ହାଇଦ୍ରାବାଦ: ଆଜିକା ସ୍ବାର୍ଥପର ଦୁନିଆରେ ଅନେକ ପରିବାରରେ କଳହ, ପାରିବାରିକ ଅଶାନ୍ତି ଦେଖାଯାଉଛି । ପରିଣତ ବୟସରେ ପିତାମାତାଙ୍କୁ ଅଣଦେଖା କରୁଛନ୍ତି ସନ୍ତାନ । ଫଳରେ ଅନେକ କ୍ଷେତ୍ରରେ ମାନସିକ ଭାରସାମ୍ୟ ହରାଇ ବସିଥାଆନ୍ତି ପରିବାର ମୁଖିଆ । ସେହିଭଳି ଲୋକଙ୍କ ପାଇଁ ଏକ ଭଲ ଖବର ସାମ୍ନାକୁ ଆସିଛି । ପରିଣତ ବୟସରେ ଏକା ରହିବା ଅପେକ୍ଷା କୁକୁର ଏବଂ ବିଲେଇକୁ ଘରେ ପାଳିବା ଦ୍ବାରା ମାନସିକ ସ୍ବାସ୍ଥ୍ୟ ଉପରେ ସୁପ୍ରଭାବ ପକାଇଥାଏ ବୋଲି ଏକ ରିସର୍ଚ୍ଚରେ କୁହାଯାଇଛି ।
ଏହି ଅଧ୍ୟୟନ ଜାମା ନେଟଓ୍ବର୍କ ଓପନ ନାମକ ଏକ ପତ୍ରିକାରେ ପ୍ରକାଶିତ ହୋଇଛି । ଅନୁସନ୍ଧାନକାରୀମାନେ କହିଛନ୍ତି, ପରିଣତ ବୟସରେ ଗୃହପାଳିତ ପଶୁଙ୍କ ସହ ରହୁଥିବା ବ୍ୟକ୍ତିଙ୍କର ସ୍ମୃତିଶକ୍ତି ଏବଂ ଶବ୍ଦ ପ୍ରବାହରେ ହ୍ରାସ ହୋଇନଥିଲା । ପରିବାର ସଦସ୍ୟଙ୍କ ଅପେକ୍ଷା ଗୃହପାଳିତ ପଶୁଙ୍କୁ ରଖିଥିବା ବ୍ୟକ୍ତିଙ୍କ ନିକଟରେ ଏହାର ସୁପ୍ରଭାବ ଅଧିକ ଦେଖାଯାଇଥିଲା ବୋଲି କୁହାଯାଇଛି । ବୈଜ୍ଞାନିକମାନେ ଅନୁମାନ କରିଥିଲେ ଯେେ, 65 ବର୍ଷରୁ ଅଧିକ ବୟସ ପରେ ପ୍ରାୟ 10ରୁ 20 ପ୍ରତିଶତ ବ୍ୟକ୍ତିଙ୍କର ସାମାନ୍ୟ ଜ୍ଞାନଗତ ଦୁର୍ବଳତା ଦେଖାଯାଇଥାଏ । ଏହା ଡିମେନ୍ସିଆର ପ୍ରାରମ୍ଭିକ ସଙ୍କେତ ବୋଲି କୁହାଯାଇଛି ।
ବୈଜ୍ଞାନିକଙ୍କ କହିବା ଅନୁସାରେ, ଗୃହପାଳିତ ପଶୁ ରହିବା ଦ୍ବାରା ଏକୁଟିଆପଣ ଦୂର ହେବା ସହିତ ସ୍ମୃତିଶକ୍ତି ଏବଂ ଶବ୍ଦ ପ୍ରବାହକୁ ମଧ୍ୟ ହ୍ରାସ କରାଯାଇପାରିବ । ଏହି ଅଧ୍ୟୟନରେ 50 ବର୍ଷରୁ ଅଧିକ ବୟସର ପ୍ରାୟ 7,945 ବ୍ୟକ୍ତିଙ୍କୁ ସାମିଲ କରାଯାଇଥିଲା ।
ଏହା ମଧ୍ୟ ପଢନ୍ତୁ: ଯୁବାବସ୍ଥାରେ ଉଚ୍ଚ ରକ୍ତଚାପ ପ୍ରାପ୍ତ ବୟସରେ କରିପାରେ ମସ୍ତିଷ୍କ ରୋଗ ଡିମେନ୍ସିଆ
ତଥ୍ୟ ଅନୁସାରେ, 2021 ମସିହାରେ ଆମେରିକୀୟଙ୍କ ମଧ୍ୟରେ ପ୍ରାୟ 28.5 ପ୍ରତିଶତ ବ୍ୟକ୍ତି ଏକାକୀ ରହୁଥିଲେ । ତେବେ ବୟସ ବୃଦ୍ଧି ହେବା ସହିତ ଏକୁଟିଆପଣ ବୃଦ୍ଧି ପାଉଥିବା ଦୃଷ୍ଟିଗୋଚର ହେଉଛି ବୋଲି ବୈଜ୍ଞାନିକମାନେ କହିଛନ୍ତି । ତେବେ 2050 ବେଳକୁ ସମଗ୍ର ବିଶ୍ବରେ ଏହି ସଂଖ୍ୟା 153 ମିଲିୟନରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି ।
ବୈଜ୍ଞାନିକମାନେ ରିସର୍ଚ୍ଚରେ କହିଛନ୍ତି, "ଏକାକୀ ରହୁଥିବା ବ୍ୟକ୍ତିଙ୍କ ନିକଟରେ ଡିମେନ୍ସିଆ ହେବାର ଆଶଙ୍କା ଅଧିକ ରହିଥାଏ । ତେବେ ଏକାକୀ ରହୁଥିବା ବ୍ୟକ୍ତିଙ୍କର ଅବସ୍ଥାକୁ ମଧ୍ୟ ସହଜରେ ପରିବର୍ତ୍ତନ କରାଯାଇ ପାରିବ ନାହିଁ । ପରିବାରର ଅନ୍ୟ ସଦସ୍ୟଙ୍କ ସହିତ ରହୁଥିବା ବ୍ୟକ୍ତିଙ୍କ ଅପେକ୍ଷା ଗୃହପାଳିତ ପଶୁଙ୍କ ସହିତ ରହୁଥିବା ବ୍ୟକ୍ତିଙ୍କର ସ୍ମୃତିଶକ୍ତି ଏବଂ ଶବ୍ଦ ସ୍ବଚ୍ଛତାରେ ହ୍ରାସ ହୋଇନଥାଏ । ଏହାସହିତ ଡିମେନ୍ସିଆ ଏବଂ ମସ୍ତିଷ୍କ ରୋଗ ହେବାର ଆଶଙ୍କା ମଧ୍ୟ କମ ହୋଇଥାଏ ବୋଲି କୁହାଯାଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