ପୋଲିସ ବିରୋଧରେ ଗ୍ରାମବାସୀଙ୍କ ରାସ୍ତାରୋକ - ରାସ୍ତାକୋର କଲେ ଗ୍ରାମବାସୀ
🎬 Watch Now: Feature Video
ରାଉରକେଲା: ପାନୀୟ ଜଳ ପ୍ରକଳ୍ପର ଲୁହା ପାଇପ କାଟି ଚୋରି କରୁଥିଲେ ଚୋର । ଚୋରକୁ ଧରିବାକୁ ପୋଲିସକୁ କହିବାରୁ ଗ୍ରାମବାସୀଙ୍କୁ ମିଳିଲା ଧମକ । ପୋଲିସର ଏପରି ମନମାନିକୁ ନେଇ ରାସ୍ତାରୋକ କଲେ ଗ୍ରାମବାସୀ । ଏଭଳି ଘଟଣା ଘଟିଛି ବଣାଇ ଟିକାୟତପାଲି ଥାନା ଭାଲୁପାଣି ଗ୍ରାମରେ । ଥାନା ଅଧିକାରୀଙ୍କ ବୁଝାସୁଝା ପରେ ହଟିଲା ରାସ୍ତାରୋକ ।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଭାଲୁପାଣି ଗ୍ରାମରେ ବସୁଧା ଯୋଜନାରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବେଳେ ଏଥିରେ ବ୍ୟବହାର ପାଇଁ ଲାଗୁଥିବା ବଡ ବଡ ପାଇପ ଚୋରି କରୁଥିଲେ ଚାରି ଜଣ ଚୋର ବୁଧବାର ମଧ୍ୟ ରାତ୍ରୀ ସମୟରେ ଚୋର ମାନେ ଏକ ପିକଅପ ଗାଡ଼ିରେ ଆସି ବଡ ବଡ ଲୁହା ପାଇପକୁ ଚୋରି କରିବାକୁ ଚେଷ୍ଟା କରୁଥିଲେ । ଏହା ଜାଣିପାରି ଗ୍ରାମବସୀ ଘଟଣାସ୍ଥଳରେ ପହଞ୍ଚିବାରୁ ଚୋର ମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ ଗ୍ରାମବାସୀ ମାନେ ଟିକାୟତପାଲ୍ଲୀ ପୋଲିସକୁ ସୂଚନା ଦେଇଥିଲେ।
ରାତିରେ ଗ୍ରାମରେ ପୋଲିସ ପହଞ୍ଚି ଚୋରଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ବଦଳରେ ଗ୍ରାମବାସୀଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଗ୍ରାମବାସୀ ଗତକାଲି ରାସ୍ତାରେ ଧାରଣାରେ ବସିଥିଲେ । ଯେ ପର୍ଯ୍ୟନ୍ତ ପୋଲିସ ଗ୍ରାମବାସୀଙ୍କୁ କ୍ଷମା ନମାଗିଛି ସେପର୍ଯ୍ୟନ୍ତ ଧାରଣାରୁ କୌଣସି ଗ୍ରାମବାସୀ ଉଠିବେ ନାହିଁ ବୋଲି କହିଥିଲେ । ଥାନା ଅଧିକାରୀ ସକାଳେ ଘଟଣା ସ୍ଥଳରେ ପହଞ୍ଚି ପ୍ରତିଶ୍ରୁତି ଦେବାପରେ ରାସ୍ତାରୁ ହଟିଥିଲେ ଗ୍ରାମବାସୀ । ଏନେଇ ଥାନା ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ । ତେବେ ଚାରି ଜଣ ଚୋର ଟିକାୟତପାଲି ଥାନା ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ମଧ୍ୟରକୁ 3 ଜଣଙ୍କୁ ଗିରଫ କରିଛି ପୋଲିସ।
ଇଟିଭି ଭାରତ, ସୁନ୍ଦରଗଡ