ଅମରାବତୀ: ପୁସ୍ତକଟିଏ ଏକାଧିକ ଶବ୍ଦର ସମାହାରରେ ଗଠିତ ସତ, କିନ୍ତୁ ଏହା କେବଳ ଏକ ଶବ୍ଦ ନୁହେଁ ! ଅର୍ଥାତ୍ ଏଥିପାଇଁ ଜଣେ ବ୍ୟକ୍ତିଙ୍କୁ କାହିଁ କେତେ ଭାବନାରେ ବୁଡି, ବାସ୍ତବ-ଅବାସ୍ତବର ଦୁନିଆରେ ଫେଣ୍ଟି ହୋଇ ଯିବାକୁ ପଡେ ! ଧାଡିଏ ଲେଖିବା ପାଇଁ ଲେଖକ କାଳ୍ପନିକ ହୋଇଯାଏ । ତା' ସାଙ୍ଗକୁ ଆଉ କାହାର ଚରିତ୍ରରେ ହଜି, ଭାବନାରେ ଭିଜି ଶବ୍ଦର ଫୁଲ ପାଖୁଡାରେ ଫୁଟାଏ ପୁସ୍ତକ । ଏ ଜଟିଳ କାମକୁ ଅତି ସରଳ ଭାବେ ଉପସ୍ଥାପନ କରି ଚର୍ଚ୍ଚାରେ ବିଶାଖାପାଟନମ୍ର ଯୁବକ ଚଲ୍ଲା କ୍ରିଷ୍ଣାଭୀର ଅଭିଷେକ । ଖବର ଅନୁସାରେ ମାତ୍ର 32 ବର୍ଷ ବୟସରେ କ୍ରିଷ୍ଣାଭୀର 153ଟି ପୁସ୍ତକ ରଚନା କରିସାରିଲେଣି ।
ସାଙ୍ଗମାନଙ୍କ ସହ ମଜା-ମସ୍ତି କରିବା, ସିନେମା ଦେଖିବା ବୟସରେ କ୍ରିଷ୍ଣାଭୀରଙ୍କ ଲେଖା ପ୍ରତି ବ୍ୟାକୁଳତା ଆଜି ତାଙ୍କୁ ସୁନାମ ଦେଇଛି । ତାଙ୍କ ପାଇଁ ଲେଖିବା ହେଉଛି ଖୁସି, ମଜା, ପସନ୍ଦଯୋଗ୍ୟ କାର୍ଯ୍ୟ ଏକ ନିୟମିତ ଅଭ୍ୟାସ ଏପରି ସବୁକିଛି । 12 ବର୍ଷ ବୟସରୁ ତାଙ୍କର ଲେଖିବା ଆରମ୍ଭ ହୋଇଛି । ସେବେଠାରୁ ବନ୍ଦ ହୋଇନି କ୍ରିଷ୍ଣାଭୀରଙ୍କ କଲମ । ଯେତେବେଳେ ସେ ଖାଲି ସମୟ ପାଆନ୍ତି ଲେଖନ୍ତି । ଏହା ଉଲ୍ଲେଖନୀୟ ଯେ, କ୍ରିଷ୍ଣାଭୀର ବାର୍ଷିକ ହାରାହାରି 12 ରୁ ଅଧିକ କାର୍ଯ୍ୟ କରନ୍ତି । ଯେତେବେଳେ ଖାଲି ସମୟପାଆନ୍ତି, ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତି ଏବଂ କିଛି ଲେଖନ୍ତି ।
ଅନେକ ବିଷୟରେ ଅଭିଜ୍ଞତା ସାଉଁଟନ୍ତି । ଏଥିସହ ଯେଉଁମାନଙ୍କ ପାଖରେ ଲେଖିବାକୁ ସମୟ ନଥାଏ ସେମାନଙ୍କୁ କିଛିନା କିଛି ଲେଖିବାକୁ ପରାମର୍ଶ ଦିଅନ୍ତି । ତାଙ୍କର କିଛି ଘନିଷ୍ଠ ବନ୍ଧୁ ଗାନ୍ଧୀଜୀଙ୍କ ଅହିଂସା ଭାବନାକୁ ସମାଲୋଚନା କରୁଥିବା ଦେଖି କ୍ରିଷ୍ଣାଭୀର ଗଭୀର ଆଘାତ ପାଇଥିଲେ । ସେହି ମହାନ ବ୍ୟକ୍ତିଙ୍କ ମହାନତା ଜାଣିବା ପାଇଁ ସେ ନିଜେ ଗାନ୍ଧିଜୀଙ୍କ ଦ୍ୱାରା ଲିଖିତ ପୁସ୍ତକଗୁଡ଼ିକୁ ଅଧ୍ୟୟନ କରିଥିଲେ ।
