ରାଉରକେଲା: ପୁଣି ଆକାଶଛୁଆଁ ଟମାଟୋ ଦର । ରାଉରକେଲା ସହରରେ ଟମାଟୋ କିଲୋ ପିଛା ୨୦୦ ଟଙ୍କାରେ ପହଞ୍ଚିଛି । ଗତ କିଛି ମାସ ତଳେ ଟମାଟୋ ଦର କିଲୋ ପ୍ରତି ୨୦ରୁ ୩୦ ଟଙ୍କା ବିକ୍ରି ହେଉଥିଲା ଏବଂ ହଠାତ ତାହା ୧୫୦ ଟଙ୍କାରେ ପହଞ୍ଚିଥିଲା । ବର୍ଷା ଯୋଗୁଁ ଫସଲ ନଷ୍ଟ ହେବା ଫଳରେ ପୁଣି ଏହି ଦର ୨୦୦ ଟଙ୍କାରେ ପହଞ୍ଚିଛି । ଯାହାକୁ ନେଇ ଖାଉଟି ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ।
ବର୍ତ୍ତମାନ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ଟମାଟୋ କିଲୋ ୨୦୦ ଟଙ୍କାରୁ ଅଧିକ ଦରରେ ବିକ୍ରି ହେଉଛି । କେବଳ ଯେ ରାଉରକେଲା ନୁହେଁ ସମ୍ପୂର୍ଣ୍ଣ ରାଜ୍ୟରେ ବର୍ତ୍ତମାନ ଟମାଟୋ ଦର ଆକାଶ ଛୁଆଁ ହୋଇଛି । ହଠାତ ଏଭଳି ଦରବୃଦ୍ଧି ସହରବାସୀଙ୍କ ପକେଟରେ ନିଆଁ ଲଗାଇଥିବା ବେଳେ ମଧ୍ୟବିତ୍ତ ପରିବାର ଚିନ୍ତାରେ ପଡ଼ିଛନ୍ତି। ରାଉରକେଲା ବ୍ୟବସାୟୀମାନଙ୍କ ପକ୍ଷରୁ ଏହି ଅଭାବ ଦରବୃଦ୍ଧି ପାଇଁ ଟମାଟୋ ଫସଲରେ ବ୍ୟାପକ କ୍ଷତି ହୋଇଥିବା କୁହାଯାଉଛି । ତେବେ ବର୍ତ୍ତମାନ ରାଉରକେଲାର ବିଭିନ୍ନ ମାର୍କେଟରେ ମଧ୍ୟ ଟମାଟୋର ଅଭାବ ଦେଖିବାକୁ ମିଳୁଛି ।
ଏହା ବି ପଢନ୍ତୁ- ୨୧ ଲକ୍ଷ ଟଙ୍କାର ଟମାଟୋ ଚୋରି ! ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ଖାଲି ହୋଇଗଲା ଟ୍ରକ୍
ଟମାଟୋ କିଲୋ ପିଛା ୧୫୦ ଟଙ୍କା ଥିବାବେଳେ ଗ୍ରାହକ ୧ କେଜି ବଦଳରେ ୨୫୦ ଗ୍ରାମ ନେଉଥିଲେ, ହେଲେ ବର୍ତ୍ତମାନ ଦର ୨୦୦ ଟଙ୍କା ଛୁଇଁବା ପରେ ଗରିବ ଖଟିଖିଆଙ୍କ ପାଇଁ ଟମାଟୋ କିଣିବା ସ୍ବପ୍ନ ପାଲଟିଛି । ବର୍ଷା ଯୋଗୁଁ ଟମାଟୋ ଫସଲ ହାନି ହେବା ଫଳରେ ଯୋଗାଣ କମିବା ଯୋଗୁଁ ଦର ବୃଦ୍ଧି ପାଉଥିବା ବ୍ୟବସାୟୀମାନେ କହିଛନ୍ତି । ବର୍ତ୍ତମାନ ରାଉରକେଲା ସହରରେ ଏଭଳି ଟମାଟୋ ଦର ବୃଦ୍ଧି ହୋଇଥିବାରୁ ଲୋକେ ଏହାକୁ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି।
ଏନେଇ ଜଣେ ଗ୍ରାହକ ଚମ୍ପା ସାମନ୍ତ କହିଛନ୍ତି, "ମୋ ଗୋଟିଏ ଦିନର ରୋଜଗାର ହେଉଛି ୨୦୦ ଟଙ୍କା । ଏଣୁ ଟମାଟୋ କିଣିବା ଏବେ ସ୍ବପ୍ନ ଭଳି ଲାଗୁଛି । ମୁଁ ଟମାଟୋ କିଣିବା ଲାଗି ସକ୍ଷମ ନୁହେଁ । ୫୦ ଟଙ୍କାରେ ଟମାଟୋ କିଣିଲେ ଆଉ ପରିବା କଣ କିଣିବି । ଟମାଟୋ ବିନା ଖାଦ୍ୟ ମଧ୍ୟ ସୁସ୍ବାଦୁ ଲାଗୁ ନାହିଁ । ଟମାଟୋର ଅହେତୁକ ଦର ବୃଦ୍ଧି ଆମ ଭଳି ମଧ୍ୟବିତ୍ତ ପରିବାରକୁ ବାଧୁଛି । ଏବେ ୨୫୦ ଗ୍ରାମ ଟମାଟୋ କିଣିଲେ ବି ୫୦ ଟଙ୍କା ଦେବାକୁ ପଡୁଛି । " ତେବେ ଗୋଟିଏ ପଟେ ଚାଷୀ ଟମାଟୋ ବିକ୍ରି କରି କୋଟିପତି ହେଉଥିବା ବେଳେ ଏପଟେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଜନତା । ପ୍ରାୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।
ଇଟିଭି ଭାରତ, ରାଉରକେଲା