thumbnail

By ETV Bharat Odisha Team

Published : Aug 30, 2023, 8:55 AM IST

ETV Bharat / Videos

Watch: ମାତିଛନ୍ତି ଡକାୟତ, ଦୋକାନିଙ୍କୁ ଗୁଳିକରି ଝାମ୍ପି ନେଲେ ଗହଣା ବ୍ୟାଗ୍‌

କନ୍ଧମାଳ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଡକାୟତି ମାମଲା । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସହରରେ ଡକାୟତି ଆତଙ୍କ । ଅଳଙ୍କାର ଦୋକାନ ମାଲିକଙ୍କୁ ଗୁଳିକରି ହାତରୁ ଝାମ୍ପିନେଲେ ଅଳଙ୍କାର ଭର୍ତ୍ତି ବ୍ୟାଗ୍‌ । ବ୍ୟବସାୟୀଙ୍କୁ  ଗୁରୁତର ଅବସ୍ଥାରେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ପୋଲିସ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରି ଛାନଭିନ୍‌ ଆରମ୍ଭ କରିଛି ।  

ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ୧୦ଟା ସମୟରେ ବାଲିଗୁଡ଼ା ସହରର ମଧ୍ୟ ଭାଗରେ ଥିବା ନେହେରୁ ଛକ ନିକଟସ୍ଥ ମା’ ପାଟ୍ଟଖଣ୍ଡା ଅଳଙ୍କାର ଦୋକାନ ମାଲିକ ସୁବାଷ ଆଚାରୀ ଦୋକାନ ଖୋଲିବାକୁ ଆସିଥିଲେ । ତେବେ ଦୋକାନ ତାଲା ଖୋଲୁଥିବା ବେଳେ ହଠାତ୍‌ ତିନିଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ପ୍ରଥମେ ସୁବାଷଙ୍କ ବାମ ହାତକୁ ଆକ୍ରମଣ କରିବା ସହ ତାଙ୍କ ଉପରକୁ ଗୁଳିମାଡ କରିଥିଲେ। ଏହାପରେ ସୁବାଷ ହାତରେ ଧରିଥିବା ଗହଣା ବ୍ୟାଗ୍‌ ଝାମ୍ପି ନେଇ ଘଟଣାସ୍ଥଳରୁ ଆଖୁ ପିଛୁଳାକେ ଚମ୍ପଟ ମାରିଥିଲେ ଦୁର୍ବୃତ୍ତ ।  

ଏହା ମଧ୍ୟ ପଢ଼ନ୍ତୁ..ବ୍ୟାଙ୍କ ସମ୍ମୁଖରେ ଡକାୟତି, ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା

ସେପଟେ ସକାଳୁ ସକାଳୁ ସହରର ଭିତରେ ଏଭଳି ଘଟଣାକୁ ଦେଖି ସହରବାସୀ ଆତଙ୍କିତ ଅଛନ୍ତି । ଏହାସହ ସରକାରଙ୍କ ଦ୍ୱାରା ସହରରେ କରାଯାଇଥିବା ସିସିଟିଭି ବ୍ୟବସ୍ଥା ଏକ ମାସ ଧରି ଅକାମୀ ହୋଇପଡିଥିବା ଯୋଗୁଁ ଦୁର୍ବୃତ୍ତ ମାନେ ଏଭଳି କାଣ୍ଡ କରିବାକୁ ସାହାସ କରୁଛନ୍ତି ବୋଲି ଅଭିଯୋଗ ହୋଇଥିଲା । ସହରରେ ପୋଲିସ ପାଟ୍ରୋଲିଂ ସହ ସହରର ସମସ୍ତ ସିସିଟିଭି ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଦାବିରେ ଦୋକାନ ବଜାର ବନ୍ଦ ରଖିବା ସହ ଟାୟାର ଜାଳି ଜାତୀୟ ରାଜପଥ ଅବରୋଧ କରିଛନ୍ତି ବଣିକ ସଂଘ । ତେବେ ଏହି ଘଟଣାର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି।  

ସେପଟେ ଜାତୀୟ ରାଜପଥ ଅବରୋଧ ଫଳରେ ସହର ଦେଇ ଯାଇଥିବା 59 ନମ୍ବର ଜାତୀୟ ରାଜପଥରେ ଯାତାୟତ ବାଧାପ୍ରାପ୍ତ ହୋଇଛି। ବାଲିଗୁଡ଼ାରୁ ବ୍ରହ୍ମପୁର, ଭୁବନେଶ୍ବର, କଳାହାଣ୍ଡି, ରାୟଗଡାକୁ  ଯାତାୟାତ ଠପ ରହିଥିଲା। ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି କାର୍ଯ୍ୟକ୍ଷମ କରିବା ଏବଂ ପାଟ୍ରୋଲିଂକୁ କଡାକଡି କରିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକରୁ ହଟିଛନ୍ତି ସହରବାସୀ।

ଇଟିଭି ଭାରତ, କନ୍ଧମାଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.