ସେ ଗାନ୍ଧିଜୀଙ୍କ ଉପରେ 27 ଟି ପୁସ୍ତକ ଲେଖିସାରିଲେଣି, ଯେଉଁଥିରେ ଅହିଂସା ପଥ, ଆନ୍ଦୋଳନର ଆରମ୍ଭ, ତାଙ୍କର ଭାବପ୍ରବଣତା, ସେ ଅନୁସରଣ କରିଥିବା ମୂଲ୍ୟବୋଧ, ସେ ଦେଇଥିବା ବାର୍ତ୍ତା, ସେ ଲେଖିଥିବା ପ୍ରବନ୍ଧଗୁଡ଼ିକର ମହତ୍ତ୍ବ, ସେ ଦେଖାଇଥିବା ଆଧ୍ୟାତ୍ମିକ ପଥ ଇତ୍ୟାଦି ରହିଛି, ଯାହା ଦ୍ବାରା ଆଜିର ଯୁବପିଢି ଗାନ୍ଧୀଜୀଙ୍କ ପ୍ରତି ବିନମ୍ର ହେବା ସହ ସମ୍ମାନ ଜଣାଇପାରିବେ ।
କ୍ରିଷ୍ଣାଭୀର କେବଳ ପୁସ୍ତକ ଲେଖିବା ଏବଂ ପଢା ପ୍ରତି ଆଗ୍ରହୀ ନୁହଁନ୍ତି, ତା' ସାଙ୍ଗକୁ 9ଟି ବିଷୟରେ ପିଜି ତଥା ସ୍ନାତକତ୍ତୋର ପୂରଣ କରିଛନ୍ତି । ସେ ଭାଷା ବିଜ୍ଞାନ, ସାଇକୋଲୋଜି, ସମାଜବିଜ୍ଞାନ, ଦର୍ଶନ, ଇଂରାଜୀ, ହିନ୍ଦୀ, ତେଲୁଗୁ, ସାମ୍ବାଦିକତା ପାଠ୍ୟକ୍ରମ ଏବଂ M.Sc କମ୍ପ୍ୟୁଟରରେ MA ପାଠ୍ୟକ୍ରମ ସମାପ୍ତ କରିଛନ୍ତି । ଏହା ପରେ ସେ ଡିପ୍ଲୋମା, ପିଜି ଡିପ୍ଲୋମା ଏବଂ ସାର୍ଟିଫିକେଟ୍ ପାଠ୍ୟକ୍ରମ କରିଥିଲେ । ସେ ମଧ୍ୟ ଭାଷା ବିଜ୍ଞାନରେ PHD କରିଛନ୍ତି । ଫରାସୀ, ଜର୍ମାନ ଏବଂ ଆରବୀ ଭାଷାରେ ସାର୍ଟିଫିକେଟ୍ ପାଠ୍ୟକ୍ରମ ମଧ୍ୟ ହାସଲ କରିଛନ୍ତି କୃଷ୍ଣଭୀର ।
କ୍ରିଷ୍ଣାଭୀର ପଢିବା, ଲେଖିବା ଏବଂ ସେ ଯାହା ଶିଖିଛନ୍ତି ତାହା ଅନ୍ୟମାନଙ୍କ ସହ ବାଣ୍ଟିବାକୁ ପସନ୍ଦ କରନ୍ତି । ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଦ୍ୱାରା ସାତ ବର୍ଷ ଧରି ଚାଲିଥିବା ସଫ୍ଟ୍ ସ୍କିଲ୍ ପାଠ୍ୟକ୍ରମ ପାଇଁ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରୁଛନ୍ତି । ଅନେକେ ନାମି ଦାମୀ ବ୍ୟକ୍ତି କ୍ରିଷ୍ଣାଭୀରଙ୍କ ପୁସ୍ତକ ଏବଂ ସେ ଲେଖିବା ପାଇଁ କରିଥିବା ପ୍ରୟାସକୁ ପ୍ରଶଂସା କରିଛନ୍ତି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପୁସ୍ତକ ବ୍ୟାଖ୍ୟା କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମନ୍ନା 'ଇଂଲିସ୍ ଫର୍ ଲୋୟର୍ସ' ପୁସ୍ତକର ଉନ୍ମୋଚନ କରିଥିଲେ । ଇନଫୋସିସ୍ ପ୍ରତିଷ୍ଠାତା ନାରାୟଣମୂର୍ତ୍ତି ଏୟୁ ରେଜିଷ୍ଟ୍ରାର ଆଚାର୍ଯ୍ୟ କୃଷ୍ଣମୋହନଙ୍କ ସହଯୋଗରେ ଲେଖାଯାଇଥିବା 'ଲାଇଫ୍ ସ୍କିଲ୍ସ ଆଣ୍ଡ ହୋଲିଷ୍ଟିକ୍ ଏଜୁକେସନ' ଶୀର୍ଷକ ପୁସ୍ତକକୁ ପ୍ରଶଂସା କରିଥିଲେ ।