ଠିକ୍ ବର୍ଷକ ତଳେ ଭାରତରେ କୋଭିଡ-୧୯ର ପ୍ରଥମ ମାମଲା ଦେଖାଦେଇଥିଲା । ସେହି ଘଟଣାକୁ ବର୍ଷେ ବିତିଯାଇଥିଲେ ମଧ୍ୟ ଭାଇରସର ଭୟ ଲୋକଙ୍କ ମଧରେ ଏବେ ବି ରହିଛି । ପ୍ରଥମେ ପ୍ରଥମେ ଏହି ଭାଇରସ ଦ୍ୱାରା କବଳିତ ହୋଇ ବହୁସଂଖ୍ୟକ ଲୋକ ପ୍ରାଣ ହରାଉଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତରମାନେ ଏହି ରୋଗକୁ କିପରି ପରିଚାଳନା କରାଯାଏ,ତାହା ବୁଝିପାରିଲେ । ତେଣୁ ମୃତ୍ୟୁ ଦର ଏବେ ନିୟନ୍ତ୍ରଣରେ ରହିଛି । ତେବେ କୋରୋନା ରୋଗ ପରବର୍ତ୍ତୀ ପ୍ରଭାବ ଉଭୟ ଡାକ୍ତର ଓ ଗବେଷକମାନଙ୍କୁ ଚିନ୍ତାରେ ପକାଇଛି । ଅବଶ୍ୟ ଦେଶରେ ଖୁବ ଶୀଘ୍ର ଏହି ରୋଗ ବିରୋଧରେ ଟିକା ଆସିଯିବ ବୋଲି ଘୋଷଣା କରାଯାଇଛି । କିନ୍ତୁ ଭାଇରସର ପରିବର୍ତ୍ତନଶୀଳ ସ୍ୱରୂପ, ଲକ୍ଷଣରେ ଭିନ୍ନତା ଓ ଶରୀରରେ ଏହାର ପ୍ରଭାବକୁ ଦେଖି ଲୋକେ ଟିକାର ପ୍ରଭାବଶାଳିତାକୁ ନେଇ ସନ୍ଦେହ ପ୍ରକାଶ କରିବାରେ ଲାଗିଲେଣି ।ତ୍କୋ ଭିଡ-୧୯ ଓ ଏହାର ପ୍ରଭାବ କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି । ଶ୍ୱସନ ହେଉ ବା ହଜମ ବା ସ୍ନାୟୁ ବ୍ୟବସ୍ଥା ,ଏସବୁ କୋଭିଡ-୧୯ ଭାଇରସ ଦ୍ୱାରା ଗୁରୁତର ଭାବେ ପ୍ରଭାବିତ ହୋଇଛି । ଅବଶ୍ୟ ବିଭିନ୍ନ ଲୋକଙ୍କ ଠାରେ ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଇଛି । ୨୦୨୦ର କୋଭିଡ-୧୯ ଡାଏରୀରୁ ଇଟିଭି ଭାରତ ସୁଖିଭବଃ ଟିମ୍ ଏହି ମାରାତ୍ମକ ରୋଗ ଓ ଏହାର ପ୍ରଭାବ ସଂପର୍କିତ କିଛି ସୂଚନାର ପୁନରାବୃତ୍ତି କରିଛି ।
କୋଭିଡ-୧୯ : ମହାମାରୀ
