ହାଇଦ୍ରାବାଦ: ଡ୍ରାଏ ଫ୍ରୁଟ୍ସ ବା ଶୁଖିଲା ଫଳ । ଏହା ସୁସ୍ବାଦୁ ହେବା ସହିତ ଶରୀର ପାଇଁ ବେଶ ଲାଭଦାୟକ ହୋଇଥାଏ । ଡ୍ରାଏ ଫ୍ରୁଟ୍ସରେ ପୋଷକ ତତ୍ତ୍ବ ଭରପୂର ରହିଥିବା ବେଳେ ଶରୀରକୁ ଶକ୍ତି ଯୋଗାଇଥାଏ ଏବଂ ମାରାତ୍ମକ ରୋଗରୁ ରକ୍ଷା ଦେଇଥାଏ । ଏହି ଅନେକ ଡ୍ରାଏ ଫ୍ରୁଟ୍ସ ମଧ୍ୟରୁ ଗୋଟିଏ ହେଉଛି ଫିଗ୍ ବା ଅଞ୍ଜିର(Fig) । ଏହା ଓଜନ ହ୍ରାସ କରିବା ସହ ହଜମ ପ୍ରକ୍ରିୟା ଓ ସଂକ୍ରମଣରୁ ରକ୍ଷା କରିଥାଏ । ଏହି ଫିଗ୍କୁ ଉପଯୁକ୍ତ ପରିମାଣରେ ଖାଇବା ଦ୍ବାରା ଶରୀର ପାଇଁ ଲାଭଦାୟକ ବୋଲି ଦିଲ୍ଲୀର ଜଣେ ଚିକିତ୍ସକ ଡକ୍ଟର ଦିବ୍ୟା ଶର୍ମା କହିଛନ୍ତି ।
ଫିଗ୍କୁ ଖାଲି ଖାଇବା ସହିତ ପାଣିରେ ବିଜାଇ ମଧ୍ୟ ଖାଇ ହୋଇଥାଏ । ଡକ୍ଟର ଦିବ୍ୟାଙ୍କ କହିବାନୁସାରେ ଏଥିରେ ଭିଟାମିନ ଏ, ବି, ସି, କ୍ୟାଲସିୟମ, ଆଇରନ, ମ୍ୟାଗ୍ନେସିୟମ, ଫାଇବର, ଫୋଲେଟ, ପୋଟାସିୟମ, ଜିଙ୍କ, ଫସଫରସ, ମାଙ୍ଗାନିଜ, କପର, ଓମେଗା ୩ ଫ୍ଟାଟି ଏସିଡ ଆଦି ରହିଥାଏ । ଯାହାକି ଉତ୍ତମ ସୁସ୍ଥ ବଜାୟ ରଖିବାରେ ସହାୟକ ହୋଇଥାଏ ।
ଫିଗ୍ସ ଖାଇବାର ଉପକାରିତା:-
- ଫିଗ୍ସରେ ଆଇରନର ମାତ୍ରା ଅଧିକ ଥିବାରୁ ରକ୍ତହୀନତା ଭୋଗୁଥିବା ଲୋକଙ୍କ ପାଇଁ ଏହାର ବ୍ୟବହାର ଉପଯୋଗୀ । ଏହାର ନିୟମିତ ବ୍ୟବହାର ରକ୍ତରେ ହିମୋଗ୍ଲୋବିନର ସ୍ତରକୁ ବଢାଇଥାଏ ଏବଂ ଦୁର୍ବଳତାରୁ ମୁକ୍ତି ଦେଇଥାଏ ।
- ଏଥିରେ କ୍ୟାଲସିୟମ, ପୋଟାସିୟମ ଏବଂ ମ୍ୟାଗ୍ନେସିୟମ ପ୍ରଚୁର ପରିମାଣରେ ମିଳିଥାଏ । ଏଣୁ ଏହା ହାଡକୁ ମଜବୁତ କରିବାରେ ଏବଂ ହାଡର ସ୍ବାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରେ ।
- ଏଥିରେ ଥିବା ପୋଟାସିୟମ ଉଚ୍ଚ ରକ୍ତଚାପକୁ ହ୍ରାସ କରିବାରେ ସହାୟକ ହୋଇଥାଏ ।
- ଏହା ମେଟାବୋଲିଜିମ ଶକ୍ତିକୁ ବଜାୟ ରଖିଥାଏ । ଏଥିରେ ଥିବା ଭିଟାମିନ ଏ, ଭିଟାମିନ ବି, ମିନେରାଲ୍ସ ମେଟାବୋଲିଜିମ ସମସ୍ୟାରୁ ମୁକ୍ତି ଦିଏ ।
- ଫିଗ୍ସରେ ହଜମ ପ୍ରକ୍ରିୟାରେ ସାହାଯ୍ୟ କରୁଥିବା ଏନଜାଇମ୍ ରହିଥାଏ । ଏହା ଖାଦ୍ୟକୁ ଶୀଘ୍ର ହଜମ କରିବାରେ ସହାୟକ ହୁଏ ।
- ଏଥିରେ ଥିବା ଓମେଗା-୩ ଓ ଓମେଗା-୪ ହୃଦ ସ୍ବାସ୍ଥ୍ୟ ଓ ରକ୍ତରେ କୋଲେଷ୍ଟ୍ରଲ ପରିମାଣକୁ ହ୍ରାସ କରିବାରେ ସାହାଯ୍ୟ କରେ ।
- ଫିଗ୍ସର ସ୍ବାଦ ମିଠା ହୋଇଥାଏ । ତଥାପି ଡାଇବେଟିସ ରୋଗୀ ଏହାକୁ ଖାଇପାରିବେ । ଏହା ରକ୍ତରୁ ଭିଟାମିନ ଇ, ଫ୍ୟାଟି ଏସିଡ଼ର ପରିମାଣକୁ ସନ୍ତୁଳିତ ରଖିଥାଏ ।
ଶିଶୁଙ୍କ ପାଇଁ ହୋଇଥାଏ ଲାଭଦାୟକ:-
ଫିଗ୍ସ ଖାଇବା ସବୁ ବୟସ ବର୍ଗର ଲୋକଙ୍କ ପାଇଁ ଲାଭଦାୟକ । ଏହି ଡ୍ରାଏ ଫ୍ରୁଟ୍ସ ପିଲାମାନେ ଖାଇବା ଦ୍ବାରା ସେମାନଙ୍କର ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବାରେ, ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ଏବଂ ଫ୍ଲୁ ଓ ଅନ୍ୟାନ୍ୟ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ । ଫିଗ୍ସରେ ଫୋଲେଟ୍ ମଧ୍ୟ ମିଳିଥାଏ । ଯାହାକି କେବଳ ପାଗ ପରିବର୍ତ୍ତନ ଯୋଗୁଁ ସଂକ୍ରମଣ ଓ କାଶରୁ ମୁକ୍ତି ଦେଇନଥାଏ, ବରଂ ମସ୍ତିଷ୍କର ସଠିକ୍ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ । ଯେତେବେଳେ ପିଲାମାନେ କଠିନ ଖାଦ୍ୟ(Solid Food) ଖାଇବା ଆରମ୍ଭ କରନ୍ତି ବା ଜନ୍ମର ୬ ମାସ ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେମାନଙ୍କୁ ଫିଗ୍ସ ଖାଇବାକୁ ଦିଆଯାଇପାରେ । ଏହାକୁ ପ୍ୟୁରି କିମ୍ବା ପେଷ୍ଟ ଆକାରରେ ଖାଇବାକୁ ଦିଆଯାଇପାରେ ।