ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ହେମଗିର ବ୍ଲକ ଜାମକାନି କୋଇଲା ଖଣି ଖନନ ବିରୋଧରେ ବିସ୍ଥାପିତଙ୍କ ଧାରଣା ୧୫ ଦିନରେ ପହଞ୍ଚିଛି (Jamkani coal mines) । ଗୋଟେ ପଟେ ବିସ୍ଥାପିତଙ୍କ ଧାରଣା ଚାଲିଥିବା ବେଳେ ଅନ୍ୟପଟେ ଚାଲିଛି ଖଣିଖନନ (Villagers protest against Jamkani coal mines ) । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ଗ୍ରାମବାସୀଙ୍କ ଭିତରେ । ତେବେ ଏହି ଘଟଣାକୁ ନେଇ ବିସ୍ଥାପିତଙ୍କ ପାଖରେ ଛିଡ଼ା ହୋଇଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ।
ଏଠିକାର ଗ୍ରାମବାସୀ ଉପଯୁକ୍ତ କ୍ଷତିପୂରଣ ସହ ଥଇଥାନ, ପୁନର୍ବାସ ଓ ନିଯୁକ୍ତି ଦାବି କରି ଆସୁଛନ୍ତି । ହେଲେ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନେଉନି । ଏପରିକି ପ୍ରଶାସନ ପୋଲିସର ବିଶାଳ ଘେରାବନ୍ଦୀରେ ଖଣି ଖନନ ଚଳାଇଛି(Villagers protest against Jamkani coal mines in Rourkela) । ପ୍ରଶାସନର ଏ ପ୍ରକାର କାର୍ଯ୍ୟକୁ ନେଇ ଜାମକାନିରେ ଉତ୍ତେଜନା ଲାଗି ରହିଛି ।
ଶେଷରେ ବିସ୍ଥାପିତ ହୋଇଥିବା ୪ଟି ଗାଁ ଜାମକାନି, ଗିରିସୀମା, ଝାରପଲମ ଓ ମେଣ୍ଡ୍ରା ଗ୍ରାମବାସୀ ବାଧ୍ୟ ହୋଇ ଖଣି ଖନନ ସ୍ଥଳରେ ପିଲାଛୁଆ ସହ ଶହଶହ ମହିଳା, ପୁରୁଷ ଧାରଣା ଜାରି ରଖିଛନ୍ତି । ଲୋକଙ୍କୁ ନିୟମ ଅନୁସାରେ କ୍ଷତିପୂରଣ, ପୁନର୍ବାସ, ଥଇଥାନ ନକରି ଖଣି ଖନନ କରିବା ବେଆଇନ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି ।
ଏ ସମ୍ପର୍କରେ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଯୋଗଦେଇ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନକୁ ଦୃଢ ଭାବରେ ନିନ୍ଦା କରିଛନ୍ତି । ଏହା ସହିତ ରାଜ୍ୟପାଳ ଗଣେଶୀ ଲାଲଙ୍କ ସହିତ ଏ ବିଷୟରେ ଆଲୋଚନା କରିଛନ୍ତି । ଏହି ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ବିସ୍ଥାପିତ ଲୋକଙ୍କୁ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଜଣାଇଛନ୍ତି ।
ତେବେ ଆନ୍ଦୋଳନକୁ ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁର ବିଧାୟକ ରାଜନ ଏକ୍କା ତଥା ବିଜେପି, ବିଜେଡି, କଂଗ୍ରେସ ଦଳର ସଭ୍ୟମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ଭାବେ ସମର୍ଥନ କରିଛନ୍ତି । ଏହାସହ ପୋଲିସ, ପ୍ରଶାସନ ଓ କମ୍ପାନୀର ଜୋରଜବରଦସ୍ତ ଖଣିଖନନ ଏବଂ ବିସ୍ଥାପିତଙ୍କ ଉପରେ ଲାଠି ମାଡ଼କୁ କଡା ଭାଷାରେ ନିନ୍ଦା କରିଛନ୍ତି ।
ତେଣୁ ବିସ୍ଥାପିତଙ୍କ ବଡ଼ଧରଣର ବିରୋଧ ହେବା ପୂର୍ବରୁ ଖନନ ବନ୍ଦ କରି ପ୍ରଥମେ ବିସ୍ଥାପିତଙ୍କୁ କ୍ଷତିପୂରଣ, ଥଇଥାନ, ପୁନର୍ବାସ କରିବାକୁ ଦାବି କରିଛନ୍ତି । ଏହି ଆନ୍ଦୋଳନରେ ବଜରଙ୍ଗ ଦଳ, ପଶ୍ଚିମ ଓଡିଶା ଯୁବାମଞ୍ଚ, ଛତିଶଗଡ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଲୋକେ ଯୋଗଦେଇ ସମର୍ଥନ ଜଣାଇଛନ୍ତି ।
ଇଟିଭି ଭାରତ, ରାଉରକେଲା