ଚୀନର ଉହାନ ସହରରେ କୋଭିଡ-୧୯ର ପ୍ରଥମ ମାମଲା ସାମନାକୁ ଆସିଥିଲା । ଲୋକଙ୍କର ଯାତାୟତ ଫଳରେ ଏହି ରୋଗ ଧୀରେ ଧୀରେ ଅନ୍ୟଦେଶକୁ ବ୍ୟାପିବାରେ ଲାଗିଲା । ମାତ୍ର କେଇଟା ମାସରେ ସାରା ବିଶ୍ୱ ହେଲା କୋରାନା କବଳିତ । ଏହି ରୋଗକୁ ପ୍ରଥମେ ଏସଏଆରଏସ-ସିଓଭି-୨ ଭାବେ ନାମକରଣ କରାଯାଇଥିଲା । ପରେ ଏହାକୁ କୋଭିଡ-୧୯ କୁହାଗଲା । ( କୋରୋନାଭାଇରସ ଡିଜିଜ୍ ୨୦୧୯ର କ୍ଷୁଦ୍ର ନାମ ) ପ୍ରଥମ ପ୍ରଥମେ କଫ, ଥଣ୍ଡା, ଉଚ୍ଚ ଜ୍ୱର କୋରୋନାର ଲକ୍ଷଣ ଚିହ୍ନଟ ହୋଇଥିଲା । କିନ୍ତୁ ରୋଗ ବ୍ୟାପିବା ସହ ଅନ୍ୟାନ୍ୟ ଲକ୍ଷଣ ବି ଦେଖାଦେଲା । ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ,ଗନ୍ଧହୀନତା ମଧ୍ୟ ରୋଗର ଲକ୍ଷଣ ଭାବେ ଚିହ୍ନଟ ହେଲା । ପରେ ପରେ ଡାଇରିଆ, ଶିର ଓ ଶରୀର ପୀଡା,ଅତିଶୟ କ୍ଲାନ୍ତି ଓ ଦୁର୍ବଳତା ମଧ୍ୟ କୋରୋନା ଲକ୍ଷଣ ତାଲିକାରେ ସ୍ଥାନ ପାଇଲା ।
ଏ ବର୍ଷ ଏହି ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ସବୁଠାରୁ ମାରାତ୍ମକ ଓ ଘାତକ ମହାମାରୀ ରୂପେ ବିବେଚତ ହୋଇଛି କୋରୋନା । ଏହି ରୋଗ ଜୀବନଶୈଳୀକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦେଇଛି । ଉଭୟ ମାନସିକ ଓ ଶାରୀରିକ ପରିବର୍ତ୍ତନ ଆଣିଛି ଏହି ମହାମାରୀ । ବିଶ୍ୱର ସମସ୍ତଙ୍କୁ ବ୍ୟାପକ ଭାବେ ପ୍ରଭାବିତ କରିଛି କୋରୋନା । ଶାରିରୀକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ ଓ ବାରମ୍ବାର ହାତ ଧୋଇବା ଓ ବିଭିନ୍ନ ସାମଗ୍ରୀ ସାନିଟାଇଜ କରିବା ସମସ୍ତଙ୍କ ପାଇଁ ଅତୀବ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି ।
ଅନ୍ୟ ରୋଗରେ ପୀଡିତଙ୍କ ଉପରେ କୋଭିଡ୍ର ପ୍ରଭାବ
