(ଆଇଏନ୍ଏସ୍) ଆୟୁର୍ବେଦିକ, ଉନାନି ଏବଂ ଆଧୁନିକ ଚିକିତ୍ସା ଶାସ୍ତ୍ରର ବିଶେଷଜ୍ଞମାନେ କହନ୍ତି, ମେଦବହୁଳତା ବା ମୋଟାପଣ ଏବଂ ଆଲର୍ଜି ନିୟନ୍ତ୍ରଣ ପାଇଁ ଜୀବନ ଶୈଳୀରେ ପରିବର୍ତ୍ତନ ଜରୁରୀ । ଆଲିଗଡ ମୁସଲିମ୍ ବିଶ୍ବବିଦ୍ୟାଳୟ (ଏଏମୟୁ)ର ମେଡିସିନ୍ ବିଭାଗ ଦ୍ବାରା ‘ମେଦବହୁଳତା ଏବଂ ଏହାର ପ୍ରତିରୋଧ, ଆଲର୍ଜି ଜଡିତ ରୋଗ’ ଶୀର୍ଷକ ଅନ୍ତଃ ବିଭାଗୀୟ ଅନଲାଇନ୍ ଆଲୋଚନଚକ୍ରରେ ଭାଗ ନେଇ ପ୍ରତିରୋଧ ଏବଂ ଔଷଧ ଦ୍ବାରା କିପରି ମୋଟାପଣକୁ ରୋକା ଯାଇପାରିବ ତାହା ଉପରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି ।
ଜୀବନ ଶୈଳୀରେ ପରିବର୍ତ୍ତନ କାରଣରୁ ଯେଉଁସବୁ ରୋଗ ହୁଏ, ସେସବୁ ନିୟନ୍ତ୍ରଣ କରିବାକୁ ହେଲେ ଉଭୟ ପାରମ୍ପରିକ ଏବଂ ଆଧୁନିକ ଚିକିତ୍ସା ବ୍ୟବସ୍ଥାକୁ ମିଶାଇ ଆମକୁ ଉପାୟ ବାହାର କରିବାକୁ ପଡ଼ିବ ବୋଲି ଏଏମୟୁ କୁଳପତି ପ୍ରଫେସର ତାରିକ୍ ମାନସୁର କହିଛନ୍ତି ।କୁଳପତି କହିଛନ୍ତି ଯେ, "ଅବଶ୍ୟ ଆମେ ଅନ୍ୟସବୁ ରୋଗ ପାଇଁ ଏହି ପନ୍ଥା ପ୍ରୟୋଗ କରିପାରିବା ନାହିଁ, ବହୁଦିନ ଧରି ଲାଗି ରହିଥିବା ଅର୍ଥାତ୍ କ୍ରୋନିକ ରୋଗ ପାଇଁ ଏକ୍ଷେତ୍ରରେ ଅନେକ ସୁଯୋଗ ରହିଛି। " କୋଭିଡ ମହାମାରୀ ବ୍ୟାପିବା ଦିନଠାରୁ ସରକାର ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଉପାୟର ମିଳିତ ଗବେଷଣାକୁ ସରକାର ଉତ୍ସାହିତ କରି ଆସୁଥିବା ସେ କହିଛନ୍ତି ।
ପାରମ୍ପରିକ ଓ ଆଧୁନିକ ଚିକିତ୍ସା ବ୍ୟବସ୍ଥାର ପ୍ରୟୋଗ ନେଇ ମିଳିତ ଗବେଷଣାର ଆବଶ୍ୟକତା ଉପରେ ଗୁରୁତ୍ବ ଆରୋପ କରି ପ୍ରଫେସର ମାନସୁର କହିଛନ୍ତି ଯେ, ଏଏମୟୁ ହେଉଛି ଏକ ବିଶ୍ବବିଦ୍ୟାଳୟ ଯେଉଁଠି ବିଭିନ୍ନ ପ୍ରକାର ବିଭାଗ ରହିଛି । ଏହି କାରଣରୁ ଏହାର ଫାଇଦା ନେଇ ଆମେ ମିଳିତ ଗବେଷଣା କରିପାରିବା ବୋଲି ସେ କହିଛନ୍ତି । ଆୟୁର୍ବେଦିକ ଔଷଧରେ ମେଦବହୁଳତା ପ୍ରତିରୋଧ ଏବଂ ଚିକିତ୍ସା ଉପରେ ମତ ରଖି ନୂଆଦିଲ୍ଲୀ ସ୍ଥିତ ଅଖିଳ ଭାରତୀୟ ଆୟୁର୍ବେଦ ପ୍ରତିଷ୍ଠାନର ପ୍ରଫେସର ଏସ୍.