ସୁନ୍ଦରଗଡ: ରାଉରକେଲା ପରେ ସୁନ୍ଦରଗଡରେ 18 ରୁ 44 ବର୍ଷୀୟ ବୟସ୍କଙ୍କ ପାଇଁ ଆଜି କୋରୋନା ଟିକା ଦିଆଯାଉଛି । ଗତକାଲି ଏ ନେଇ ଜିଲ୍ଲା କୋ-ଓ୍ବିନ ପୋର୍ଟାଲରେ ଏମାନେ ସ୍ଲଟ ବୁକିଂ କରିଥିବାବେଳେ ଆଜି ଟିକା ନେଇଛନ୍ତି । ଜିଲ୍ଲା ପ୍ରଶାସନ ଏହି ଟୀକାକରଣକୁ ସରଳୀକରଣ କରିବା ନେଇ ଏନଟିପିସି ହସ୍ପିଟାଲ ଓ ସୁନ୍ଦରଗଡ ସରକାରୀ ମହିଳା ମହାବିଦ୍ୟାଳୟରେ ବ୍ୟବସ୍ଥା କରିଛି ।
ପୋଲିସର କଡା ସୁରକ୍ଷା ବଳୟ ମଧ୍ୟରେ ଟିକାଦାନ ଚାଲିଛି । ତେବେ ଏନେଇ ଜିଲ୍ଲା ପ୍ରଶାସନ ଦୁଇଟି ଯାକ ଟିକା କେନ୍ଦ୍ରରେ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଛି । ଜିଲ୍ଲାପାଳ ,ଏସପି ଓ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସମସ୍ତ ଟିକା କେନ୍ଦ୍ର ବୁଲି ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ସହ ସମସ୍ତଙ୍କୁ ଏହାର ସୁଯୋଗ ନେବା ସହ ସହଯୋଗ କରିବା ନେଇ ଜିଲ୍ଲାପାଳ ନିବେଦନ କରିଛନ୍ତି ।
ତେବେ ପ୍ରତିଦିନ ସୁନ୍ଦରଗଡରେ 3500 ଜଣଙ୍କୁ ଟିକା ଦେବାର ବ୍ୟବସ୍ଥା କରାଯାଇଥିବା କଥା ଜିଲ୍ଲାପାଳ କହିଛନ୍ତି । ସୁନ୍ଦରଗଡ ପରେ ରାଜଗାଙ୍ଗପୁର ଓ ବୀରମିତ୍ରପୁରରେ ମଧ୍ୟ ଅନୁରୂପ ଭାବେ ଟିକା ଦାନ କରିବା ନେଇ ବ୍ୟବସ୍ଥା ଆରମ୍ଭ କରାଯାଇଥିବା ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ସୂଚନା ଦେଇଛନ୍ତି । ଅପରପକ୍ଷେ ଯେଉଁମାନେ ଆଜି ଏହି ଟିକା ନେଇଛନ୍ତି ସେମାନେ ଉତ୍ସାହିତ ଥିବା ସହ ପ୍ରଶାସନର ବ୍ୟବସ୍ଥାକୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
ସୁନ୍ଦରଗଡରୁ ହରିହର ଦାସ ମହାପାତ୍ର ,ଇଟିଭି ଭାରତ