ସୁନ୍ଦରଗଡ଼: ହେମଗିର କନିକା ସାଧୁସା ବାବାଙ୍କ ‘ଉର୍ସ ’ ପର୍ବ ଆରମ୍ଭ । ଗତକାଲିଠାରୁ (ବୁଧବାର) ଆରମ୍ଭ ହୋଇଛି ଏହି ପର୍ବ । ଆସନ୍ତାକାଲି ହେବ ଶେଷ । ବାବାଙ୍କୁ ଚାଦର ଚଢାଇବା ନେଇ ବାବାଙ୍କ ପୀଠରେ ଜିମିଛନ୍ତି ହଜାର ହଜାର ଭକ୍ତ । ଦେଶର କୋଣ ଅନୁକୋଣରୁ ଆସିଛନ୍ତି ଭକ୍ତଗଣ । କିଏ ରୋଗରୁ ମୁକ୍ତି ପାଇବା ନେଇ ତ ପୁଣି କିଏ ସନ୍ତାନ ପ୍ରାପ୍ତି ନେଇ , ଆଉ କିଏ ବାହ୍ୟ ଶତ୍ରୁରୁ ରକ୍ଷା ପାଇବା ନେଇ, ପୁଣି କିଏ ବାବାଙ୍କୁ ଦର୍ଶନ କରିବା ନେଇ ବାବାଙ୍କ ଦ୍ବାରରେ ହାଜର ହୋଇଛନ୍ତି ।
ତେବେ କନିକାର ସାଧୁସା ବାବାଙ୍କର ଇଏ ହେଉଛି 93 ତମ ଉତ୍ସବ । ପ୍ରତିବର୍ଷ ବାବାଙ୍କ ଏହି ପୀଠକୁ ସଂଖ୍ୟାଧିକ ଭକ୍ତଙ୍କ ସମାଗମ ହୋଇଥାଏ । ଗତକାଲିଠାରୁ ଭୟଙ୍କର ବର୍ଷା ସତ୍ତ୍ବେ ଭକ୍ତଙ୍କ ଭିଡ କମିନି । ସମସ୍ତେ ନିଜ ନିଜ ଆଶା, ଭାବନା ଓ ବିଶ୍ବାସକୁ ନେଇ ବାବାଙ୍କ ଦରବାରରେ ପହଞ୍ଚିଛନ୍ତି । ଯେଉଁମାନଙ୍କର ‘ତମନ୍ନା’ ବା ମନୋସ୍କାମନା ପୁରା ହୋଇଛି ସେମାନେ ସମସ୍ତେ ଚାଦର ଚଢାଇବାରେ ଲାଗିଛନ୍ତି । ଆଉ କେତେକ ବର୍ଷ ବର୍ଷ ଧରି ବାବାଙ୍କ ଏହି ପର୍ବ ଦେଖିବା ନେଇ ଅପେକ୍ଷା କରି ଥିଲା ବେଳେ ବାବା ତାଙ୍କୁ ତାଙ୍କ ନିକଟକୁ ଡୋରି ଲଗାଇ ଟାଣି ଆଣିଥିବା କଥା କହିଛନ୍ତି ।
ବାବାଙ୍କ ସଦୟ ଆଶୀର୍ବାଦ ସବୁବେଳେ ସେମାନେ ଉପଲବ୍ଧ କରିଛନ୍ତି । ବାବାଙ୍କର ଢେର ଅଲୌକିକ ଶକ୍ତିର ଉଦାହରଣ ଥିବା କଥା ତାଙ୍କ ପୂଜକ କହିଛନ୍ତି । ଅତିରୁ ଅତି କଷ୍ଟକର ରୋଗରୁ ପୀଡିତଙ୍କୁ ବାବା ମୁକ୍ତ କରିଥିବା ପରି ପ୍ରମାଣ ଥିବା କଥା ଜଣା ପଡିଛି । ତେବେ ସେ ଯାହା ହେଉନା କାହିଁକି, ଭକ୍ତମାନେ ବିଶ୍ବାସରେ ବାବାଙ୍କ ଦରବାରରେ ପହଞ୍ଚିଛନ୍ତି । କେବେଳ ମୁସଲିମ ଭକ୍ତ ନୁହେଁ, ଶହ ଶହ ହିନ୍ଦୁ ଭକ୍ତ ମଧ୍ୟ ବାବାଙ୍କୁ ଆଜି ଚାଦର ଚଢାଇ ବାବାଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି ।
ସୁନ୍ଦରଗଡ଼ରୁ ହରିହର ଦାସ ମହାପାତ୍ର, ଇଟିଭି ଭାରତ