ଜୋନାହ କହିଛନ୍ତି ଯେ, ସ୍ବାସ୍ଥ୍ୟରେ ଉନ୍ନତି ଆଣିବାକୁ ହେଲେ ଦୈନିକ ଖାଦ୍ୟରେ ଆବଶ୍ୟକ ପରିବର୍ତ୍ତନ ଏବଂ ଜୀବନ ଶୈଳୀରେ ପରିବର୍ତ୍ତନ ଆବଶ୍ୟକ । ଏଥିସହ ଓରାଲ୍ ମେଡିସିନ ଗ୍ରହଣ କଲେ ଏହା ମେଟାବୋଲିଜିମ ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ।
ଆୟୁର୍ବେଦିକ ଶାସ୍ତ୍ର ଅନୁୟାୟୀ ଚେରମୂଳୀ କିପରି ମେଦବହୁଳତା ନିୟନ୍ତ୍ରଣ କରିବାରେ ସହାୟକ ହୋଇଥାଏ ତାହା ସେ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ । ପ୍ରଫେସର ଜାନାହ କହିଛନ୍ତି - " ଯେହେତୁ ଆୟୁର୍ବେଦରେ ସୁସ୍ଥକର ଖାଦ୍ୟ, ଚାପ ହ୍ରାସ ଏବଂ ଏକ ସୁଷମ ଜୀବନ ଯାପନ ଉପରେ ଗୁରୁତ୍ବ ଦିଆଯାଇଥାଏ, ସେଥିପାଇଁ ଅନେକ ଲୋକ ଯେତେବେଳେ ଓଜନ କମାଇବାକୁ ଚାହାଁନ୍ତି ସେମାନେ ଖାଦ୍ୟପେୟ ନିୟନ୍ତ୍ରଣ ଏବଂ ପ୍ରାକୃତିକ ଉପାୟ ଅବଲମ୍ବନ କରିଥାନ୍ତି । ଅନେକ ପାଶ୍ଚାତ୍ୟ ରାଷ୍ଟ୍ରରେ ଲୋକେ ସେମାନଙ୍କ ସ୍ବାସ୍ଥ୍ୟର ଯତ୍ନ ଏବଂ ବିଭିନ୍ନ ରୋଗର ପ୍ରତିକାର ପାଇଁ ଆୟୁର୍ବେଦ ପଦ୍ଧତ୍ତି ଆପଣାଉଛନ୍ତି ।"
ଆୟୁଷର ନିର୍ଦ୍ଦେଶ ତଥା ଆଇଏଚବିଏସ୍ ଉନାନି ଏବଂ ଜିଟିବି ୟୁନିଟ୍ ଇନଚାର୍ଜ ଡକ୍ଟର ପାରସ ୱାନି ତାଙ୍କ ଭାଷଣରେ ଉନାନୀ ଚିକିତ୍ସାରେ ସିମନ-ଏ-ମୁଫ୍ରିତ୍ (ମେଦବହୁଳତା)ର କିପରି ଆରୋଗ୍ୟ ହାସଲ କରିହୁଏ ତାହା ବର୍ଣ୍ଣନା କରିଥିଲେ । ସୁଷମ ଓ ଉପଯୁକ୍ତ ଖାଦ୍ୟ, ଶାରିରୀକ କାର୍ଯ୍ୟକଳାପ, ସନ୍ତୁଳିତ ଜୀବନଯାପନ ଆଦି ଜୀବନ ଶୈଳୀ ଯୋଗୁଁ ମେଦବହୁଳତା ରୋଗକୁ ପ୍ରତିରୋଧ କରାଯାଇପାରିବ । ଡକ୍ଟର ପାରସ ଇଲାଜ୍-ବିଲ୍-ଘିଜା (ଡିଟୋଥେରାପି) ଏବଂ ଇଲାଜ-ବିଟ୍-ତଦବୀର (ରେଜିମେଣ୍ଟାଲ ଥେରାପି) ଚିକିତ୍ସାର ବିଭିନ୍ନ ମଡେଲ ସମ୍ପର୍କରେ ସେ ବର୍ଣ୍ଣନା କରିଥିଲେ ।
