ନୂଆଦିଲ୍ଲୀ: ଯେଉଁ ଚୀନରେ କୋରୋନା ମହାମାରୀ ସମଗ୍ର ବିଶ୍ବରେ ଆତଙ୍କ ଖେଳାଇ ଦେଇଥିଲା ବର୍ତ୍ତମାନ ସେହିଠାରେ ହିଁ ଏହି ମହାମାରୀର ଆଉ ଏକ ଭାରିଆଣ୍ଟ ବିଛାଇଛି ମୃତ୍ୟୁର ନାଗଫାଶ । ଚୀନରେ ମୃତ୍ୟୁସଂଖ୍ୟା ଏପରି ବୃଦ୍ଧି ପାଉଛି ଯେ, ମୃତଦେହ ଦାହ ପାଇଁ ଲାଇନ୍ ଲଗାଇବାକୁ ପଡୁଛି ! କୋଭିଡର ପ୍ରଥମ ଭାରିଏଣ୍ଟରେ ଚୀନରୁ ଆସିଥିବା ପ୍ରବାସୀଙ୍କ ଠାରୁ ମହାମାରୀ ବ୍ୟାପୀ ଧୀରେ ଧୀରେ ସମଗ୍ର ଦେଶକୁ କବଳିତ କରିଥିଲା । ଏହି କାରଣରୁ ଆମ ଦେଶରେ ମଧ୍ୟ ଲକ୍ଷାଧିକ ଲୋକଙ୍କ ଜୀବନ ଯାଇଛି । ଫଳରେ ବର୍ତ୍ତମାନ ଚୀନକୁ ଗମନାଗମନ ନେଇ ଉଠିଛି ବିରାଟ ପ୍ରଶ୍ନ ।
ଏକ ରିପୋର୍ଟ ଅନୁସାରେ ଚୀନକୁ ବିମାନ ଚଳାଚଳ କରାଯିବା ଉଚିତ୍ କି ନୁହେଁ ସେ ଉପରେ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ଜଣାପଡିଛି ଯେ, ପ୍ରତି 10 ଭାରତୀୟଙ୍କ ମଧ୍ୟରୁ 7 ଜଣ ଚୀନକୁ ବିମାନ ଚଳାଚଳ ବନ୍ଦ ହେଉ ବୋଲି ଚାହୁଁଛନ୍ତି(7 in 10 Indians want govt to shut all flights from China as Covid surges) । କେନ୍ଦ୍ର ସରକାର ଏହି ନିୟମ ଉପରେ କଡା କଟକଣା ଜାରି କରନ୍ତୁ ବୋଲି ଚାହୁଁଛନ୍ତି ଅଧିକ ଭାରତୀୟ । ଏମାନେ କହିଛନ୍ତି ଯେ, ଚୀନ୍ରୁ ସମସ୍ତ ବିମାନ ବନ୍ଦ କରାଯିବା ଉଚିତ ।
ଏଥିସହ ସେଠାରୁ ଆସୁଥିବା ଯେକୌଣସି ବ୍ୟକ୍ତିଙ୍କ ପାଇଁ ସରକାର କ୍ବାରେଣ୍ଟାଇନ ନିୟମ ବାଧ୍ୟତାମୂଳକ କରନ୍ତୁ, ବିଶେଷ କରି ଯେଉଁମାନେ ପୂର୍ବ 14 ଦିନ ମଧ୍ୟରେ ଚୀନରେ ଥିଲେ । ସମ୍ପ୍ରତି ଚୀନରୁ ଭାରତକୁ ବିମାନ ଅନ୍ୟ ଦେଶ ଦେଇ ଯାଉଥିବା ବେଳେ ହଂକଂରୁ ଭାରତକୁ ସିଧାସଳଖ ବିମାନ ଚଳାଚଳ କରୁଛି ।
ସୂଚନା ଅନୁସାରେ ସୋସିଆଲ୍ କମ୍ୟୁନିଟି ଏନଗେଜମେଣ୍ଟ ପ୍ଲାଟଫର୍ମ ଲୋକାଲ୍ସର୍କଲ୍ସ ଏହି ସର୍ଭେ କରିଥିଲା । ସର୍ଭେ ଅନୁଯାୟୀ, ଚୀନ୍ରୁ ବିମାନ ଚଳାଚଳ ସ୍ଥଗିତ ରଖିବାକୁ 71 ପ୍ରତିଶତ ନାଗରିକ କହିଛନ୍ତି । ପ୍ରାୟ 16 ପ୍ରତିଶତ ଉତ୍ତରଦାତା କହିଛନ୍ତି ଯେ, ସରକାର କେବଳ ଚୀନରୁ ବିମାନ ଚଳାଚଳ ସ୍ଥଗିତ ରଖିବା ଉଚିତ ଏବଂ ଗତ 14 ଦିନ ମଧ୍ୟରେ ସେଠାରେ ଥିବା ଯାତ୍ରୀମାନଙ୍କୁ କୋଭିଡ ନେଗେଟିଭ୍ ରିପୋର୍ଟ ସହିତ ଅନ୍ୟ ଦେଶ ଦେଇ ଆସିବାକୁ ଅନୁମତି ଦିଅନ୍ତୁ ।
ସେହିପରି ସର୍ଭେରୁ ଜଣାପଡିଛି ଯେ ଅଧିକାଂଶ ନାଗରିକ(87 ପ୍ରତିଶତ) ଚୀନ୍ରୁ ସମସ୍ତ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ବିମାନ ବନ୍ଦ କରିବାକୁ ସପକ୍ଷରେ ଅଛନ୍ତି । ଅନ୍ୟପଟେ, କେତେକ ବିଶ୍ୱସ୍ତରୀୟ ମହାମାରୀ ବିଶେଷଜ୍ଞ ଆକଳନ କରୁଛନ୍ତି ଯେ, ଆଗାମୀ 90 ଦିନ ମଧ୍ୟରେ ଚୀନରେ 60% ରୁ ଅଧିକ ଏବଂ ବିଶ୍ବର 10% ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି । ଏ ଦୃଷ୍ଟିରୁ ସମଗ୍ର ବିଶ୍ବରେ ମହାମାରୀର ନୂଆ ଭାରିଆଣ୍ଟକୁ ନେଇ ଚିନ୍ତା ବଢିଛି ।