ସହରୁଗ୍ଣତା ରୋଗୀମାନଙ୍କ ଉପରେ କୋରୋନା ମହାମାରୀର ମାରାତ୍ମକ ପ୍ରଭାବ ପଡିଛି । ହୃଦରୋଗୀ, ଉଚ୍ଚ ରକ୍ତଚାପ,ମଧୁମେହ,କ୍ୟାନସର ଭଳି ରୋଗରେ ପୀଡିତ ଲୋକଙ୍କ ଉପରେ କୋରୋନାର ପ୍ରଭାବ ଅଧିକ ରହିିଛି । ଏସବୁ ରୋଗରେ ପୀଡିତ ଲୋକଙ୍କ ପ୍ରତିରୋଧକ ଶକ୍ତି ସାଧାରଣତଃ ଦୁର୍ବଳ ହୋଇଯାଇଥାଏ । ତେଣୁ ସେମାନେ କୋରୋନା ସଂକ୍ରମଣରେ ଶୀଘ୍ର ସଂକ୍ରମିତ ହୋଇଛନ୍ତି । ବିଶେଷ କରି ହୃଦରୋଗୀଙ୍କ କ୍ଷେତ୍ରରେ କୋରୋନା ଅଧିକ ମାରାତ୍ମକ ସାବ୍ୟସ୍ତ ହୋଇଛି ।
ଫୁସଫୁସ ଓ ଶ୍ୱସନ ବ୍ୟବସ୍ଥା ଉପରେ ପ୍ରଭାବ
ଆରମ୍ଭରୁ କୋରୋନାକୁ ଶ୍ୱସନ ବ୍ୟବସ୍ଥା ଓ ଫୁସଫୁସ ସହ ଜଡିତ ଏକୋ ରୋଗ ବୋଲି କୁହାଯାଉଥିଲା । କାରଣ ଏହି ରୋଗ ସଂସ୍ପର୍ଶରେ ଆସୁଥିବା ଲୋକଙ୍କଠାରେ ଫ୍ଲୁ ଓ ନିମୋନିଆ ଭଲି ରୋଗର ଲକ୍ଷଣ ଦେଖାଯାଉଥିଲା । ନିଶ୍ୱାସପ୍ରଶାସ ନେବାରେ କଷ୍ଟ ହେଉଥିବା ଲୋକେ ଅଭିଯୋଗ କଲେ । ଆଉ କେତେକ କୋରୋନା ରୋଗୀଙ୍କଠାରେ ଗୁରୁତର ଫୁସଫୁସ ଜନିତ ସମସ୍ୟା ଦେଖାଦେଇଥିଲା । ଏ କ୍ଷେତ୍ରରେରୋଗୀଙ୍କୁ ଅତିରିକ୍ତ ଅକ୍ସିଜେନ ଦେବାକୁ ପଡେ । କେବଳ ସେତିକି ନୁହେଁ, କୋରୋନା ସଂକ୍ରମଣରୁ ସୁସ୍ଥ ହେଲା ପରେ ମଧ୍ୟ ଲୋକଙ୍କ ଶ୍ୱସନ ବ୍ୟବସ୍ଥାରେ ଦୀର୍ଘ ଦିନ ଧରି ଗୁରୁତର ସମସ୍ୟା ଲାଗି ରହୁଛି,ଯାହା କି ଉଦବେଗର ବିଷୟ ।
ପାଚନ ବ୍ୟବସ୍ଥା ଓ ଅଗ୍ନାଶୟ ଉପରେ ପ୍ରଭାବ
କେବଳ ଫୁସଫୁସ ନୁହେଁ, କୋଭିଡ-୧୯ ଅନେକ ରୋଗୀଙ୍କ କ୍ଷୁଧା ଶକ୍ତିକୁ ବି ପ୍ରଭାବିତ କରିଥିଲା । ପ୍ରତିରୋଧକ ଶକ୍ତି ହ୍ରାସ କରିବା ସହ ପାଚନ ବ୍ୟବସ, ଅନ୍ତଃନଳୀ ଓ ଯକୃତକୁ ବି ଦୁର୍ବଳ କରିଦେଇଥିଲା କୋଭିଡ-୧୯ ଭାଇରସ । ପରିଣାମ ସ୍ୱରୂପ, ଲୋକେ ତଳିପେଟ ଯନ୍ତ୍ରଣା,ଡାଇରିଆ,ସ୍ୱାଦହୀନତା ଭଳି ଲକ୍ଷଣର ସମ୍ମୁଖୀନ ହୋଇଥିଲେ । ଡାକ୍ତରମାନଙ୍କ କହିବାନୁସାରେ କୋରୋନା ଭାଇରସ ଦ୍ୱାରା ଅଧିକାଂଶ ଲୋକ ଗ୍ୟାସଟ୍ରୋଇଂଟେଷ୍ଟିନାସଲ ଟ୍ରାକ୍ଟ ଓ ପାଚନଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏସବୁ ଅଧିକାଂଶ ରୋଗୀଙ୍କଠାରେ ଅଗ୍ନାଶୟ ଓ ଦୁର୍ବଳତା ସୃଷ୍ଟି କରିଥିଲା ।