ଆଧୁନିକ ଚିକିତ୍ସା ଶାସ୍ତ୍ରରେ ମେଦବହୁଳତା କିପରି ସମସ୍ତ ଲାଇଫ ଷ୍ଟାଇଲ ରୋଗଗୁଡ଼ିକର ମୂଳ କାରଣ ସାଜିଥାଏ ସେ ସମ୍ପର୍କରେ ଜେଏନଏମସିର ମେଡିସିନ୍ ଫ୍ୟାକଲଟି ଡକ୍ଟର ଓଆସିସ୍ ଆଶ୍ରଫ୍ ବର୍ଣ୍ଣନା କରିଥିଲେ । ସେ କହିଛନ୍ତି, ମେଦବହୁଳତା କାରଣରୁ କରୋନାରୀ ଆର୍ଟେରୀ, ହାଇପରଟେନସନ, ଫ୍ୟାଟି ଲିଭର ଏବଂ ପିସିଓଡି ଆଦି ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ । ମେଦବହୁଳତାର ଏକ ଦୃଢ ଜେନେଟିକ୍ ଏବଂ ବାୟୋକେମିକାଲ୍ ଆଧାର ରହିଛି ଏବଂ ଏସବୁ ବିଷୟରେ ନୂଆ ଚିକିତ୍ସା ପ୍ରଣାଳୀ ନେଇ ବିଚାର କରାଯାଉଥିବା ସେ କହିଛନ୍ତି ।
ମୋଟାପଣ ରୋକିବାକୁ ଜୀବନ ଶୈଳୀ ଏବଂ ଆଚରଣ ଚିକିତ୍ସା ଜରୁରୀ ବୋଲି ଡକ୍ଟର ଓଆସିସ୍ କହିଛନ୍ତି । ମୋଟାପଣ ପ୍ରତିରୋଧ ଏବଂ ଏହାର ଚିକିତ୍ସା ନେଇ ସେ ମଧ୍ୟ ଏକ ସ୍ଲାଇଡ୍ ଜରିଆରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ । ଆଲର୍ଜି ଏଡାଇବାକୁ କିପରି ପ୍ରତିଷେଧକ ପଦକ୍ଷେପ ନେବା ତାହା ଦର୍ଶାଇ ଏଏମୟୁର ତାହାଫୁଜି ୱା ସାମାଜି ତିବ୍ ବିଭାଗର ପ୍ରଫେସର ରୁବି ଅଞ୍ଜୁମ ଇଲାଜ-ବିଲ୍-ତଦବୀରର ବିଭିନ୍ନ ଉନାନି ଚିକିତ୍ସା ସମ୍ବନ୍ଧରେ ବର୍ଣ୍ଣନା କରିଥିଲେ । ‘ଆସବାବ୍-ଏ-ସୀତା ଜାରୁଇୟା’ରେ ବିଭିନ୍ନ ଉପାୟ ଜରିଆରେ ଏବଂ ସ୍ବତନ୍ତ୍ର ପଦ୍ଧତି ଦ୍ବାରା କିପରି ସ୍ବାସ୍ଥ୍ୟକୁ ସୁରକ୍ଷିତ ରଖାଯାଇପାରିବ ତାହା ବର୍ଣ୍ଣନା କରିଥିଲେ । ଅଦା, ସାଇଟ୍ରସ ଫଳ, ହଳଦୀ, ଅଧିକ ତୈଳଯୁକ୍ତ ମାଛ ଏବଂ ପିଆଜ ଆଦି ଆଲର୍ଜି ସୃଷ୍ଟି କରୁଥିବା ଖାଦ୍ୟ ସାମଗ୍ରୀର ଏକ ତାଲିକା ମଧ୍ୟ ପ୍ରଫେସର ରୁବି ପ୍ରଦାନ କରିଥିଲେ ।
