ମାଟ୍ରିକ ପରୀକ୍ଷାରେ କାଉନସିଲରଙ୍କ ସଫଳତା, ଅନ୍ୟ ମହିଳାଙ୍କୁ ପଢିବା ପାଇଁ ଦେଲେ ଆହ୍ବାନ - ଶିକ୍ଷାଲାଭ ପାଇଁ ବୟସ ସାଜେନି ବାଧକ
🎬 Watch Now: Feature Video
ବାଲେଶ୍ଵର: ଶିକ୍ଷାଲାଭ ପାଇଁ ବୟସ ସାଜେନି ବାଧକ । ଏହି ଉଦାହରଣକୁ ପ୍ରମାଣିତ କରି ଦେଖାଇଛନ୍ତି ବାଲେଶ୍ଵର ପୌରପାଳିକା 24 ନଂ ୱାର୍ଡ କାଉନସିଲର ମୀନା ମହାନ୍ତି । ଚଳିତ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଏବେ ସେ ଚର୍ଚ୍ଚାର ଶିରୋନାମା ପାଲଟିଛନ୍ତି । ପିଲାଦିନରୁ ପାଠପଢି ବଡ଼ ମଣିଷ ହେବାକୁ ଲକ୍ଷ୍ୟ ରଖିଥିବା ମୀନା ମହାନ୍ତି ପାରିବାରିକ ପରିସ୍ଥିତି ଯୋଗୁଁ ପାଠପଢ଼ାରେ ଡୋରି ବାନ୍ଧିଥିଲେ । ଏବେ ପୁଣିଥରେ ଦୃଢ଼ମନା ହୋଇ ଆଗକୁ ବଢ଼ିବା ପାଇଁ ମାଟ୍ରିକ ପରୀକ୍ଷା ଦେଇ ସେଥିରେ କୃତକାର୍ଯ୍ୟ ହୋଇଛନ୍ତି ।
ଜଣେ ଦକ୍ଷ ରାଜନେତ୍ରୀ ଭାବେ ମୀନା ମହାନ୍ତି ବାଲେଶ୍ଵରରେ ବେଶ ପରିଚିତ ହୋଇଥିବା ବେଳେ ଅନେକ ସମୟରେ ସେ ନିଜର କାର୍ଯ୍ୟଦକ୍ଷତାକୁ ନେଇ ବେଶ ପ୍ରଶଂସା ସାଉଁଟିଥାନ୍ତି। ନିଜ ୱାର୍ଡ ସମସ୍ୟା ହେଉ କିମ୍ବା ଅଞ୍ଚଳରେ କାହାର ବ୍ୟକ୍ତିଗତ ସମସ୍ୟା , ସେ ସଙ୍ଗେସଙ୍ଗେ ପହଞ୍ଚି ଲୋକଙ୍କ ସୁଖଦୁଃଖରେ ସାମିଲ ହୋଇଥାନ୍ତି । ଚଳିତ ପୌର ନିର୍ବାଚନରେ ସର୍ବାଧିକ ଭୋଟ ପାଇ ମୀନା ବିଜୟୀ ହୋଇଥିଲେ । ରାଜନୀତିରେ ପାଦଥାପି ବେଶ ସଫଳତା ପାଇବା ପରେ ନିଜ ଅଧୁରା ରହିଯାଇଥିବା ସ୍ବପ୍ନକୁ ପୂରା କରିବାକୁ ଇଚ୍ଛା କରିଥିଲେ ମୀନା । ଏହାରି ଭିତରେ ମୀନାଙ୍କ ଉତ୍ସାହ ଦେଖି ସ୍ୱାମୀ ଓ ଝିଅ ତାଙ୍କୁ ଶିକ୍ଷା ପାଇଁ ପ୍ରୋତ୍ସାହିତ କରିଥିଲେ । ଚଳିତ ଥର ମାଟ୍ରିକ ପରୀକ୍ଷାରେ ସେ ବି-1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ତାଙ୍କର ଏହି ସଫଳତା ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । କେତେକ ମହିଳାମାନେ ତାଙ୍କ ପ୍ରେରିତ ହୋଇ ପାଠ ପଢିବାକୁ ଆଗଭର ହୋଇଥିବା ମୀନା କହିଛନ୍ତି ।
ଇଟିଭି ଭାରତ, ବାଲେଶ୍ବର