କୋଭିଡ -୧୯ରେ ସଂକ୍ରମିତ ଅଧିକାଂଶ ଲୋକ ଅନ୍ତତଃ ୬ ମାସ ଯାଏଁ ପୁନଃ ସଂକ୍ରମଣ ହୁଅନ୍ତି ନାହିଁ । କିନ୍ତୁ ବୟସ୍କ ରୋଗୀମାନେ ପୁନଃସଂକ୍ରମିତ ହେବା ଆଶଙ୍କା ଅଧିକ ବୋଲି ଲାନସେଟ ପତ୍ରିକାରେ ପ୍ରକାଶିତ ଏକ ରିସର୍ଚ୍ଚ ରିପୋର୍ଟରେ ଏ ବିଷୟ ଉଲ୍ଲେଖ କରାଯାଇଛି । ୨୦୨୦ରେ ଡେନମାର୍କରେ ସୁସ୍ଥ ରୋଗୀଙ୍କ ମଧ୍ୟରେ ପୁନଃ ସଂକ୍ରମଣ ଦେଖାଦେଇଥିଲା । ସମୀକ୍ଷା ପରେ ଜଣାପଡିଥିଲା ଯେ, କୋଭିଡରେ ପୁନଃସଂକ୍ରମିତ ହୋଇଥିବା ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ୪୭ ପ୍ରତିଶତ ଥିଲା, ଯାହା କି ବେଶ୍ ଚିନ୍ତାଜନକ । ଅର୍ଥାତ ୬୫ ବର୍ଷରୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ କୋଭି-୧୯ ପୁନଃ ସଂକ୍ରମଣ ଆଶଙ୍କା ଅଧିକ ବୋଲି ସ୍ପଷ୍ଟ ହୋଇଥିଲା ।
ତେବେ, ୬୫ ବର୍ଷରୁ କମ୍ ବୟସର ରୋଗୀଙ୍କ କ୍ଷେତ୍ରରେ ପୁନଃସଂକ୍ରମଣ ଆଶଙ୍କା ବହୁତ ହିଁ କମ ବୋଲି ଗବେଷଣାରୁ ଜଣାପଡିଛି । ଯୁବକ ଓ ସୁସ୍ଥ ଲୋକଙ୍କ ମଧ୍ୟରେ ବି କୋଭିଡ-୧୯ ପୁନଃ ସଂକ୍ରମଣ ଆଶଙ୍କା ବହୁତ କମ୍ । କିନ୍ତୁ ଅଧିକ ବୟସର ଲୋକଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ ବୋଲି ଡେନମାର୍କର ଷ୍ଟେଟନେସ୍ ସେରମ ଇନଷ୍ଟିଚ୍ୟୁଟର ଗବେଷକ ଷ୍ଟିନ ଏଥେଲବର୍ଗ କହିଛନ୍ତି ।
ଗବେଷଣା ପାଇଁ ଗବେଷକାଂନେ ଡେନମାର୍କର ଜାତୀୟ କୋଭିଡ-୧୯ ଟେଷ୍ଟିଂ କୌଶଳର ଡାଟା ସଂଗ୍ରହ କରି ବିଶ୍ଳେଷଣ କରିଥିଲେ । ୨୦୨୦ରେ ଡେନମାର୍କର ଜନସଂଖ୍ୟାର ଦୁଇ ତୃତୀୟାଂଶ ଲୋକଙ୍କ କୋଭିଡ ଟେଷ୍ଟିଂ ହୋଇଥିଲା । ( ୬୯ ପ୍ରତିଶତ, ୪ ମିଲିଅନ ଲୋକ ) ଗବେଷକମାନେ ଏହି ଡାଟା ବ୍ୟବହାର କରୁଥିଲେ । ଡେନମାର୍କର ଉଭୟ ପ୍ରଥମ ଓ ଦ୍ୱିତୀୟ ଲହରୀ ସଂକ୍ରମଣର ଡାଟା ବ୍ୟବହାର ହୋଇଥିଲା । ଏହି ଲୋକଙ୍କ ମଧ୍ୟରୁ କୋଭିଡ-୧୯ ପୁନଃ ସଂକ୍ରମିତଙ୍କ ତାଲିକା ବାହାର କରାଯାଇଥିଲା । ୨୦୨୦ ମାର୍ଚ୍ଚରୁ ମେ ମଧ୍ୟରେ ଚାଲିଥିବା ମହାମାରୀର ପ୍ରଥମ ପର୍ଯ୍ୟାୟରେ ପଜିଟିଭ ଚିହ୍ନଟ ହୋଇଥିବା ଲୋକଙ୍କ ମଧ୍ୟରୁ ମାତ୍ର ଶୂନ ଦଶମିକ ୬୫ ପ୍ରତିଶତ ହିଁ ୨୦୨୦ ସେପଟେମ୍ବରୁ ଡିସେମ୍ବର ମଧ୍ୟରେ ଆସିଥିବା ମହାମାରୀର ଦ୍ୱିତୀୟ ପର୍ଯ୍ୟାୟରେ ପୁନଃ ସଂକ୍ରମିତ ହୋଇଥିଲେ ।
ପ୍ରଥମ ପର୍ଯ୍ୟାୟରେ ପଜିଟିଭ ଚିହ୍ନଟ ହୋଇଥିବା ୬୫ ବର୍ଷରୁ କମ୍ ବୟସର ଲୋକଙ୍କ ମଧ୍ୟରୁ ଶୂନ ଦଶମିକ ୬୦ ପ୍ରତିଶତ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଥରେ ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ, ବୟସ୍କ ଲୋକଙ୍କ କ୍ଷେତ୍ରରେ ହିଁ ପୁନଃସଂକ୍ରମଣ ପ୍ରତିଶତ ଅଧିକ ରହିଥିଲା । ୬୫ ବର୍ଷରୁ ଅଧିକ ବୟସ ଲୋକଙ୍କ ମଧ୍ୟରେ ପୁନଃସଂକ୍ରମିତଙ୍କ ପ୍ରତିଶତ ଥିଲା ଶୂନ ଦଶମିକ ୮୮ ପ୍ରତିଶତ । ସେମାନେ ଉଭୟ ମହାମାରୀର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ସଂକ୍ରମିତ ହୋଇଥିଲେ ।