ସୁନ୍ଦରଗଡ଼: କେନ୍ଦ୍ର ଭାଜପା ଓ ରାଜ୍ୟ ବିଜେଡି଼ ସରକାର କହୁଥିବା ଓ କରୁଥିବା ୨ଟି ପ୍ରସଙ୍ଗକୁ ନେଇ ସାରା ରାଜ୍ୟର ଯୁବ କଂଗ୍ରେସ କର୍ମୀମାନେ ଏବେ 'ୟଙ୍ଗ ଇଣ୍ଡିଆ କେ ବୋଲ' ନାମରେ ଏକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ଏହି କ୍ରମରେ ଆଜି(ମଙ୍ଗଳବାର) ଏକ ସାମ୍ବାଦିକ ସମ୍ମିଳନୀ କରି ଯୁବ କଂଗ୍ରେସ ସମସ୍ତ ଯୁବପିଢିଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଡି଼ ସରକାରଙ୍କ ନିକଟରେ ରହୁଥିବା ଅବହେଳା ଓ ଦୋଷକୁ ଚେତାଇବା ନେଇ ଆହ୍ବାନ ଦେଇଛନ୍ତି ।
ଯେଉଁ ଯୁବପିଢିମାନେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ନୀତି ଉପରେ ଅତିଷ୍ଠ ହୋଇଛନ୍ତି ଓ ତାଙ୍କ ସ୍ବର ସରକାରଙ୍କ କାନରେ ପଡିବା ନେଇ ବ୍ୟଗ୍ର ଅଛନ୍ତି ସେହିଭଳି ଯୁବକ-ଯୁବତୀଙ୍କୁ ଏହି ପ୍ଲାଟଫର୍ମରେ ଆଣିବା ନେଇ କଂଗ୍ରେସର ଏହା ଏକ ସୁଚିନ୍ତିତ ବ୍ୟବସ୍ଥା ବୋଲି ପ୍ରଦେଶ ଯୁବ କଂଗ୍ରେସର ମୁଖପାତ୍ର କହିଛନ୍ତି । ତେବେ କଂଗ୍ରେସ ପ୍ରତି ଜିଲ୍ଲାରୁ 5 ଜଣ କରି ଏପରି ଯୁବକ-ଯୁବତୀଙ୍କୁ ସଂଗଠିତ କରି ରାଜ୍ୟସ୍ତରକୁ ପଠାଇବ ।
ରାଜ୍ୟସ୍ତରରୁ 10 ଜଣ ମନୋନୀତ ହୋଇ କେନ୍ଦ୍ରକୁ ଯିବା ନେଇ ସମସ୍ତ ପଦକ୍ଷେପ ଯୁବ କଂଗ୍ରେସ ନେବ ବୋଲି ସେ କହିଛନ୍ତି । ତେବେ ସଚେତନ ନାଗରିକ ହିସାବରେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କୁ ସମସ୍ତେ ପେଟ୍ରୋଲ ଓ ବେକାରୀ ସମସ୍ୟା ଉପରେ ପ୍ରଶ୍ନ କରିବା ନେଇ ସେ ଏହି ପ୍ରେସମିଟରେ ଆହ୍ବାନ କରିଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦାସମହାପାତ୍ର, ଇଟିଭି ଭାରତ