ମସ୍ତିଷ୍କ ଓ ସ୍ନାୟୁ ବ୍ୟବସ୍ଥା ଉପରେ ପ୍ରଭାବ
ଆମର ମସ୍ତିଷ୍କ ଓ ସ୍ନାୟୁ ବ୍ୟବସ୍ଥା ଉପରେ କୋରୋନା ଭାଇରସ ପ୍ରଭାବ ପଡୁଥିବା ଯୋଗୁଁ ସଂକ୍ରମିତ ବ୍ୟକ୍ତି ସ୍ୱାଦ ଓ ଗନ୍ଧ ଅନୁଭବ କରିପାରେ ନାହିଁ । ଏହାଛଡା ଏହା ସ୍ନାୟୁରେ ଯନ୍ତ୍ରଣା ସୃଷ୍ଟି କରେ ଓ ବ୍ଲଡ୍ କ୍ଲଟିଂ ଏବଂ ନିରନ୍ତର ମୁଣ୍ଡବ୍ୟଥା ଭଳି ସମସ୍ୟା ଜାତ କରେ । ଲୋକେ ମାଇଗ୍ରେନ ଭଳି ମୁଣ୍ଡବ୍ୟଥାର ବି ଅଭିଯୋଗ କରନ୍ତି । ଅଧିକାଂଶ ରୋଗୀଙ୍କର ବ୍ରେନ୍ର କିଛି ଅଂଶ ସ୍ଥାୟୀ ଭାରେ କ୍ଷତିଗ୍ରସ୍ତ ହୋଇଥିବା ଡାକ୍ତରମାନେ କହିଛନ୍ତି, ଯାହା ଦ୍ୱାରା କି ସେମାନେ ସ୍ୱାଦ ଓ ଗନ୍ଧ ଅନୁଭବ କରିପାରନ୍ତି ନାହିଁ ।
କିଡନୀ ରୋଗରେ ବୃଦ୍ଧି
କୋଭିଡ-୧୯ ସଂକ୍ରମଣ ଯୋଗୁଁ ଅଧିକାଂଶ ଲୋକଙ୍କର କିଡନୀ କ୍ଷତିଗ୍ରସ୍ତ ହୋଇଛି । ଏଥିପାଇଁ ସେମାନଙ୍କୁ ଡାଇଲିସିସର ଆବଶ୍ୟକତା ପଡିଥିଲା । କିଡନୀ ଯେକୌଣସି ସଂକ୍ରମଣରେ ପ୍ରଭାବିତ ହେଲେ ଓ ଡାଇଲିସିସର ଆବଶ୍ୟକତା ପଡିଲେ ୩ ଦିନରୁ ୩ ସପ୍ତାହ ମଧ୍ୟରେ ରୋଗୀ ସୁସ୍ଥ ହୋଇଯାଏ । କିନ୍ତୁ କୋଭିଡ-୧୯ ସଂକ୍ରମଣ ମାମଲାରେ ରୋଗୀମାନଙ୍କର କିଡନୀ କ୍ଷତିଗ୍ରସ୍ତ ହୋଇଯାଏ । ସେମାନେ ଶୀଘ୍ର ଆରୋଗ୍ୟ ଲାଭ କରିପାରନ୍ତି ନାହିଁ । ଡାକ୍ତରମାନଙ୍କ ମତରେ ସବୁଠାରୁ ଚିନ୍ତାର ବିଷୟ ହେଉଛି କୋଭିଡ-୧୯ର ପାଶ୍ୱର୍ ପ୍ରତିକ୍ରିୟା ଦ୍ୱାରା କିଡନୀ ରୋଗୀଙ୍କୁ ଦୀର୍ଘକାଳୀନ ଡାଇଲିସିସ ଦରକାର ହୁଏ ଓ ଭବିଷ୍ୟତରେ କିଡନୀ ପ୍ରତିରୋପଣର ମଧ୍ୟ ଆବଶ୍ୟକତା ପଡେ ।
ବର୍ଷସାରା ମାନସିକ ସମସ୍ୟା
