ନୂଆଦିଲ୍ଲୀ: ଆୟୁର୍ବେଦ ଔଷଧର ସବୁଠାରୁ ଭଲ ଦିଗ ହେଉଛି କି, ଏଥିରେ କୌଣସି ପାର୍ଶ୍ବ ପ୍ରତିକ୍ରିୟା ଦେଖାଯାଏ ନାହିଁ । ସେଥିପାଇଁ ଆଜିବି ଆୟୁର୍ବେଦ ଚିକିତ୍ସାର ବ୍ୟବହାର ରହିଆସିଛି । ଜୀବନ କାଳ ମଧ୍ୟରେ ପ୍ରତ୍ୟେକ ଲୋକ ନିଶ୍ଚିତ ରୂପେ ଆୟୁର୍ବେଦ ଚିକିତ୍ସା ପାଇଥିବେ । ତେବେ ଏହି ଆୟୁର୍ବେଦ ଚିକିତ୍ସାରେ ବିଭିନ୍ନ ଜଟିଳ ରୋଗ ମଧ୍ୟ ଉପଶମ ହେବାର ନଜିର ରହିଛି ! ଏହି ଚିକିତ୍ସା ମାଧ୍ୟମରେ ମଧୁମେହ(Diabetes) ଭଳି ସମସ୍ୟାକୁ ମଧ୍ୟ ରୋକାଯାଇପାରିବ ।
ଏପରି କିଛି ଆୟୁର୍ବେଦ ଉତ୍ପାଦ ଅଛି ଯାହା, ରକ୍ତରେ ଶର୍କରା ସ୍ତରକୁ ସନ୍ତୁଳିତ କରିବା ସହିତ ମଧୁମେହ ଦ୍ବାରା ସୃଷ୍ଟି ହେଉଥିବା ଅନ୍ୟ ଜଟିଳତାକୁ ରୋକିବାରେ ସାହାଯ୍ୟ କରିବ । ତେବେ ଏହିସବୁ ଉତ୍ପାଦ କ'ଣ ଜାଣନ୍ତୁ...
ଡାଲଚିନି:-
ଏହା ଏକ ଉତ୍କୃଷ୍ଟ ଆୟୁର୍ବେଦିକ ଔଷଧ, ଯାହା ପ୍ରତ୍ୟେକ ରୋଷେଇ ଘରେ ମିଳିଥାଏ । ଏହା ଇନସୁଲିନ୍ ପ୍ରତିରୋଧକୁ ହ୍ରାସ କରିବାରେ ସାହାଯ୍ୟ କରିବା ସହିତ ଖାଦ୍ୟ ଖାଇବା ପରେ ରକ୍ତରେ ଶର୍କରା ବୃଦ୍ଧିକୁ ରୋକିବାରେ ସାହାଯ୍ୟ କରିଥାଏ । ଶରୀରରେ ଗଚ୍ଛିତ ଥିବା ଅଧିକ ଚର୍ବି ତରଳାଇବା ଏବଂ କୋଲେଷ୍ଟ୍ରଲ ନିୟନ୍ତ୍ରଣ କରିବାରେ ଡାଲଚିନି ଅତ୍ୟନ୍ତ ଉପଯୋଗୀ ।
ଶରୀରରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଅଧା ଚାମଚ ହଳଦୀ ଏବଂ ଅଧା ଚାମଚ ମେଥି ପାଉଡରକୁ ଏକ ଚାମଚ ଡାଲଚିନିରେ ମିଶାଇ ଖାଲି ପେଟରେ ଖାଇବା ବେଶ୍ ଲାଭଦାୟକ । ହର୍ବଲ ଚା’ରେ ମଧ୍ୟ ଏକ ଛୋଟ ଡାଲଚିନି ମିଶାଯାଇ ପାରିବ ।
ଗୋଲମରିଚ:-
କଳା ମରିଚ ବା ଗୋଲମରିଚ ଇନସୁଲିନ୍ ସମ୍ବେଦନଶୀଳତା ଏବଂ ଶର୍କରା ସ୍ତରକୁ ହ୍ରାସ କରିବାରେ ଏବଂ ଶର୍କରା ବୃଦ୍ଧିକୁ ରୋକିବାରେ ବେଶ୍ ସହାୟକ ହୋଇଥାଏ । ଗୋଲମରିଚରୁ ପିପେରିନ୍ ନାମକ ଏକ ଉପାଦାନ ମିଳିଥାଏ । ଶର୍କରା ସ୍ତର ହ୍ରାସ କରିବା ପାଇଁ ଖାଲି ପେଟରେ ରାତ୍ର ଭୋଜନର ଏକ ଘଣ୍ଟା ପୂର୍ବରୁ ଏକ ଚାମଚ ଗୋଲମରିଚ ପାଉଡର ସହ ହଳଦୀ ମିଶାଇ ଖାଆନ୍ତୁ । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିଥାଏ ।
ମେଥି:-
ମେଥି ଏହାର ତିକ୍ତ ସ୍ୱାଦ ପାଇଁ ବେଶ୍ ଜଣାଶୁଣା । ମାତ୍ର ଏହାକୁ ମଧୁମେହ ମେଦବହୁଳତା ଏବଂ କୋଲେଷ୍ଟ୍ରଲ ପାଇଁ ସର୍ବୋତ୍ତମ ଆୟୁର୍ବେଦିକ ଔଷଧ ଭାବେ ବିବେଚନା କରାଯାଏ । ଏହା କୋଲେଷ୍ଟ୍ରଲ ଏବଂ ଟ୍ରାଇଗ୍ଲିସେରାଇଡ୍ ମଧ୍ୟ କମ କରିଥାଏ । ଶର୍କରା କମାଇବା ପାଇଁ ମେଥି ଖାଇବା ଅତ୍ୟନ୍ତ ସହଜ । ଖାଲି ପେଟରେ କିମ୍ବା ଶୋଇବା ସମୟରେ ଏକ ଚାମଚ ମେଥି ପାଉଡର ଗରମ ପାଣି ସହିତ ଖାଇପାରିବେ । ଏହା ବ୍ୟତୀତ ଗୋଟିଏ ଚାମଚ ମେଥି ମଞ୍ଜିକୁ ରାତିସାରା ପାଣିରେ ଭିଜାଇ ପରଦିନ ସକାଳେ ଖାଲି ପେଟରେ ଖାଇପାରିବେ ।
Disclaimer: ଉପରସ୍ଥ ସମସ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ । କୌଣସି ଜଟିଳ ସ୍ବାସ୍ଥ୍ୟ ସମସ୍ୟା ପାଇଁ ସର୍ବଦା ଡାକ୍ତରଙ୍କ ପରାମର୍ଶ ଅପରିହାର୍ଯ୍ୟ ।