ଯାହାକୁ ସର୍ବସମ୍ମତି କ୍ରମେ ଗ୍ରହଣ କରାଯାଇଛି । ବିଧାନସଭାରେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ ଓ ବିଧାୟକ ମୁକେଶ ମହାଲିଙ୍ଗଙ୍କୁ ଅଧିବେଶନର ଅବଶିଷ୍ଟ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ପରେ ବାଚସ୍ପତି ପ୍ରମିଳା ମଲ୍ଲିକ କହିଛନ୍ତି, ‘‘ସସପେଣ୍ଡ ହୋଇଥିବା ଉଭୟ ନେତାଙ୍କ ଆଚରଣ ଓ ଉଚ୍ଚାରଣରେ ଗୃହ ଖୁବ୍ଧ ହୋଇଥିଲେ । ସମ୍ବିଧାନ ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଗୃହର ମତ ନିଆଯାଇ ସସପେଣ୍ଡ କରାଯାଇଛି । ଯାହା ନୀତି ନିୟମ ଅଛି, ତା ଆଧାରରେ ସବୁ କରାଯାଇଛି । ଅଧିବେଶନର ବଳକା ସମୟ ପାଇଁ ସେମାନେ ନିଲମ୍ବନ ହୋଇଛନ୍ତି । ବହୁଥର ସେମାନଙ୍କୁ ଅନୁରୋଧ ଦିଆଯାଇଛି । ଗୃହ କାର୍ଯ୍ୟରେ ସହଯୋଗ କରିବା ଲାଗି କୁହାଯାଇଛି ।’’

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.