ଆରମ୍ଭରୁ ହିଁ କୋରୋନା ଭାଇରସଲୋକଙ୍କ ମଧ୍ୟରେ ଆତଙ୍କ ଓ ଭୟ ସୃଷ୍ଟି କରିଛି । ମହାମାରୀ ଯୋଗୁଁ ଅର୍ଥନୈତିକ ଅସ୍ଥିରତା, ବେକାରୀ, ଭବିଷ୍ୟତ, ଶିକ୍ଷା ସବୁ କ୍ଷେତ୍ରରେ ଅନିଶ୍ଚିତତା ସୃଷ୍ଟି ହୋଇଛି । ଲକଡାଉନ, ସଟଡାଉନ ଓ ରୋଗ ନିୟନ୍ତ୍ରଣ ପାଇଁ ଶାରିରୀକ ଦୂରତା ଏଭଳି ସମସ୍ୟା ସୃଷ୍ଟି କରିଛି । ରୋଗ ଦ୍ୱାରା ସୃଷ୍ଟି ହୋଇଥିବା ଦୈନନ୍ଦିନ ସମସ୍ୟା ଯୋଗୁଁ ଲୋକେ ମାନସିକ ଚାପ ଓ ଅବସାଦରେ ରହୁଛନ୍ତି । ସେମାନେ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଛନ୍ତି । ବର୍ଷଟା ସାରା ଏଭଳି ସମସ୍ୟା ସୃଷ୍ଟି ହୋଇଛି । ମାନସିକ ଅବସାଦର ଶୀକାର ହୋଇ ଅନେକ ଲୋକ ଆତ୍ମହତ୍ୟା କରିଛନ୍ତି । ସବୁ ଶ୍ରେଣୀ, ସବୁ ବୟସ ବର୍ଗର ଲୋକେ ଏଭଳି ସମସ୍ୟାର ସାମନା କରିଛନ୍ତି । ପରିସ୍ଥିତି ଏପରି ହୋଇଛି ଯେ, ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଲୋକଙ୍କୁ ମନସ୍ତାତ୍ୱିକ ସହାୟତା ଯୋଗାଇ ଦେବାକୁ ପଡିଛି । ବିଶେଷଜ୍ଞମାନଙ୍କ ଦ୍ୱାରା ଅନଲାଇନ କାଇନସେଲିଂ ସେସନ ଆୟୋଜିତ ହୋଇଛି । ୨୦୨୦ରେ ମନସ୍ତତ୍ୱବିତଙ୍କଠାରୁ ପରାମର୍ଶ ଲୋଡିଥିବା ଲୋକଙ୍କ ସଂଖ୍ୟା ୪ ଗୁଣ ବଢିଛି ।
କୋରୋନା ମହାମାରୀ ଯୋଗୁଁ ବିଦାୟୀ ବର୍ଷ ଥିଲା ବେଶ ଆହ୍ୱାନମୂଳକ । ସମସ୍ତଙ୍କ ପାଇଁ ସୃଷ୍ଟି ହୋଇଥିଲା ଜଟିଳ ପରିସ୍ଥିତି । ସବୁଆଡେ ଥିଲା ଭୟ ଓ ଆଶଙ୍କାର ବାତାବରଣ । ଅନେକ ଲୋକ ନିଜର ଆତ୍ମୀୟ ସ୍ୱଜନ ବନ୍ଧୁବର୍ଗଙ୍କୁ କୋରୋନାରେ ହରାଇଛନ୍ତି । କାହାର ଘର ଯାଇଛି ତ ଆଉ କାହାର ଚାକିରି । ଆମେ ଆଶା କରିବା ଆସନ୍ତା ୨୦୨୧ ବର୍ଷ ସମସ୍ତଙ୍କ ପାଇଁ ଖୁସି ଓ ସମୃଦ୍ଧି ଆଣିବ । କିନ୍ତୁ ଟିକା ନେବା ଯାଏଁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ ।