ରାଉରକେଲା: ଜାନୁଆରୀ ମାସରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ହେବାକୁ ଯାଉଛି । ଏହାକୁ ନେଇ ସାରା ଦେଶ ଉତ୍ସବ ମୁଖର ରହିଛି । ଏହାମଧ୍ୟରେ ରାଉରକେଲା ଗସ୍ତରେ ଆସିଥିବା ବେଳେ ରାମ ମନ୍ଦିର ଉଦଘାଟନକୁ ନେଇ ମତ ରଖିଛନ୍ତି କେନ୍ଦ୍ର ଆଦିବାସୀ ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ । ପ୍ରଭୁ ଶ୍ରୀରାମ ମନ୍ଦିର ପ୍ରତିଷ୍ଠାକୁ କେନ୍ଦ୍ର ସରକାରଙ୍କ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅନ୍ୟପଟେ ରାଜ୍ୟରେ ତାମିଲ ଶାସନ ଚାଲିଥିବା କହିବା ସହ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପାଣ୍ଡୁ ବୋଲି ସମ୍ବୋଧନ କରି କଟାକ୍ଷ କରିଛନ୍ତି ।
ରାଉରକେଲା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ରାଜ୍ୟ ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ଯେଉଁ ଜଗନ୍ନାଥ ସଂସ୍କୃତିର ହଜାର ହଜାର ବର୍ଷରୁ ମାହାତ୍ମ୍ୟ ଚାଲିଆସିଛି ଆଜି ତାହାର ପ୍ରଚାର ପ୍ରସାର କାହିଁକି କରାଯାଉଛି ? ସମସ୍ତ ଓଡ଼ିଆ ଜଗନ୍ନାଥଙ୍କୁ ପୂଜନ୍ତି ଏବଂ ମାନନ୍ତି ତାହାକୁ ଆଉ ପ୍ରଚାର କରିବା ଦରକାର ନାହିଁ । ତେବେ ଯେଉଁ ଭାବରେ ରାଜ୍ୟ ସରକାର ଭିକେ ପାଣ୍ଡିଆନ ଏବଂ କାମିଆ ଜାନୀଙ୍କୁ ନେଇ ପ୍ରଚାର କରୁଛନ୍ତି ତାହାକୁ ବନ୍ଦ କରନ୍ତୁ ।"
ସେ ଆଉ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ । ବିଜେଡିରେ ନେତୃତ୍ବର ଅଭାବ ଦେଖାଦେଇଛି । ନେତୃତ୍ୱ ଅଭାବରୁ ବର୍ତ୍ତମାନ ସାରା ରାଜ୍ୟର ନେତୃତ୍ୱ ଜଣେ ତାଲିମଙ୍କ ହାତରେ ନ୍ୟସ୍ତ କରାଯାଇଛି । ରାଜ୍ୟରେ ଓଡ଼ିଆଙ୍କ ଶାସନ ବଦଳରେ ତାମିଲ ଶାସନ ଚଳିଛି । ଏହାଠାରୁ ବଡ଼ ଦୁର୍ଭାଗ୍ୟଜନକ କଥା ଆଉ କିଛି ନୁହେଁ । ଜଣେ ଓଡ଼ିଆ ହାତରେ ରାଜ୍ୟର ନେତୃତ୍ୱ ଜରୁରୀ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ୱର ଟୁଡୁ ।
ଅନ୍ୟପଟେ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି, "ସମ୍ପୂର୍ଣ୍ଣ ଭାରତ ବର୍ଷର ବହୁ ଦିନର ଦାବିକୁ କେନ୍ଦ୍ର ସରକାର ବର୍ତ୍ତମାନ ପୁରା କରିବାକୁ ଯାଉଛନ୍ତି । ଭାରତବାସୀ ବର୍ତ୍ତମାନ ବହୁତ ଖୁସିରେ ଅଛନ୍ତି ଏବଂ ଏହାକୁ ନେଇ ବର୍ତ୍ତମାନ ସମ୍ପୂର୍ଣ୍ଣ ଦେଶରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ଏହି ଲଢେଇ ବହୁ ବର୍ଷରୁ ଚାଲି ଆସିଥିଲା । ଭକ୍ତି ସହ ସନାତନ ଓ ହିନ୍ଦୁ ଧର୍ମର ଭାବାବେଗ ଜଡିତ ଅଛି ତାହା ଆଜି ପୂରଣ ହେବା ଉପରେ । ରାମ ମନ୍ଦିର ନିର୍ମାଣ ଲାଗି ଲୋକଙ୍କ ଯେଉଁ ସ୍ୱପ୍ନ ଥିଲା ତାହା ଆଜି ଲୋକଙ୍କ ସାମ୍ନାରେ । ଆଜି ଆମ ସମସ୍ତଙ୍କର ଆଶା ପୂରଣ ହୋଇଛି । ଏବେଠୁ ସମ୍ପୂର୍ଣ୍ଣ ଭାରତବାସୀ ଅଯୋଧ୍ୟା ମୁହାଁ ହେଲେଣି ଏବଂ ପ୍ରଭୁ ଶ୍ରୀରାମଙ୍କ ପାଖକୁ ଲୋକଙ୍କ ସୁଅ ଛୁଟୁଛି । ବର୍ତ୍ତମାନ ସମସ୍ତ ଲୋକଙ୍କ ମଧ୍ୟରେ ହର୍ଷ ଉଲ୍ଲାସ ଭରି ରହିଛି ।"
ଆସନ୍ତା ଜାନୁଆରୀ ମାସ ୨୨ ତାରିଖରେ ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ରାମ ମନ୍ଦିର । ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିର ସ୍ଥାପନା ସମାରୋହରେ ସାମିଲ ହେବେ । ଭଗବାନ ଶ୍ରୀରାମ ମନ୍ଦିର ଗର୍ଭଗୃହରେ ବିରାଜମାନ କରିବେ ଏବଂ ପ୍ରଧାନମନ୍ତ୍ରୀ ଏହି ସମାରୋହରେ ମୁଖ୍ୟ ଯଜମାନ ଭାବେ ଯଜ୍ଞରେ ବସିବେ । ଏହି ପ୍ରତିଷ୍ଠା ଦିବସ ଅବସରରେ ପୂଜାପାଠ, ଭଜନ ଆଦି ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜିତ ହେବ ଏବଂ ସାରା ଭାରତ ବର୍ତ୍ତମାନ ରାମମୟ ହେବାରେ ଲାଗିଛି । ଆଗାମୀ ନିର୍ବାଚନରେ ରାମ ମନ୍ଦିର ପ୍ରଭାବ ଉପରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ଏହି କଥା ନିର୍ବାଚନ ପରେ ହିଁ ଜଣା ପଡିବ ।
ଇଟିଭି ଭାରତ, ରାଉରକେଲା