ନୂଆଦିଲ୍ଲୀ ଅଖିଳ ଭାରତ ଆୟୁର୍ବେଦିକ ପ୍ରତିଷ୍ଠାନର ଡକ୍ଟର ଦିବ୍ୟା କାଜାରିଆ କହିଥିଲେ, ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ ମଣିଷ ଶରୀରେ ଥିବା ବିଭିନ୍ନ ପ୍ରକାର ଦୋଷ ଅସନ୍ତୁଳିତ ହୋଇଗଲେ ତାହା ଆଲର୍ଜି ହୋଇଥାଏ । ଆୟୁର୍ବେଦ ଚିକିତ୍ସାରେ ଏହିସବୁ ଦୋଷର ପ୍ରତିକାର ଉପରେ ଗୁରୁତ୍ବ ଦିଆଯାଇଥାଏ । ଖାଦ୍ୟ ଏବଂ ଜୀବନ ଶୈଳୀକୁ ସୁହାଇଲା ଭଳି ଚିକିତ୍ସା କରାଯାଇଥାଏ । ସେ କହିଛନ୍ତି - " ଆଲର୍ଜି ପ୍ରତିକ୍ରିୟାରୁ ଚର୍ମ ଏବଂ ଶ୍ବାସନଳୀରେ ବିଭିନ୍ନ ପ୍ରକାର ରୋଗ ହୋଇଥାଏ ଯଥା ଏକଜିମା, ଦେହସାରା ନାଲି ନାଲି ଫଳିଯିବା (ହାଇଭସ), ହେ ଫିଭର, ଆସଥାମା ଏବଂ ଖାଦ୍ୟ ଆଲର୍ଜି । ଆୟୁର୍ବେଦରେ ପ୍ରଥମେ ବ୍ୟକ୍ତିକୁ ତା ସମ୍ପର୍କରେ ଟିକିନିଖି ପଚରା ଉଚରା କରି ସମସ୍ତ ତଥ୍ୟ ସଂଗ୍ରହ କରି ପ୍ରତି ରୋଗୀ କ୍ଷେତ୍ରରେ ଏହାର କାରଣ ବାହାର କରାଯାଇଥାଏ।"
ଆଲର୍ଜିରୁ ହେଉଥିବା ବିଭିନ୍ନ ରୋଗ ଲୋକଙ୍କ ପାଇଁ ଏବେ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ତେଣୁ ଏସବୁର କାରଣ, ନିରାକରଣ, ନିୟନ୍ତ୍ରଣ ଏବଂ ଏହାର ଅର୍ଥନୈତିକ ପ୍ରଭାବ ସମ୍ପର୍କରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ସଚେତନତା ସୃଷ୍ଚି ଉପରେ ଜେଏନଏମସି ଟିବି ଏବଂ ଆରଡି ବିଭାଗର ଡକ୍ଟର ନାଫିସ୍ ଏ ଖାଁ ଗୁରୁତ୍ବ ଆରୋପ କରିଥିଲେ । ଆଲର୍ଜି କାରଣରୁ ହେଉଥିବା ଟାଇପ୍ 1 ହାଇପରସେନସିଟିଭିଟି ଉପରେ ମଧ୍ୟ ଡକ୍ଟର ନାଫିସ୍ କହିଥିଲେ । ଟାଇପ୍ 1 ହାଇପରସେନସିଟିଭିଟି ଟାଇପ୍ 2, ଟାଇପା 3 ଏବଂ ଟାଇପ୍ 4ଠାରୁ ପୃଥକ୍ । ଇଂଜେକସନ, ଇନହଲେସନ ନେବା ଦ୍ବାରା କିମ୍ବା ଡାଇରେକ୍ଟ କଣ୍ଟାକ୍ଟ ଦ୍ବାରା ଆଲର୍ଜି ହୋଇଥାଏ ବୋଲି ସେ କହିଛନ୍ତି ।
ମେଡିସିନ ବିଭାଗର ଡିନ୍ ପ୍ରଫେସର ଭାର୍ଗବ ତାଙ୍କର ସ୍ବାଗତ ଅଭିଭାଷଣରେ କହିଥିଲେ ଯେ, ସ୍ବାସ୍ଥ୍ୟର ଯତ୍ନ ନେବା ଏବଂ ସ୍ବାସ୍ଥ୍ୟ ପ୍ରତି ଥିବା ବିପଦ କମାଇବାକୁ ହେଲେ ଜଣେ ବ୍ୟକ୍ତି କିପରି ଚଳିବା ଉଚିତ୍ ଏବଂ ତାହାର ଜୀବନ ଶୈଳୀ କିଭଳି ରହିବା ଉଚିତ୍ ତାହା ଜାଣିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ।